ଦାଦନଶ୍ରମିକ, କ’ଣ ମଲା ପରେ ଦୁଃଖ କରିବା?

‘ମୁଁ ମୋ ବର ସାଙ୍ଗରେ ଚେନ୍ନଇ ସେଣ୍ଟ୍ରାଲ ରେଳ ଷ୍ଟେସନର ପ୍ରତୀକ୍ଷାଳୟରେ ବସିଚି, ହଠାତ୍‌ ମତେ ଓଡ଼ିଆରେ କେହି କଥା ହେଉଥିବା ଶୁଣାଗଲା। ମୁଁ ବୁଲିପଡ଼ି ଚାହିଁ ଦେଖିଲି ଚାରିପାଞ୍ଚଜଣ (ତରୁଣ ବୟସ – ପ୍ରାୟ ୨୪ରୁ ୩୦ ଭିତରେ ହେବ) ବସିଚନ୍ତି ଓ ତାଙ୍କ ଭିତରୁ ଜଣେ କାହାସାଙ୍ଗେ ଓଡ଼ିଆରେ ଫୋନରେ କଥା ହେଉଛି। କୌତୂହଳବଶତଃ ମୁଁ କାନ ଦେଇ ଶୁଣିବାକୁ ଲାଗିଲି। ସେ କହୁଥାଏ, ଆରେ ତମେ ଏମିତି କେମିତି ଅସୁବିଧାରେ ପଡ଼ିଲ, ଚେନ୍ନଇରୁ ତିରୁବନ୍ତପୁରମ୍‌ ପ୍ରାୟ ସତର ଘଣ୍ଟାର ବାଟ, ନଖାଇ ଏତେବେଳ କେମିତି କାଟିବ। ବୋଧହୁଏ ସେପଟ କହିଲାବାଲା କହୁଥିବ, ତାଙ୍କ ପାଖରେ କିଛି ପଇସା ନାହିଁ, କ’ଣ କରିବୁ? ତା’ କହିବାରୁ ମୁଁ ବୁଝିଲି, ଏବେ ରେଳରେ ବସି ଚେନ୍ନଇରୁ ବାହାରି ଯାଇଥିବା ଛଅ-ସାତଜଣ ତରୁଣ ଓ ଏବେ ପ୍ରତୀକ୍ଷାଳୟରେ ବସିଥିବା ଚାରି-ପାଞ୍ଚଜଣ ହେଲେ ଓଡ଼ିଆ ତରୁଣ, କେରଳକୁ କାମ ପାଇଁ ଯାଉଛନ୍ତି। ସେମାନଙ୍କ ଯିବା ବ୍ୟବସ୍ଥା ତିନି ଛେକାରେ- ଓଡ଼ିଶାର କୌଣସି ଷ୍ଟେସନରୁ ଚେନ୍ନଇକୁ, ତା’ପରେ ଚେନ୍ନଇରୁ ତିରୁବନ୍ତପୁରମ୍‌କୁ ଓ ଶେଷରେ ସେଠାରୁ ଶେଷ ଗନ୍ତବ୍ୟ ସ୍ଥାନକୁ। ପ୍ରତି ଛେକ ପାଇଁ କେହି ଜଣେ ଆସି ତାଙ୍କୁ ରେଳ ଟିକଟ ଓ ବାଟରେ ଖାଇବା ପାଇଁ କିଛି ଟଙ୍କା ଜଣକ ହାତରେ ଦେଇଯାଏ। ଏବେ ରେଳରେ ବସିଥିବା ସାତ ଜଣଙ୍କ ପାଇଁ ସେ ଦେଇଥିବା ଟଙ୍କା ଅତି ଅଳ୍ପ, ତେଣୁ ଖାଇବା ପାଇଁ ହାତରେ ପଇସା ନାହିଁ। ସେ ପିଲା ତା’ ସାଙ୍ଗକୁ ଶେଷରେ କହୁଥାଏ, ଆଉ କଅଣ କରିବ, ପାଣି ପିଇ ରହିଯାଅ।’ ମତେ ସେଦିନ ଏକଥା କହିଲେ ବେଙ୍ଗାଲୁରୁରେ ରହୁଥିବା ପରିଚିତ ଓଡ଼ିଆ ମହିଳା।
ୟେ ହେଲା ଓଡ଼ିଆ ଦାଦନ ଶ୍ରମିକଙ୍କୁ ଗାଁରୁ କେରଳରୁ କାମକୁ ପଠାଉଥିବା ବ୍ୟବସ୍ଥା।
ସେ ଆଉ ଏକ ଘଟଣା ବି କହିଲେ। ସେ ଚେନ୍ନଇର କେନ୍ଦ୍ର ଭାଗରେ ଥିବା ମୈଲାପୁର ଅଞ୍ଚଳରେ ଏକ ଛୋଟ ଖାଇବା ପଦାର୍ଥ ଦୋକାନରେ ପଶି ବସି ଦେଖିଲେ, ସେ ୧୫ ଙ୍ଘ୧୦ଫୁଟର ବଖରାରେ ରୋ​‌େ​‌ଷଇ, ବନ୍ଧାବନ୍ଧିକରି ବାହାରକୁ ପଠାଇବାର ଓ ଗ୍ରାହକ ବସି ଖାଇବାର ଜାଗା। କାମ କଲାବାଲା ଚାରିପାଞ୍ଚଜଣ ତରୁଣ। ଜଣେ ତାଙ୍କ ଭିତରୁ କିଛି ଆଣି ଟେବୁଲ ଉପରେ ରଖିଲାରୁ ଭଦ୍ରମହିଳା ‘ଠିକ୍‌ ହୈ’ କହିଲେ। ସେ ତରୁଣ ଚମକିପଡ଼ି ପଚାରିଲା, ‘ଆପଣଙ୍କୁ ହିନ୍ଦୀ ଜଣା?’ ହଁ କହିଲାରୁ କଥା ହେଲା, ସେ ସମସ୍ତେ ଝାଡ଼ଖଣ୍ଡର ପିଲା, ଏ ଦୋକାନରେ ସକାଳୁ ତିନି-ଚାରି ଘଣ୍ଟା ଓ ସନ୍ଧ୍ୟାରେ ତିନି-ଚାରି ଘଣ୍ଟା କାମ କରନ୍ତି। ପୂରା ତାମିଲ୍‌ ଅଞ୍ଚଳରେ ଖାଇବା ଜାଗାରେ ଏ ଅଣ-ତାମିଲ୍‌ ପିଲାଙ୍କୁ କାମ ମିଳିବାର ଏକମାତ୍ର କାରଣ, ତାମିଲ୍‌ଙ୍କ ଅପେକ୍ଷା ବହୁତ କମ୍‌ ମଜୁରି। ଝାଡ଼ଖଣ୍ଡର ଦାଦନ ଶ୍ରମିକ। ମୋର ଜଣେ ପରିଚିତ କେରଳର ଏକ ସ୍ବେଚ୍ଛାସେବୀ ସଂସ୍ଥାର ପରିଚାଳିକା ମତେ କହୁଥିଲେ, ଏବେ ତାଙ୍କ ଆଡ଼େ ବିଲରେ କାମ ପାଇଁ ବଙ୍ଗାଳୀ ମାଇପେ ଭର୍ତ୍ତି।
ମୋର ପରିଚିତ ପଶ୍ଚିମ ମହାରାଷ୍ଟ୍ରର ଜଣେ କଲେଜ ଶିକ୍ଷିକା ମତେ କହିଲେ, ତାଙ୍କ ଆଡ଼େ, ମାନେ ସାଙ୍ଗଲୀ, କୋଲ୍‌ହାପୁର, ସାତାରା, ସୋଲାପୁର, ଲାଟୁର ଇତ୍ୟାଦି ଜିଲାରେ ବିଲରେ, ବିଶେଷତଃ ଆଖୁ ବିଲରେ କାମ କରିବା ପାଇଁ ତେଲଗୁ ମାଇପେ ଓ ମିଣିପେ ବହୁସଂଖ୍ୟାରେ ଆସୁଛନ୍ତି।
ମହାରାଷ୍ଟ୍ର ପୁଣେ ଆଦି ସହରରେ ଘରତୋଳା କାମରେ ଲାଗିଥିବା ମଜୁରିଆଙ୍କ ଭିତରେ ବହୁସଂଖ୍ୟକ ଓଡ଼ିଆ। ଦୁର୍ଘଟଣା ଘଟି ​‌େ​‌କହି ମଲେ ସେ କାମକଲାଲୋକ କେଉଁଠାରେ ଇତ୍ୟାଦି ଖବରରୁ ଜଣାପଡ଼େ। ମତେ ଥରେ ଆଦିବାସୀ ଅଞ୍ଚଳରୁ କେହି ଜଣେ ଏଭଳି ଶ୍ରମିକଙ୍କ ଘରଲୋକେ ତାଙ୍କୁ କହିଲାରୁ ଖୋଜାଖୋଜି ପାଇଁ ଆସିଥିବା କଥା କହିଲେ।
ମହାରାଷ୍ଟ୍ରରେ ଅନ୍ୟ ପ୍ରଦେଶର ଲୋକଙ୍କୁ କାମରେ ନେବାର ବିରୋଧୀ ରାଜନୈତିକ ଦଳ, ଯଥା- ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ), ଶିବସେନା ଇତ୍ୟାଦି କୌଣସି ସହରରେ ଆନ୍ଦୋଳନ ଆରମ୍ଭ କଲେ, ସେଠାର ଘର-କାରଖାନା ତୋଳା କାମ ବନ୍ଦ ପଡ଼େ ଓ ବିହାର, ଉତ୍ତରପ୍ରଦେଶ, ଓଡ଼ିଶାର ଲୋକେ ନିଜ ଗାଁକୁ ପଳାଇଯିବା ଖବର ବାହାରେ। ଚାରି-ଛଅ ମାସ ବନ୍ଦ ପରେ ସେମାନେ ଫେରିଆସିଲେ କାମ ପୁଣି ଆରମ୍ଭ ହୁଏ।
ୟେ ତ ହେଲା ଦାଦନ ଶ୍ରମିକଙ୍କ କଥା। ତାଙ୍କ ଉପରକୁ, କୌଣସି ବିଶେଷ ଜ୍ଞାନଥିବା କାମରେ ବି ବାହାରର ଲୋକେ ପ୍ରଚଣ୍ଡ ସଂଖ୍ୟାରେ। ବେଙ୍ଗାଲୁରୁରେ ବଢ଼େଇକାମରେ ବିହାରୀ ଲୋକେ ବହୁତ ବେଶୀ। ସ୍ଥାନିକଙ୍କ ଅପେକ୍ଷା ସେମାନେ ଭଲ କାମ ଦିନରାତି ଲାଗି କରିପକାନ୍ତି ବୋଲି କାମ କରାଉଥିବା ଲୋକଙ୍କ ମତ।
ମହାରାଷ୍ଟ୍ରରେ ଛୋଟବଡ଼ ସହରରେ ୱେଲ୍ଡିଂ କାମ କଲାବାଲା ପ୍ରାୟ ସମସ୍ତେ ଓଡ଼ିଆବୋଲି ନିଜେ ଶରଦ ପୱାର ତାଙ୍କ ଏକ ଭାଷଣରେ ବହୁଦିନ ତଳେ କହିଥିଲେ। ଏବେ ମୋ ପରିଚିତ କଲେଜ ଶିକ୍ଷିକା ମତେ କହିଲେ, ଦକ୍ଷିଣ ମହାରାଷ୍ଟ୍ରର ସବୁ ଜିଲାରେ, ମାନେ ସାଙ୍ଗଲୀ, କୋଲହାପୁର, ସାତାରା, ସୋଲାପୁର ଆଦିରେ ଗାଁ ଗାଁରେ ଯୋଉଠି ଅଂଗୁର ଚାଷ ସେଠି ଅଙ୍ଗୁର ତୋଳି ତାକୁ ବାକ୍ସରେ ପୂରାଇ ବାହାରକୁ ପଠାଇବା କାମ ଏବେ କେବଳ ବିହାରୀ କରୁଛନ୍ତି। ବିଲରେ ଫଳିଥିବା ଅଙ୍ଗୁରକୁ ଦେଖି କେତେହେବ ତାହାର ଅନୁମାନ କରି ତାହା କେତେ ହିସାବରେ କିଣିବେ ସେ କଥା ଛିଣ୍ଡାଇ ନିଜ ବିହାରୀ ମଜୁରିଆଙ୍କୁ ଆଣି ଅଙ୍ଗୁର କାଢ଼ି (ସେ ବି ଠିକଣାରେ କରିପାରିବାର କାମ) ତାକୁ ବାକ୍ସରେ ପୂରାଇ ଟ୍ରକରେ ବାହାରକୁ, ବାଂଲାଦେଶକୁ ପଠାଇବା ବ୍ୟବସ୍ଥା ଏବେ ପୂରା ବିହାରୀଙ୍କ ହାତରେ ଶୁଣି ମୁଁ କାବା ହେଲି।
ଏ ବାବଦରେ କଲେଜ-ବିଶ୍ବବିଦ୍ୟାଳୟ ଅଧ୍ୟାପକ କଅଣ କରୁଥିବେ ମତେ ଜଣାନାହିଁ। କେହି କେବେ କୌଣସି ଅନୁସନ୍ଧାନ କରିଥିଲେ ତାଙ୍କ ରିପୋର୍ଟ ବିଶ୍ବବିଦ୍ୟାଳୟ ଗ୍ରନ୍ଥାଳୟରେ ବା ଅର୍ଥ ସାହାଯ୍ୟ କରିଥିବା ସଂସ୍ଥାର ଆଲମାରିରେ ଥିବ।
ସରକାର କଅଣ କରିବେ, ନକରିବେ ୟେ ପର କଥା। ଦାଦନ ଶ୍ରମିକ ଯାଉଚନ୍ତି କିପରି, କିଏ ତାଙ୍କୁ ଆଗୁଆ ଟଙ୍କା ଦିଅନ୍ତି, କିପରି, କେତେ ମଜୁରି ଛିଣ୍ଡିଥାଏ, କେତେ ମିଳେ, ଏ ସବୁ ସବିଶେଷ ଖବର ପ୍ରକାଶ ପାଇଲେ ଭିନ୍ନଭିନ୍ନ ଶ୍ରେଣୀର ଲୋକେ ଏ ବାବଦରେ ଟିକିଏ ସଜାଗ ହୁଅନ୍ତେ। ଦାଦନ ଶ୍ରମିକ ଅତି ନିକୁଛ​‌େ​‌ର ବାଟକୁ କେତେ ଟଙ୍କା ଦରକାର ତାହାର ହିସାବ ଆଲୋଚନା କରି ଆଗୁଆ ସର୍ତ୍ତ ରଖନ୍ତେ। ରାଜନୈତିକ ଦଳ ଏମାନଙ୍କ ପାଇଁ ୟୁନିୟନ ଗଢ଼ିବାର ବ୍ୟବସ୍ଥା କରନ୍ତେ। ସରକାର ଏମାନଙ୍କ ଯିବା ଆସିବା ବାବଦରେ ଠିକଣା ବ୍ୟବସ୍ଥା ପାଇଁ ଅଫିସର ରଖି ଲୋକ ଓ ୟୁନିୟନ ସହିତ ଯୋଗସୂତ୍ର ରଖନ୍ତେ। ୟା ଉପରକୁ ଆଉସବୁ, ଯଥା ଆମ ଆଡ଼େ କିଆଁ ଅଙ୍ଗୁର ଚାଷ ନାହିଁ, ଆମ ପିଲେ ଯଦି ସେଠା ଅଙ୍ଗୁର ତୋଳିବା ଜାଣୁଛନ୍ତି ତେବେ ଚାଷ ଶିଖି ଆରମ୍ଭ କରିବା କେତେବେଳେ? କି ପ୍ରକାରର କାମ ଜାଣିଥିଲେ ବାହାରେ କାମ ମିଳିବା ସହଜ ହେବ ଇତ୍ୟାଦି।
ଏବେ ଆଉ ଏକ ପ୍ରକାରର ଓଡ଼ିଆକର୍ମୀ ବାହାରକୁ ଯାଉଛନ୍ତି। ଆଗେ ଗଙ୍ଗାକୂଳରେ ଚଟକଳରେ କାମକରିବା ପାଇଁ ଓଡ଼ିଆ ବହୁସଂଖ୍ୟାରେ ଯାଉଥିଲେ। ମାତ୍ର ସେମାନେ କାମରୁ ନିବୃତ୍ତି ମିଳିବା ପରେ ପ୍ରାୟ ଗାଁକୁ ଫେରି ଆସନ୍ତି। ଏବେ ଓଡ଼ିଶାରୁ, ବିଶେଷକରି ଗଞ୍ଜାମରୁ ପ୍ରାୟ ପାଞ୍ଚଲକ୍ଷ ଓଡ଼ିଆ ଗୁଜରାଟର ସୁରତ ସହରରେ କାମରେ ଅଛନ୍ତି, ଅନେକେ ତାଙ୍କ ପରିବାରକୁ ସାଙ୍ଗରେ ଧରି। ଅଧିକାଂଶ ସେଠାରେ ଘରକଲେଣି। ପାଞ୍ଚ-ଛଅଜଣ ମୁନିସିପାଲିଟିର ନିର୍ବାଚିତ ସଦସ୍ୟ। କେତେବର୍ଷ ତଳେ ସେଠାରେ ମହାମାରୀ ହେତୁ ଅନେକ କାମଛାଡ଼ି ଗାଁକୁ ପଳେଇ ଆସିଥିଲେ। ତାଙ୍କୁ ଆଧାର ଆଶ୍ବାସନା ଦେଇ ଫେରାଇ ନେବାକୁ ସେତେବେଳର ଗୁଜରାଟ ମନ୍ତ୍ରୀ ତାଙ୍କ ଗାଁମାନଙ୍କୁ ଆସିଥିଲେ। ତାଙ୍କ ପାଇଁ ପୁରୀରୁ ସୁରତକୁ ରେଳଗାଡ଼ି ଚାଲୁଚି। ସେମାନେ ସେଠା ପାୱାରଲୁମ୍‌ରେ କାମ କରନ୍ତି। ତାଙ୍କ ପାଇଁ ଓଡ଼ିଶା ସରକାର ସେଠାରେ କିଛି କରିବାର ନାହିଁ। ମାତ୍ର ତାଙ୍କ ଗାଁର ଜମିଜମା ସଂଜାରେ ଦେବା, କାଳକ୍ରମେ ତହିଁରୁ ମୁକୁଳିବା ପାଇଁ ଆଇନ ବ୍ୟବସ୍ଥା ସହଜ ହେବା ଉଚିତ। ହେଲେ, ଜାଣିଲେ ସିନା! କେହି କେବେ ସେ ଗାଁମାନଙ୍କୁ ଯାଇ ରିପୋର୍ଟ ଲେଖିବା ଶୁଣାନାହିଁ। ସେମାନେ ତ ଆମେରିକା ଯାଇଥିବା ଓଡ଼ିଆ ନୁହନ୍ତି। ଜମିଜମାର ସହଜ ବ୍ୟବସ୍ଥା ନହେଲେ କେତେକ ବାହାରକୁ ଯିବାକୁ ବି ଦୋଦୋପାଞ୍ଚ ହେବେ। ସରକାର ତ ତାଙ୍କୁ କାମ ଯୋଗାଇ ପାରିବେନି। ହେଲେ ନିଜ ଉଦ୍ୟମରେ ବାହାରକୁ ଯିବାଟାକୁ ସହଜ କରିପାରନ୍ତେ।
ମାତ୍ର,ଯେତେବେଳେ ଅସଲ ଦାଦନଶ୍ରମିକଙ୍କ ବିଷୟ ଲେଖିବାକୁ କେହି ନାହାନ୍ତି, ଏ ସୁରତ ଯିବାକୁ ବସିଥିବାଙ୍କ କଥା କିଏ ପଚାରେ। ସାମାଜିକ ସୁଧାରଣା ସାମାଜିକ ଧାରଣା ବେଶିତ- ତାହା ସମ୍ବନ୍ଧିତ ଲୋକେ ଏ ବାବଦରେ ଚିନ୍ତିିତ ବୋଲି ସମସ୍ତଙ୍କୁ ଜଣାଇଦିଏ। ନକହିଲେ କୁଳ ଭାସିଯାଉଚି।
ନୀଳକଂଠ ରଥ

kalyan agarbati

Comments are closed.