ଡେଟିଂ ବିଜ୍ଞାପନରେ ଗୋଟିଏ କ୍ଲିକ;ଚଳୁ ହୋଇଗଲା ୧୨.୫୫ଲକ୍ଷ

0

ମୁମ୍ବଇ: ମୁମ୍ବଇ ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଡେଟିଂ ୱେବସାଇଟର ଆଗ୍ରହ ଦେଖାଇବା ବେଶ୍‍ ମହଙ୍ଗା ପଡ଼ିଛି। ମହଙ୍ଗା ଏତେ ଯେ, ବିଚରା କିସ୍ତିରେ ଆଜି ପର୍ଯ୍ୟନ୍ତ ସୁଝୁଛନ୍ତି ୧୨.୫୫ଲକ୍ଷ ଟଙ୍କା। ୨୧ମେ ୨୦୧୮ରେ ବ୍ୟାଙ୍କ କର୍ମଚାରୀ ଜଣକ ଇଣ୍ଟରନେଟରେ କାମ କରୁଥିବାବେଳେ ହଠାତ୍‍ ଏକ ଡେଟିଂ ବିଜ୍ଞାପନ ତାଙ୍କ ଧ୍ୟାନ ଆକୃଷ୍ଟ କରିଥିଲା। ଏ ସମ୍ପର୍କରେ ଅଧିକ ଜାଣିବାର ଉତ୍କଣ୍ଠା ସମ୍ଭାଳି ନପାରି ବ୍ୟକ୍ତି ଜଣକ ନିଜ ନାମ, ଠିକଣା ଓ ମୋବାଇଲ ନମ୍ବର ଓ ଇମେଲ ଏହି ସାଇଟରେ ପ୍ରଦାନ କରିଦେଲେ। କିଛି ସମୟ ମଧ୍ୟରେ ତନୟା ନାମକ ଜଣେ ମହିଳାଙ୍କ ଫୋନ୍‍ ଉକ୍ତ ବ୍ୟକ୍ତିଙ୍କ ମୋବାଇଲକୁ ଆସିଥିଲା। ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କୁ ସୁନ୍ଦରୀ ଯୁବତୀଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେବା ପ୍ରତିବଦଳରେ ତାଙ୍କୁ ଏଥି ନିମନ୍ତେ ଟଙ୍କା ମାଗିଥିଲେ। ତେବେ ଏହି ଟଙ୍କା କେବଳ ସୁରକ୍ଷା ପାଇଁ ବୋଲି ମହିଳା ପ୍ରତିଶ୍ରୁତି ଦେବା ସହ ସାକ୍ଷାତକାର ପରେ ଏହି ଟଙ୍କା ପୁନଶ୍ଚ ବ୍ୟକ୍ତିଙ୍କୁ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କମ୍ପାନୀ ପକ୍ଷରୁ ନୂଆ ଗ୍ରାହକଙ୍କୁ ଏଭଳି ସ୍କିମ୍‍ ଦିଆଯାଉଛି ବୋଲି ମହିଳା ପ୍ରକାଶ କରିଥିଲେ। ମହିଳାଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସ କରି ବ୍ୟକ୍ତିଜଣକ ୩.୪୦ଲକ୍ଷ ଟଙ୍କା ଉକ୍ତ ଡେଟିଂ ସାଇଟକୁ ପ୍ରଦାନ କରିଥିଲେ। ୩ଟି କିସ୍ତିରେ ଏହି ଟଙ୍କା ଦିଆ ଯାଇଥିଲା।
ମେ ୨୩ରେ ୧ଲକ୍ଷ ଶୁଭେନ୍ଦୁ ମଣ୍ଡଳ(କଲକାତା) ନାମରେ ପୈଠ କରିବାକୁ କମ୍ପାନୀ ପକ୍ଷରୁ ବ୍ୟକ୍ତିଙ୍କୁ ନିର୍ଦେଶ ଦିଆଯାଇ ଥିଲା।ଏହି ଟଙ୍କା ପୈଠ କରିବା ପରେ ମିନି ନାମକ ଜଣେ ମହିଳାଙ୍କ ଫୋନ ଆସିଥିଲା। ଏହି ମହିଳା ଆଉ ଜଣେ ଯୁବତୀଙ୍କ ସହ ବ୍ୟକ୍ତିଙ୍କ ବାର୍ତ୍ତାଳାପ କରାଇବା ସହ ମୁମ୍ବଇର ଏକ ପଞ୍ଚ ତାରକା ହୋଟେଲରେ ସାକ୍ଷାତକାର କରିବାର ଦିନ ଧାର୍ଯ୍ୟ କରିଥିଲେ। ମେ ୨୬ରେ ଏଥି ନିମନ୍ତେ ବ୍ୟକ୍ତିଜଣକ ୧.୨୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏହା ପରେ ପୁଣି ଥରେ ଉକ୍ତ ବ୍ୟକ୍ତିଙ୍କ ମୋବାଇଲରେ ଫୋନ ଆସିଥିଲା। ଏଥର ଫୋନ କରିଥିବା ମହିଳା ନିଜକୁ ଡେଟିଂ ସାଇଟର କର୍ମଚାରୀ ପରିଚୟ ଦେଇ ତାଙ୍କୁ କମ୍ପାନୀର ନୂଆ ସ୍କିମ ସମ୍ପର୍କରେ ଅବଗତ କରାଇ ଥିଲେ। ଯଦି ବ୍ୟକ୍ତିଜଣକ ୫.୨୪ଲକ୍ଷ ଟଙ୍କା ପ୍ରଦାନ କରନ୍ତି ତେବେ ସେ ଅଧ୍ୟାବଧି ଦେଇଥିବା ସମସ୍ତ ଟଙ୍କା ଡେଟିଂ ସାଇଟ ପକ୍ଷରୁ ଫେରାଇ ଦିଆଯିବ ବୋଲି ମହିଳା ଜଣକ ସୂଚନା ଦେଇଥିଲେ। ଦେଇଥିବା ଟଙ୍କା ଫେରି ପାଇବାର ସୁଯୋଗ ସାଙ୍ଗକୁ ଡେଟିଂ ସାଇଟର ସ୍କିମର ପ୍ରଲୋଭନରେ ଉପରୋକ୍ତ ଟଙ୍କା ମଧ୍ୟ ପୈଠ କରି ଦେଇଥିଲେ ବ୍ୟକ୍ତିଜଣକ। ଏଭଳି ଗୋଟିଏ ପରେ ଗୋଟିଏ ଫୋନ କଲ ବ୍ୟକ୍ତିଙ୍କ ପାଖକୁ ଆସିବା ସହ ତାଙ୍କୁ ପ୍ରଲୋଭିତ କରି ଟଙ୍କା ନେଇ ଚାଲିଥିଲେ। ମୋଟ୍‍ ୧୦ଲକ୍ଷ ୫୫ହଜାର ପ୍ରଦାନ କରିଥିଲେ ମଧ୍ୟ କାହାରିକୁ ସାକ୍ଷାତ କରିବାର ସୁଯୋଗ ପାଇ ନଥିଲେ ଏହି ବ୍ୟକ୍ତି।
ତ’ ପରେ ଆଉ କୌଣସି ଫୋନ ତାଙ୍କ ନିକଟକୁ ଆସି ନଥିଲା। ବାଧ୍ୟ ହୋଇ ବ୍ୟକ୍ତି ଜଣକ ଉକ୍ତ ଡେଟିଂ ସାଇଟରେ ଉଲ୍ଲେଖୀତ ନମ୍ବର ଓ ଇମେଲରେ ବାରମ୍ବାର ତାଙ୍କ ଟଙ୍କା ଫେରାଇବା ପାଇଁ ତାଗିଦ୍‍ କରିଥିଲେ। କିଛି ଦିନ ପରେ ରିଷି ନାମକ ଜଣେ ବ୍ୟକ୍ତିଙ୍କ ଫୋନ ଉକ୍ତ ବ୍ୟକ୍ତିଙ୍କୁ ଆସିଥିଲା। ବାରମ୍ବାର ତାଙ୍କ କମ୍ପାନୀ ନମ୍ବରକୁ ଫୋନ କରିବା ସହ ଇ-ମେଲ କରିବା ହେତୁ ତାଙ୍କ ନାମରେ ପୁଲିସରେ ଅଭିଯୋଗ କରିବାକୁ ପାଲଟା ଧମକ ଦେଇଥିଲେ ରିଷି। ପୂରା ଟଙ୍କା ଫେରି ପାଇବାକୁ ହେଲେ ଅଧିକ ୨ଲକ୍ଷ ଟଙ୍କା ୱେବସାଇଟ ପ୍ରଦତ୍ତ ଆକାଉଣ୍ଟରେ ନ ପାଠାଇଲେ ଉକ୍ତ ବ୍ୟକ୍ତିଙ୍କ ବିସ୍ତୃତ ବିବରଣୀ ସହ ତାଙ୍କ ଫଟୋକୁ ୱେବସାଇଟରେ ପ୍ରଦର୍ଶିତ କରାଯିବ ବୋଲି ରିଷି ପାଲଟା ଧମକ ଦେଇଥିଲେ। ବାଧ୍ୟ ହୋଇ ବ୍ୟକ୍ତି ଜଣକ ୨ଲକ୍ଷ ଟଙ୍କା ପ୍ରଦାନ କରିବା ପରେ ମଧ୍ୟ ମୋଟ୍‍ ୧୨. ୫୫ହଜାର ଫେରି ପାଇବାର ଆଶା ବାନ୍ଧିଥିଲେ ବ୍ୟକ୍ତି ଜଣକ। ହେଲେ ନା’ ବ୍ୟକ୍ତିଙ୍କ ଆକାଉଣ୍ଟ ଉକ୍ତ ୱେବସାଇଟରୁ ହଟିଲା ନା’ ମିଳିଲା ଦେଇଥିବା ଟଙ୍କା। ଶେଷରେ ବାଧ୍ୟ ହୋଇ ଦାଦର ଥାନାର ଦ୍ୱରସ୍ତ ହୋଇଛନ୍ତି ବ୍ୟକ୍ତି ଜଣକ। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଏଭଳି ଘଟଣାର ତଦନ୍ତ ଆରମ୍ଭ ହୋଇଛି।ଏକ ସଂଗଠିତ ଗ୍ୟାଙ୍ଗ ଏଭଳି ୱେବସାଇଟ ଦ୍ୱାରା ଲୋକଙ୍କୁ ଠକୁଥିବା ପୁଲିସ ସନ୍ଦେହ କରି ତଦନ୍ତ ଚଲାଇଥିବାବେଳେ ବ୍ୟକ୍ତିଜଣକ ୧୨.୫୫ଲକ୍ଷ ଫେରି ପାଇବାର ଅପେକ୍ଷା ଅଛନ୍ତି।

Leave A Reply