ଦିନ ଛିଡୁଛି, ଭିଡ଼ ବଢୁଛି

0

କଟଲ : ଶୀତ ବଢୁଛି ଆଉ ବାଲିଯାତରାର ଦିନ ଛିଡୁଛି; ଯାତ୍ରାପଡିଆରେ ଗହଳି କେବେ ବଢୁଛି ତ ପୁଣି ଛିଡୁଛି।…ଶିଶିରସିକ୍ତ ସାତଟି ସଂଜ ଗଡିଗଲାଣି, ଢେର ଗମାତ ହେଲାଣି ମେଳା ପଡିଆରେ; ମଧ୍ୟପ୍ରଦେଶରୁ ମେଦିନାପୁର ପର୍ଯ୍ୟନ୍ତ ବେପାରୀଙ୍କ ତେଣୁ ବ୍ୟସ୍ତତାକୁ ଫୁରୁସତ ନାହିଁ। ବେଶି ଉସୁକାଉଛି ଚମତ୍କାର ପାଗ। କେତେ ଲୋକ ଆସିଲେ, ପୁଣି ଷ୍ଟଲ୍‍ର ଗଣତି; ଏ ଅଙ୍କକଷାରେ ନଥାଏ ବାଲିଯାତ୍ରା।…ଗରାଖଙ୍କ କଥା ଯେଉଁଠି ଆସେ, ମାସ ଶେଷର ଫାଙ୍କା ପକେଟ ଉପରେ ବାଲିଯାତ୍ରାର କିଛି ପ୍ରଭାବ ନଥାଏ; ସେ ଖର୍ଚ୍ଚ ୧୫ ଦିନ ଆଗରୁ ସାଇତା ହୋଇ ଥାଏ।…ସରିସରି ଆସୁଛି ମେଳା, ଆଉ ତିନି ଦିନ ରହିଲା।
ବୁଧବାର ଜୋରଦାର ଗହଳି ପରେ ଗୁରୁବାରକୁ ଭିଡ ଟିଲେ ପତଳା ହେବ ବୋଲି ଆଶା କରାଯାଉଥିଲା। ତାହା କିନ୍ତୁ ବାସ୍ତବ ରୂପ ନେଲା ନାହିଁ; ମଗୁଶିରର ପହିଲି ଲକ୍ଷ୍ମୀବାରର ଗହଳି ସତରେ ନାକେଦମ୍‍ କରି ରଖିଲା ମେଳାପଡିଆକୁ। ବିଶେଷକରି ଦିନବେଳାରୁ ଏହାର ସ୍ପଷ୍ଟ ଝଲକ ଦେଖିବାକୁ ମିଳିଥିଲା। ମେଳା ପଡିଆକୁ ଦିନବେଳା ଗଡୁଥିବା ଚରିତ୍ରମାନଙ୍କ ପାଇଁ କିଛି ଫରକ ପଡେନାହିଁ ବାର ଅବାରର। ଯଦିଓ ଓରମାସ ପଟରେ ମନୋହରୀ ଦୋକାନ ଦେଇଥିବା ବେପାରୀଜଣକ କୁହନ୍ତି ଯେ ଗଲା ରବିବାରର ବେପାର ଦେଇ ପାରିଲା ନାହିଁ ବୁଧବାର, ଯେଉଁଠି ଗୁରୁବାର ହିଁ ସେ କ୍ଷତିକୁ ଭରଣା କଲା। ଆଗକୁ ଶନିନବାର କଥା କହିହେବ ନାହିଁ, କିନ୍ତୁ ଶୁକ୍ର ଓ ରବିବାର ଉପରେ ଯଥେଷ୍ଟ ଭରସା ରହଛି। ସପ୍ତମ ଦିନର ମେଳା ପୂରା ଜମି ଯାଇଛି। ବାଲିଯାତ୍ରା ଆଉ ମାତ୍ର ତିନି ଦିନ। ବେଶ୍‍ ବଢ଼ୁଛି ଗହଳି। ବିକ୍ରି ମଧ୍ୟ ହେଉଛି ସେହି ଅନୁପାତରେ। ଯିଏ ଯାହା ପସରାକୁ ନେଇ ବ୍ୟସ୍ତ; ଶିଙ୍ଗ ପାନିଆରୁ ଚକ୍ରୀ ଦୋଳି ପର୍ଯ୍ୟନ୍ତ ସବୁଥିରେ ଦୁଇ ପଇସା ଲାଭର ଆଶା। ସେ ତେଣିକି ପଶ୍ଚିମବଂଗଳାର ଦମ୍‍ଦମ୍‍ରୁ ଆସିଥିବା ଖେଳଣା ବେପାରୀ ହେଉ, କିବା ଜଗତପୁର ପୀରବଜାରର ଦୋଳିବାଲା। ପୁଣି ମାର୍ଗଶିରର ଗୁରୁବାର ପାଇଁ ଧାନକେଣ୍ଡାଠୁଁ ଅରମ୍ଭ କରି ଚିତା ଛାଞ୍ଚ ପର୍ଯ୍ୟନ୍ତ ସବୁ ମିଳୁଛି ବାଲିଯାତ୍ରାରେ। ତେବେ ଗୁରୁବାର କିନ୍ତୁ ମେଳାପଡିଆ ବାହାରେ ବେଶି ବିକ୍ରି ହୋଇଛି ହଳଦୀପତ୍ର। ଶୁକ୍ରବାର ପ୍ରଥମାଷ୍ଟମୀ। ପିଠା ଗଢିବାପାଇଁ ହଳଦୀ ପତ୍ର ଗଦା ହୋଇଛି ମେଳାପଡିଆ ଯିବା ରାସ୍ତାରେ। ବିଡାକ ୧୫ରୁ ୨୦ ଟଙ୍କା। ଅଷ୍ଟମୀ ସକାଳକୁ ସଳଖ ପତ୍ର ଖୋଜିଲେ ମିଳିବ ନାହିଁ, ଦର ବି ରହିବ ଆକାଶଛୁଆଁ। ଲୋକେ ତେଣୁ ଫେରିବା ବାଟରେ ହଳଦୀପତ୍ର ସାଙ୍ଗକୁ ବୋହି ଆଣୁଛନ୍ତି ନୂଆ କୁଲା ଓ ଓଷା ପରବ ବାବଦ ଯାହା ଯେତେ ଦରବ। କୁଲା ଓ ହଳଦୀପତ୍ରର ଚାହିଦା ତେଣୁ ଖାସ୍‍ ପ୍ରଥମାଷ୍ଟମୀ ପାଇଁ। ଜଗତସିଂହପୁରରୁ ଆସିଥିବା ବେପାରୀ କୁହନ୍ତି ସେ ଏଥର ଭଲ ବେପାର କରିଛନ୍ତି କୁଲା ଗୋଟା ୪୦ରୁ ୬୦ ଟଙ୍କାରେ ବିକି। …ବାଲିଯାତ୍ରା ଆସେ ଆଉ ଯାଏ, ପୁଣି ଥରେ ଲେଉଟେ; ଏମିତି କେତେ ଯୁଗ ବିତିସାରିଛି। ତାହାରି ଭିତରେ ଘରେଘରେ ଦେଖିବାକୁ ମିଳେ ଏ ମେଳାର ସନ୍ତକ; ତାହାତେଣିକି ସରାଗାତ ହେଉ ବା ଶିଙ୍ଗ ପାନିଆ। ଢେର୍‍ ବର୍ଷ ହୋଇଯିବ କିନ୍ତୁ ବାଲିଯାତ୍ରାର ସନ୍ତକକୁ ଦିହରେ ବି ଛାପି ରଖିବାରେ ଢିଲା ଦେଉନାହାନ୍ତି କିଶୋରବର୍ଗ। ଚାବିରିଂରେ ନାମ ଲେଖା ତ ଏଇ ମେଳା ପଡିଆରେ ହିଁ ହୋଇଥାଏ, ପୁଣି ହୁଏ ଚିତାକୁଟା। ମେଳାପଡିଆରେ ମନ ଆଉ ବୁଝେ କି ଏତେ କଥା। କିଏ ଭଲ ପୁଣି କେଉଁଟି ମନ୍ଦ ସେକଥା ଭାବିବା ପାଇଁ ବେଳ ନଥାଏ ମେଳାର ଗହଳିରେ। ବିଶେଷକରି ଝିଅମାନେ ହାତ ପତାଇଥାଆନ୍ତି ଚିତାକୁଟା ପାଖରେ। ସିଏ ଛୁଞ୍ôଚ ହେଉ କି ରଂଗ, ଚର୍ମ ଉପରେ ଏହାର ପ୍ରଭାବକୁ ନେଇ ରହି ଆସୁଥିବା ବୈଧାନିକ ସତର୍କତା ସବୁ ଫସରଫାଟେ ଏ ମେଳାର ମ୍ୟାଜିକ୍‍ରେ। ରଂଗିନ ଚିତା ଆହୁରି ସୁନ୍ଦର କରି ରଖିଦିଏ କଅଁଳ ହାତକୁ, ପଦାକୁ ଆସି କହିହୁଏ- ଇଏ ବାଲିଯାତ୍ରାର ସଂତକ ଯାହା ଦଶଦିନ ଯାଏ ଏଇମିତି ଚମକୁଥିବ !

Leave A Reply