ଜାଣିବାର ଅନ୍ଧାରୀ ଦିଗ
ବ୍ରହ୍ମଚାରୀ ସତ୍ୟଚୈତନ୍ୟ
ଅଦରକାରୀ ଜିନିଷକୁ ପିଲାମାନେ ସାଉଣ୍ଟି ଆଣନ୍ତି । ଘରେ ରଖନ୍ତି । ବଡ଼ମାନେ ବାରଣ କରନ୍ତି । ‘ଘର ଅଳିଆ କରନା’ କହି ପୁଣି ଫିଙ୍ଗି ଦିଅନ୍ତି । ଆମ ଭଳି କିଛି ଜାଣିବାଶୁଣିବା ଲୋକ ଘର ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତି । ଆଉ ପିଲାମାନଙ୍କୁ ଅସନା ନହେବାକୁ ପରାମର୍ଶ ଦିଅନ୍ତି । ଅନେକ ଲୋକ ବାହାରକୁ ସିନା ସଫାସୁତର ହୁଅନ୍ତି, କିନ୍ତୁ ମନ ଭିତର ଭାରି ଅଳିଆ କରିଥାଆନ୍ତି । ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା । ତାଙ୍କ ମନ ପୂରା ପରିଷ୍କାର। କେବେ ଦେହ ଧୂଳିଧୂସର ହୁଏ । ଅନେକଙ୍କ ମନକୁ ଅଳିଆ କରୁଥିବା ଉପାଦାନ ଭିତରେ ଗୋଟିଏ ହେଲା, ଅଯଥା ଜାଣିବାର ଇଚ୍ଛା । ଅନ୍ୟ ଜୀବମାନଙ୍କ ଅପେକ୍ଷା ମଣିଷ ବେଶି ଅନୁସନ୍ଧିତ୍ସୁ । କିଛି ଜାଣିବାକୁ ଇଚ୍ଛା କରେ । ଅନ୍ୟ ପଶୁପକ୍ଷୀଙ୍କ ଭିତରେ ଏ ଜିଜ୍ଞାସା ନାହିଁ । ଆମେ ତ ଅନେକ କଥା ଜାଣିବାକୁ ଇଚ୍ଛା କରୁ । ଏହା ଭିତରୁ ବହୁତ ତଥ୍ୟ ଆମ ପାଇଁ ଅଦରକାରୀ। ଅଦରକାରୀ ଜିନିଷ ମନକୁ ଭାରାକ୍ରାନ୍ତ କରେ, ଶାନ୍ତି ହରଣ କରେ । ଯେମିତି ଦେହ ଅପରିଷ୍କାର ହେଲେ ବ୍ୟାଧି ସୃଷ୍ଟି ହୁଏ, ସେମିତି ମନ ଅପରିଷ୍କାର ହେଲେ ଆଧି (ମନର ରୋଗକୁ ‘ଆଧି’ କୁହାଯାଏ) ସୃଷ୍ଟିହୁଏ । କିଛି ଲୋକ ଅଦରକାରୀ ଓ ଅଯଥା ଘଟଣାକୁ ଖୁବ୍ ଆଦର କରନ୍ତି । ଏମିତିକି ଗଣମାଧ୍ୟମରୁ ଦୁର୍ଘଟଣା, ହତ୍ୟା, ଅପମୃତ୍ୟୁ, ଲୁଣ୍ଠନ, ବଳାତ୍କାର ଭଳି ଅନେକ ନକାରାତ୍ମକ ଘଟଣାକୁ ଆଗ୍ରହର ସହିତ ଜଗିଥାଆନ୍ତି। ସବୁତକ ମନରେ ସାଇତି ଥାଆନ୍ତି । ସେଥିପ୍ରତି ଆଉ କାହାର ଆଗ୍ରହ ଥାଉ ବା ନଥାଉ ସୁଯୋଗ ଉଣ୍ଡି ଅନ୍ୟମାନଙ୍କୁ ଶୁଣାନ୍ତି । ନିଜେ ଆଶ୍ବସ୍ତ ହୁଅନ୍ତି। ଅଯଥା ଚିନ୍ତାକୁ ଲୋକେ ନିଜର ଗୋଟାଏ ବଡ଼ କର୍ତ୍ତବ୍ୟ ବା ଦାୟିତ୍ୱ ବୋଲି ଭାବିନେଇଥାଆନ୍ତି । କିଛି କାରଣ ନଥାଇ ନକାରାତ୍ମକ ଘଟଣାକୁ ଖୋଜି ବସନ୍ତି । ଏଥି ପାଇଁ ମୋବାଇଲ୍ ଫୋନ୍ରେ ଅଧିକ ସୁବିଧା ମିଳିଯାଉଚି ।
ମନେକର କାହାର ଗାଡ଼ି ଧକ୍କା ହେଇଚି । ଅଳ୍ପ କେତେ ଜଣ ତାକୁ ସାହାଯ୍ୟ କରୁଥିବେ । ଅନ୍ୟମାନେ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରନ୍ତି- ‘କାହିଁକି, କେମିତି, କୋଉଠି ଧକ୍କା ହେଲା ?’ ଲୋକଟି ବିଚରା ବାରମ୍ବାର ଗୋଟିଏ ଉତ୍ତର ଦେଇଦେଇ ବିରକ୍ତ ହେଇଯାଏ । ଏ ଧରଣର ଲୋକ କିଛି ସାହାଯ୍ୟ କରନ୍ତିନି । ମାତ୍ର ଅଯଥା ଜାଣିବାର ଇଚ୍ଛା ଓ ଅଭ୍ୟାସ ବଶତଃ ସେମାନେ କେବଳ ପଚାରନ୍ତି । ନହେଲେ ଧକ୍କା ସହିତ ସେମାନଙ୍କର କିଛି ଦେଣନେଣ ନଥାଏ । ପଡ଼ିଶାରେ କିଏ ଧନୀହେଲା, କାହା ପିଲାର କେତେ ଦରମା, କାହା ଘରେ ଅଶାନ୍ତି ଲାଗିଛି, କାହାର ଜମିବାଡ଼ି କେତେ, କାହା ସହିତ କାହାର ଅନୈତିକ ସମ୍ପର୍କ, କୋଉ ଝିଅ ଶାଶୂଘରେ ଚଳିପାରୁନି ଇତ୍ୟାଦି ଅନେକ କଥାରେ କିଛି ଲୋକ ମୁଣ୍ଡ ଖେଳାନ୍ତି । ଏମିତିକି ଫୋନ୍ କରି ମଧ୍ୟ ଅଯଥା ତଥ୍ୟ ଯୋଗାଡ଼ କରନ୍ତି । ଯାହା ଜାଣନ୍ତି ତାକୁ କାହା ଆଗରେ ଅଧିକ କରି ଗପିପକାନ୍ତି । ଗୁଡ଼ାଏ ତଥ୍ୟ ମୁଣ୍ଡରେ ରଖନ୍ତି । ଏମିତିକି ଏକାଠି ହେଇ ପରନିନ୍ଦା, ପରଚର୍ଚ୍ଚା କରନ୍ତି । ବୋଧହୁଏ ଭୁଲିଯାଆନ୍ତି, ପଡ଼ିଶା ଘରେ ଘଟୁଥିବା ଘଟଣା ବି ନିଜ ଘରେ ଘଟେ । ନିଜ କଥା ନିଜକୁ ଅସମ୍ଭାଳ । ନିଜ ସମସ୍ୟା ସମାଧାନ କରିବାକୁ ତର ନାହିିଁ । ତଥାପି ଅନ୍ୟର ସମସ୍ୟାକୁ ଧରିରଖନ୍ତି । ମନ ଦେଇ ଶୁଣନ୍ତି । ଅଯଥାରେ ପରାମର୍ଶ ଦିଅନ୍ତି । ଏ ଏକ ଅଭ୍ୟାସ ନୁହେଁ ତ ବଦଭ୍ୟାସ । ଏହା ଦ୍ୱାରା ମନ ଭାରାକ୍ରାନ୍ତ ହେବା ସହିତ ଅଯଥା ସମୟ ବି ନଷ୍ଟହୁଏ । ବିଶେଷ କରି ଦେଖାଯାଏ ବେକାର ହେଇ ବସିଥିବା କିଛି ଲୋକଙ୍କ ଭିତରେ ଏଇ ଦୁଃସ୍ଥ ମାନସିକତା ବଢ଼ିଥାଏ । ଅତୀତରେ ଚା’ ଖଟି, କ୍ଲବ୍ ବା ତୁଠ ଇତ୍ୟାଦିରେ ଲୋକେ ଏକାଠି ହେଇ ଅଯଥା ଚର୍ଚ୍ଚାରେ ମାତୁଥିଲେ । ଏବେ ମଣିଷ ଏକା ଥିଲେ ବି ଗଣମାଧ୍ୟମକୁ ନିଜର କରି ତା’ ସହିତ ଅନାବଶ୍ୟକ ଚର୍ଚ୍ଚାରେ ମାତିଛନ୍ତି, କିନ୍ତୁ ସମାଜରେ କିଛି ହିତୈଷୀ ମଣିଷ ସମୟର ସଦୁପଯୋଗ କରନ୍ତି । ପରନିନ୍ଦା ନକରି ପର ଉପକାର କରନ୍ତି । କିଏ ପଢ଼ାପଢ଼ିରେ ରହନ୍ତି ତ ଆଉ କିଏ ନାନାଦି ସତ୍ଅନୁଷ୍ଠାନରେ ରହନ୍ତି ।
ମନ ସବୁବେଳେ କିଛି ନା କିଛି କରିବାକୁ ଚାହେଁ । ମନ ପାଇଁ ସବୁବେଳେ ସମୟ ଥାଏ । ଚିନ୍ତା କରିବା ପାଇଁ ତା’ର ଦିନ, ରାତି, ବିପଦ, ସମ୍ପଦ କିଛି ବାରଣ ନଥାଏ । ଅସଲ କଥାଟି ହେଲା ତାକୁ ସକାରାତ୍ମକ ଦିଗରେ ନେଲେ ଭଲ କାମ କରେ, ସୁଫଳ ଦିଏ, ଶାନ୍ତ ରହେ । ନାସ୍ତିକ ଭାବନା କଲେ ମନ ଦୂଷିତ ହୁଏ, ବିଷାକ୍ତ ହୁଏ, ଅଶାନ୍ତ ହୁଏ । ତେଣୁ ଘଟଣାଟିଏ ଆମକୁ ଶିକ୍ଷାଦିଏ । ସେ ଘଟଣା ଅନ୍ୟର ହେଉ କି ନିଜର । ବିବେକୀ ମଣିଷଟିଏ ପ୍ରତ୍ୟେକ ଘଟଣାରୁ ସାର ସଂଗ୍ରହକରେ । ଆଗକୁ ଚାଲିବାର ଜୁ ଯୋଗାଡ଼ କରେ। ବୁଦ୍ଧିମାନ ମଣିଷ ଅନ୍ୟର ହିସାବକୁ ନିଜ ଭିତରେ ରଖେନା । ଅଯଥାରେ ବିଶେଷ ଜାଣିବାକୁ ଇଚ୍ଛା କରେନା । ଯେତିକି ଜାଣେ, କାମରେ ଲଗାଏ । ଆମେ ଯେତିକି ଜାଣିଛେ ତହିଁରୁ ଗୋଟିଏ ଅଭିଜ୍ଞତା ସଂଗ୍ରହ କରିବା, ଜୀବନରେ ପ୍ରୟୋଗ କରିବା । ତାହାହେଲେ ଜୀବନର ସ୍ୱାଦ ଚାଖି ପାରିବା । ଅଳିଆ ହେବାକୁ ବ୍ୟଗ୍ର ହଉଥିବା ମନକୁ ଆମେ ବୁଝେଇ ପାରିବା, ଯାହା ଘଟି ଯାଇଛି ତହିଁରେ ଆମର କିଛି କର୍ତ୍ତୃତ୍ୱ ନାହିଁ । ପରୋକ୍ଷ ବା ପ୍ରତ୍ୟକ୍ଷରେ ଯଦି କାହାକୁ ସାହାଯ୍ୟ କରିପାରୁନା ତେବେ ମନରେ ସେ ସମସ୍ୟାକୁ ଯାବୁଡ଼ି ଧରି ଲାଭ ନାହିଁ । ପରମାତ୍ମା ଦେଇଥିବା ସ୍ୱଚ୍ଛ ମନକୁ କଳୁଷିତ କରିବାର ଅଧିକାର ଆମର ନାହିଁ । ଯାହା ଦ୍ୱାରା ଏ ମନ ସୃଷ୍ଟି ତାଙ୍କୁ ହିଁ ସେହି ମନରେ ସ୍ଥାନ ଦିଆଯାଉ। କିଛି ନହେଲେ ତାଙ୍କ ହାତ ଗଢ଼ା ପ୍ରକୃତି ଭିତରେ ବୁଡ଼ିଗଲେ ନିଆରା ଅନୁଭବ ମିଳିବ । ମନରୁ ଅଳିଆ ସଫା ହେଇଯିବ। ଶିଶୁଟି ଭଳି ଶାନ୍ତ, କୋମଳ ହେଇଯିବା ।
ଅସୀମାଲୋକ, ଚହଟା, ବିଡ଼ାନାସୀ, କଟକ- ୧୪