ଧର୍ମର ରଙ୍ଗ କଳା ନୁହେଁ
ପ୍ରତିଭା ରାୟ
ସାମ୍ୟ, ମୈତ୍ରୀ ଓ ଆତିଥ୍ୟ ହେଉଛି ଜଗନ୍ନାଥ ସଂସ୍କୃତି ତଥା ଉତ୍କଳୀୟ ସଂସ୍କୃତିର ମୂଳ ମନ୍ତ୍ର । “ଅତିଥି ଦେବୋ ଭବଃ” ପ୍ରଚାର କରୁଥିବା ଜଗନ୍ନାଥ ସଂସ୍କୃତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ମୁଷ୍ଟିମେୟ ଦୁର୍ଜନଙ୍କ ପାଇଁ ସମସ୍ତ ସଜ୍ଜନ ଓ ପଣ୍ଡିତମାନଙ୍କର ଭାବମୂର୍ତ୍ତି ନଷ୍ଟ ହେଉଥିବା ସମସ୍ତଙ୍କୁ ବ୍ୟଥିତ କରିଆସୁଛି । ଶ୍ରୀମନ୍ଦିର’ର ଶ୍ରୀ ନଷ୍ଟ କରିବା ଏବଂ ଶ୍ରଦ୍ଧାଳୁମାନଙ୍କୁ ଦୁର୍ବ୍ୟବହାର କରିବା ଯେମିତି ପରମ୍ପରାରେ ପରିଣତ ହୋଇଛି । ବିଶୃଙ୍ଖଳା, ନୀତି ବିଭ୍ରାଟ ଓ ଶ୍ରଦ୍ଧାଳୁମାନଙ୍କର ଭାବପ୍ରବଣତା ଉପରେ ଆଘାତ ବିନା ଶ୍ରୀମନ୍ଦିରର କୌଣସି ପର୍ବପର୍ବାଣି ସମ୍ପନ୍ନ ହେବାର ପ୍ରାୟ ଦେଖାଯାଏ ନାହିଁ । କିନ୍ତୁ ଏକ ପରିଷ୍କୃତ ସମୟର ଲଗ୍ନ ଉପସ୍ଥିତ ହେବା ପୂର୍ବରୁ ଦୁର୍ଜନମାନେ ପ୍ରବଳ ହେବାର ଦେଖାଯାଏ । ତାହା ହିଁ ଗତ କିଛିବର୍ଷ ହେଲା କ୍ରମାଗତଭାବରେ ଦୃଶ୍ୟ ହେଉଥିଲା । ପରମ୍ପରା ପରିବର୍ତ୍ତନୀୟ ନୁହେଁ ବୋଲି ଦାବି କରୁଥିବା କେତେକ କ୍ଷୀଣଜ୍ଞାନ ବ୍ୟକ୍ତି ଜାଣିବା ଉଚିତ୍ ଯେ ପରମ୍ପରାରେ କେବଳ ପରିବର୍ତ୍ତନର ସମ୍ଭାବନା ନଥାଏ, ବରଂ ଏହା ହେଉଛି ନିରନ୍ତର ଶୁଭଙ୍କର ପରିବର୍ତ୍ତନଶୀଳ ପ୍ରକ୍ରିୟା । ଆଜି ସେହି ମଙ୍ଗଳମୟ ପରିବର୍ତ୍ତନର ଶୁଭ ଶଙ୍ଖ ବଜାଇଛନ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟ । ଏହି ଶଙ୍ଖଧ୍ୱନିରେ ଅଛି ଶ୍ରୀମନ୍ଦିରରେ ଶୃଙ୍ଖଳା, ପରିଚ୍ଛନ୍ନତା, ନୀତିକାନ୍ତି ପ୍ରତି ସେବକମାନଙ୍କର ମାନ୍ୟତା ଏବଂ ସେବାୟତମାନଙ୍କ ଶିଷ୍ଟାଚାର ରକ୍ଷା ପାଇଁ କଡ଼ା ନିର୍ଦେଶ- ଯାହାର ଅବମାନନା ଦଣ୍ଡନୀୟ । ସୁପ୍ରିମକୋର୍ଟ ଏଥିପାଇଁ ଅଭିନନ୍ଦନୀୟ ଓ ଶ୍ରଦ୍ଧାଳୁମାନଙ୍କର ପ୍ରଶଂସାଭାଜନ ହୋଇଛନ୍ତି ।
ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିର’ର ଶ୍ରୀ ଫେରାଇ ଆଣିବାରେ ତୁରନ୍ତ ପଦକ୍ଷେପ ନେଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆଶା, ବିଶ୍ୱାସ, ନୈତିକ ସାହସ ବୃଦ୍ଧି ହେବା ସହ ସର୍ବୋଚ୍ଚ ନ୍ୟାୟାଳୟ ଉପରେ ଆସ୍ଥା ଦୃଢ଼ ହୋଇଛି। କିନ୍ତୁ ଏହି ରାୟ ବାହାରିବା ପରେପରେ ଜଣେ ଯୁବତୀଙ୍କୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଅସଦାଚରଣ କରିଛନ୍ତି ଜଣେ ସେବାୟତ । ଯୁବତୀଙ୍କ ଉପରେ କୋର୍ଟ ରାୟର ପ୍ରଭାବ ନିଶ୍ଚିତ ପଡ଼ିଥିବାର ପ୍ରମାଣ ହେଉଛି ଯେ ସେ ସାହସର ସହିତ ସେହି ଦୁର୍ଜନର ମୁକାବିଲା କରି ତାକୁ ପୁଲିସରେ ଦେଇଛନ୍ତି, କିନ୍ତୁ ଦୁର୍ଜନଙ୍କ ଉପରେ କୋର୍ଟଙ୍କ ରାୟର ପ୍ରଭାବ ପଡ଼ିନଥିବା ପ୍ରମାଣ କରୁଛି ଯେ ମହିଳା ଭକ୍ତମାନଙ୍କ ସହ ଏପରି ଅଶାଳୀନ ବ୍ୟବହାର କରିବା କିଛି ନିମ୍ନମାନର ସେବାୟତଙ୍କ ଅଭ୍ୟାସଗତ, କିମ୍ବା ତାହା ସେମାନଙ୍କର ପରମ୍ପରା! ଶ୍ରୀଜଗନ୍ନାଥଙ୍କ ପ୍ରତି ସେମାନଙ୍କର କେତେ ଭକ୍ତି ଓ ଭୟ ତାହା ମଧ୍ୟ ଏଥିରୁ ସ୍ପଷ୍ଟ ହେଉଛି । ଏହି ଘଟଣାରେ ବିବ୍ରତ ନ ହୋଇ ବରଂ ଆନନ୍ଦିତ ହେବାର କଥା ଯେ ଦୁଇଜଣ ମହିଳା ଦୁର୍ଜନଙ୍କ ମେଳରେ ନିଜକୁ ଅସହାୟ ମନେ ନ କରି ସାହସର ସହିତ ଦୋଷୀକୁ ଧରାଇ ଦେଇଛନ୍ତି । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ । ଏଣିକି ଶ୍ରଦ୍ଧାଳୁ ଭକ୍ତ, ବିଶେଷକରି ମହିଳା ଭକ୍ତଙ୍କ ପାଇଁ ଏହା ଏକ ଆହ୍ୱାନରେ ପରିଣତ ହେଲା। ଶ୍ରୀମନ୍ଦିର ଭିତରେ ଜୋରଜବରଦସ୍ତ ଦକ୍ଷିଣା ଆଦାୟ ଏବଂ ଅଶାଳୀନ ବ୍ୟବହାର ତଥା ଅଶାଳୀନ ଭାଷା ପ୍ରୟୋଗକୁ ଆଉ ବରଦାସ୍ତ କରାଯିବ ନାହିଁ`। ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ଏହି ଶୋଭନୀୟ, ସାତ୍ତ୍ୱିକ ସଂଗ୍ରାମ ଜାରି ରହିବ ।
ଅନେକ ସଂସ୍କାରମୂଳକ ନିର୍ଦେଶ ଦେଇଥିବାରୁ ସୁପ୍ରିମକୋର୍ଟ ଅଭିନନ୍ଦନୀୟ ସତ, କିନ୍ତୁ ସର୍ବାଗ୍ରେ ଅଭିନନ୍ଦନୀୟ, ଏହି ଐତିହାସିକ ଏବଂ ସ୍ୱର୍ଣ୍ଣିମ ରାୟର ଭିତ୍ତିପ୍ରସ୍ତର ଦେଇ ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିରରେ ଘଟିଥିବା ନାନାଦି ବିଶୃଙ୍ଖଳା ଦର୍ଶାଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ଆବେଦନକାରିଣୀ ମୃଣାଳିନୀ ପାଢ଼ୀ ଏବଂ ତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶୁଭ୍ରାଂଶୁ ପାଢ଼ୀ ।
ଏହି ରାୟକୁ ଶ୍ରଦ୍ଧାଳୁମାନେ ହର୍ଷୋତ୍ଫୁଲ୍ଲ ଚିତ୍ତରେ ଗ୍ରହଣ କରିଛନ୍ତି। ଏହି ରାୟକୁ ସେବାୟତମାନେ ମଧ୍ୟ ସାନନ୍ଦ ଅଭିନନ୍ଦନ ଜଣାଇବା ଆଶା କରାଯାଏ। କାରଣ ଏହାହେଲେ ମୁଷ୍ଟିମେୟଙ୍କ ଦ୍ୱାରା ସମଗ୍ର ସେବାୟତ ସମାଜର ଭାବମୂର୍ତ୍ତି ନଷ୍ଟ ହେବା ପରିସ୍ଥିତି ଆଉ ଶ୍ରୀମନ୍ଦିରରେ ଉପୁଜିବ ନାହିଁ । ସେବାୟତମାନଙ୍କ ସେବା ଓ କର୍ତ୍ତବ୍ୟ ଅନୁଯାୟୀ ପାଉଣା ଧାର୍ଯ୍ୟ କରିବା ସମ୍ପର୍କରେ ମଧ୍ୟ କୋର୍ଟ ସ୍ପଷ୍ଟ ମତାମତ ଦେଇଛନ୍ତି। ତେଣୁ ଏହି ରାୟକୁ ଶ୍ରଦ୍ଧାଳୁ ଏବଂ ସେବାୟତ ଅକ୍ଷରେଅକ୍ଷରେ କାର୍ଯ୍ୟରେ ପରିଣତ କଲେ ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର’ର ଶ୍ରୀ ବିଶ୍ୱରେ ଜାଜ୍ଜ୍ୱଲ୍ୟମାନ ହେବ । ଏଥିପାଇଁ କିନ୍ତୁ ଭାବପ୍ରବଣ ଶ୍ରଦ୍ଧାଳୁମାନଙ୍କର ସହଯୋଗ ଅଧିକ ଆବଶ୍ୟକ । କୋର୍ଟଙ୍କ ରାୟ ସେମାନେ ଅକ୍ଷରେଅକ୍ଷରେ ପାଳନ କରିବା ନିତାନ୍ତ ଜରୁରୀ । ଦାନ ଦକ୍ଷିଣା ହୁଣ୍ଡିରେ ବା ଦାନବାକ୍ସରେ ପକାଇଲେ ପୁଣ୍ୟ ଊଣା ହୁଏ ନାହିଁ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କୋର୍ଟଙ୍କ ରାୟକୁ ଅବମାନନା କରି ସେବାୟତଙ୍କ ହାତକୁ ଦକ୍ଷିଣା ଅର୍ଥ ସହ ଅର୍ଜିତ ପାପ ବଢ଼ାଇ ଦେବାର ଭ୍ରାନ୍ତିରୁ ଶ୍ରଦ୍ଧାଳୁମାନେ କ୍ଷାନ୍ତ ରହିଲେ ମାନ୍ୟବର କୋର୍ଟଙ୍କର ଏହି ଯୁଗାନ୍ତକାରୀ ରାୟର ସୁଫଳ କାଳକାଳକୁ ମିଳିବ । ଆଶା କରୁଛି ଏହି ଲେଖିକାର ସବିନୟ ଅନୁରୋଧକୁ ଶ୍ରଦ୍ଧାଳୁମାନେ ସହୃଦୟ ଗ୍ରହଣ କରିବେ। ଶ୍ରୀମନ୍ଦିର’ର ଶ୍ରୀ ଫେରାଇ ଆଣିବା ପାଇଁ କାହାରି ସ୍ୱାଧୀନ ମତକୁ ବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାରକୁ ଅଳ୍ପ ଜ୍ଞାନବଶତଃ ହେଉ ବା ଅହଂକାରବଶତଃ ହେଉ, କେହି ଯେପରି ପ୍ରତ୍ୟାହାର କରିନେବା ପାଇଁ ଆଦେଶ ଦେବା ଆଶା କରାଯାଏ ନାହିଁ । ମନ୍ଦିରରେ ଶୃଙ୍ଖଳା ନ ଆସିବା ପର୍ଯ୍ୟନ୍ତ ପତିତପାବନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ଫେରିଆସିବାକୁ ଅନୁରୋଧ କରିଥିବାରୁ ନିଜ ବାକ୍ୟ ପ୍ରତ୍ୟାହାର କରିନେବାର ଆଦେଶ ପୂର୍ବରୁ ଏହି ଲେଖିକାକୁ ମିଳିଛି ।
ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଇ ମନ୍ଦିର ପ୍ରଶାସନ ତା.୦୮.୦୬.୨୦୧୮ରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେବକମାନଙ୍କୁ ଚେତାଇଦେବା ସହ ଦାନ, ଦକ୍ଷିଣା, ହୁଣ୍ଡି ଓ ଦାନପାତ୍ରରେ ପକାଇବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ୩୧ ବର୍ଷ ତଳେ ତା.୦୪.୦୧.୧୯୮୮ରିଖରେ ଏହି ଲେଖିକା ଶ୍ରୀମନ୍ଦିରରେ ଦୁର୍ବ୍ୟବହାରଜନିତ କ୍ଷୋଭରୁ ଲେଖିଥିଲା “ଧର୍ମର ରଙ୍ଗ କଳା” । ପୁନର୍ବାର ସେବାୟତଙ୍କ ଆକ୍ରମଣର ଶିକାର ହୋଇ ରାଜ୍ୟ ବାହାରର ଜଣେ ଶ୍ରଦ୍ଧାଳୁ ଲହୁଲୁହାଣ ହୋଇଥିବାରୁ ତା.୨୨.୦୫.୨୦୧୮ରିଖରେ ‘ସମାଜ’ରେ ଏହି ଲେଖିକା ଲେଖିଥିଲା “ଶ୍ରୀମନ୍ଦିରରେ ଧର୍ମର ରଙ୍ଗ କଳାର ପୁନରାବୃତ୍ତି”। ସେଥିରେ ଶ୍ରଦ୍ଧାଳୁମାନଙ୍କୁ ବିନମ୍ର ଅନୁରୋଧ କରିଥିଲା ଶ୍ରୀମନ୍ଦିରରେ ଶୁଭ ସଂସ୍କାର ନ ଆସିବା ପର୍ଯ୍ୟନ୍ତ ମନ୍ଦିର ବାହାରେ ରହି ପତିତପାବନଙ୍କୁ ଦର୍ଶନ କରିବା ପାଇଁ । ଏହି ଅନୁରୋଧକୁ କେତେକ ଶ୍ରଦ୍ଧାଳୁ ଗ୍ରହଣ କରିଥିଲେ। ବୋଧହୁଏ ଶ୍ରୀମନ୍ଦିରର ଶ୍ରୀ ଫେରାଇ ଆଣିବା ପାଇଁ ଶ୍ରଦ୍ଧାଳୁଙ୍କ ଆକୁଳ ନିବେଦନ ରତ୍ନବେଦୀକୁ ଝଂକୃତ କଲା । ତେଣୁ ତ୍ୱରିତ ମନ୍ଦିରରେ ଶୁଭ ସଂସ୍କାରର ଶଙ୍ଖଧ୍ୱନି ବାଜିଉଠିଲା । ଆଜି ଆନନ୍ଦର ସହ ଲେଖୁଛି “ଧର୍ମର ରଙ୍ଗ କଳା ନୁହେଁ” । ଆମେ ଧର୍ମାନ୍ଧତାକୁ ଧର୍ମ କହି ସେଥିରେ କଳା ବୋଳି ଚାଲିଥିଲୁ । ଧର୍ମର ରଙ୍ଗ ହେଉଛି ସୂର୍ଯ୍ୟାଲୋକ ଭଳି ଉଜ୍ଜ୍ୱଳ, ଯାହା କାହାରିକୁ ଅଗ୍ରାହ୍ୟ କରେନି । ବରଂ ସମସ୍ତ ଜାତି, ଧର୍ମ ଓ ରଙ୍ଗକୁ ଗ୍ରହଣ କରି ପ୍ରତିଭାତ କରେ । ସର୍ବଧର୍ମ ସମନ୍ୱିତ ଏକ ମାନବୀୟ ଧର୍ମର ସନ୍ଦେଶ ଆମ ଉତ୍କଳୀୟ ସଂସ୍କୃତିରେ ଅଛି ବୋଲି ଗର୍ବିତ ହେବାର ସମୟ ଆସିଛି ।
ଆଖ୍ୟାୟିକା, ୨୭, ଗଜପତି ନଗର, ଭୁବନେଶ୍ବର-୫