ପରିବେଶ ଅନୁଚିନ୍ତା

ଦିବସପାଳନ ପଛରେ କିଛି ନିର୍ଦିଷ୍ଟ ମହତ୍‌ ଉଦ୍ଦେଶ୍ୟ ଥାଏ। ସେହି ଉଦ୍ଦେଶ୍ୟକୁ ଭୁଲିଯାଇ ଏହାକୁ କେବଳ ଔପଚାରିକ ଦୃଷ୍ଟିରୁ ପାଳନ କଲେ ତାହାର କିଛି ଅର୍ଥ ରହେନାହିଁ। ଆଜି ଆନ୍ତର୍ଜାତିକ ପରିବେଶ ଦିବସ ପାଳିିତ ହେଉଛି। ପୃଥିବୀର ପରିବେଶକୁ ମନୁଷ୍ୟ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବାସଉପଯୋଗୀ କରି ରଖିବା ଏହାର ଉଦ୍ଦେଶ୍ୟ। ମିଳିତ ଜାତିସଂଘ ଆନୁକୂଲ୍ୟରେ ପାଳିତ ହେଉଥିବା ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ କିନ୍ତୁୁ ସୁଦୂରପରାହତ ମଣିଷର ବସ୍ତୁବାଦୀ ବିଚାର ଓ ଲୋଭ ପାଇଁ। ବିକାଶର ଯେଉଁ ମୂଷିକଧାବନ ଚାଲିଛି ସେଥିରେ ବିଶ୍ବର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ପ୍ରକୃତିକୁ ମନଇଚ୍ଛା ଶୋଷଣ କରିବାର ପ୍ରବୃତ୍ତି ମାତ୍ରାଧିକ ଘାରିଛି। ଫଳରେ ଜଳ, ସ୍ଥଳ ଓ ଆକାଶ ସବୁ ଗୁରୁତରଭାବେ ପ୍ରଭାବିତ, ପ୍ରଦୂଷିତ ଓ ବିପନ୍ନ। ଶିଳ୍ପାୟନ, ଯାନବାହନଜନିତ ପ୍ରଦୂଷଣ, ମନଇଚ୍ଛା ଖଣିଖନନ, ବ୍ୟାପକ ଜଙ୍ଗଲ ନଷ୍ଟ, ସହରାୟନ, ଜଳ, ବାୟୁ, ପ୍ଲାଷ୍ଟିକ ଓ ଇ-ଆବର୍ଜନାଜନିତ ପ୍ରଦୂଷଣ ପୃଥିବୀର ପରିବେଶ ପାଇଁ ସବୁଠୁ ବଡ଼ ବିପଦ ପାଲଟିଛି। ଜଳବାୟୁ ପରିବର୍ତ୍ତନର ଏହା ପ୍ରମୁଖ କାରଣ ପାଲଟିଛି ଯା’ଦ୍ବାରା ସମଗ୍ର ଧରିତ୍ରୀ ଏବେ ବିପଦରେ।
ପୃଥିବୀ ଯେତିକି ସହିପାରିବ ବା ସମ୍ଭାଳିବାକୁ ସକ୍ଷମ ହେବ ଆମେ ତାହାକୁ ବିଚାରକୁ ନେଇ ଆମର ବିକାଶ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା କଥା। ଏଥିପାଇଁ ଜାତିସଂଘ ମାର୍ଫତରେ ଏକ ବିଶ୍ବକାର୍ଯ୍ୟସୂଚୀ ଓ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହାସତ୍ତ୍ବେ ସବୁ ଦେଶ ଏହାକୁ କାର୍ଯ୍ୟକାରୀ କରିବା ଅବସ୍ଥାରେ ନାହାନ୍ତି। ଓଡ଼ିଶା ଯାହା ଏକଦା ଏକ କମନୀୟ ପ୍ରାକୃତିକ ଅଞ୍ଚଳ ଭାବେ ଖ୍ୟାତଥିଲା ତାହା ଏବେ ନାନା ପ୍ରାକୃତିକ ବିପତ୍ତିର ସମ୍ମୁଖୀନ। ଅନାବୃଷ୍ଟି, ମରୁଡ଼ି, ଅତିବୃଷ୍ଟି, ତାପମାତ୍ରା ବୃଦ୍ଧି, ଜଳାଭାବ, ଝାଞ୍ଜି ପ୍ରବାହ, ସାମୁଦ୍ରିକ ବାତ୍ୟା, ସମୁଦ୍ର କୂଳକ୍ଷୟ ଆଦି ଘଟଣା ଏଠାରେ କ୍ରମଶଃ ଅଧିକ ଘଟୁଛି ଏବଂ ପ୍ରକୃତି କ୍ରମଶଃ ନିଷ୍ଠୁର ହେଉଛି। ଏହା ପଛରେ ମନୁଷ୍ୟକୃତ ପରିବେଶ ନଷ୍ଟ ପ୍ରମୁଖ କାରଣ। ପ୍ରକୃତି ଚରମ ପ୍ରତିଶୋଧ ନେବା ପୂର୍ବରୁ ଯଥେଷ୍ଟ ସତର୍କ ସୂଚନା ଦିଏ। ସାରା ବିଶ୍ବରେ ଏବେ ପ୍ରଦୂଷଣଜନିତ ଯେଉଁ ବିପର୍ଯ୍ୟୟମାନ ଘଟୁଛି ତା’ପଛରେ ରହିଛି ପରିବେଶ ପ୍ରତି ଚରମ ଉପେକ୍ଷା। ସମୟ ଶେଷ ହୋଇଯାଉଛି। ଏ କ୍ଷେତ୍ରରେ ସାମୂହିକ ପ୍ରୟାସ ନ’ହେଲେ ସମଗ୍ର ଜୀବସତ୍ତା ବିପଦାପନ୍ନ ହେବ। ଅତଏବ ବ୍ୟକ୍ତିଗତ ଓ ସାମୂହିକ ଭାବେ ଆମକୁ ମିଳିମିଶି ଆମ ପରିବେଶକୁ ଉପଯୁକ୍ତ ନ’ରଖିଲେ ବିପଦ ନିଶ୍ଚୟ। କୁହାଯାଇଛି‘ ଆପଣାହସ୍ତେ ଜିହ୍ବା ଛେଦି, କେ ଅଛି ତା’ର ପ୍ରତିବାଦୀ’।

kalyan agarbati

Comments are closed.