ଉତ୍ପାଦନ ଶୁଳ୍କ କମିବନି: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ତୈଳ ଦର ଯନ୍ତ୍ରଣାରୁ ନିକଟ ଭବିଷ୍ୟତରେ ଉପଭୋକ୍ତାଙ୍କୁ ନିସ୍ତାର ମିଳିବା ଆଶା କ୍ଷୀଣ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଧାର୍ଯ୍ୟ କରାଯାଇଥିବା ଉତ୍ପାଦନ ଶୁଳ୍ପ ହ୍ରାସ ସମ୍ଭାବନାକୁ କେନ୍ଦ୍ର ସରକାର ଅସ୍ୱୀକାର କରିଛନ୍ତି।
ଏବେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର ପ୍ରତିବାଦରେ କଂଗ୍ରେସ ସମେତ ୨୧ଟି ରାଜନୈତିକ ଦଳ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରତିକ୍ରିୟାରେ କେନ୍ଦ୍ର ସରକାରଙ୍କ ଜନୈକ ଅଧିକାରୀ କହିଛନ୍ତି ଯେ ତୈଳ ମୂଲ୍ୟ ବୃଦ୍ଧି ପାଇଁ ଆନ୍ତର୍ଜାତିକ ବଜାର ଓ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଦାୟୀ। ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। ଉପଭୋକ୍ତାମାନେ ଯେତିକି ଇନ୍ଧନ ବ୍ୟବହାର କରିବେ ସେହି ଅନୁଯାୟୀ ସେମାନେ ଟଙ୍କା ଦେବେ। ଇତିମଧ୍ୟରେ କେନ୍ଦ୍ର ସରକାର ଆୟକର ବାବଦରେ ୯୮ ହଜାର କୋଟି ଟଙ୍କା ଓ ଜିଏସ୍ଟି ଲାଗୁ ହେବା ପରେ ୮୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି। ତେଣୁ ତୈଳ ଉପରେ ଶୁଳ୍କ ହ୍ରାସ କରି ଅର୍ଥନୀତି ଉପରେ ଆଉ ଅଧିକ ଚାପ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି।
ପେଟ୍ରୋଲ୍ ଓ ଡିଜେଲ୍ରୁ ସର୍ବାଧିକ ରାଜସ୍ୱ ମିଳୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶୁଳ୍କ ହ୍ରାସ କରିବା ସପକ୍ଷରେ ନାହାନ୍ତି। ତୈଳ ମୂଲ୍ୟରେ ଲିଟର ପିଛା ୧ ଟଙ୍କା ଶୁଳ୍କ ହ୍ରାସ ଘଟିଲେ କେନ୍ଦ୍ର ରାଜକୋଷର ୩୦ ହଜାର କୋଟି ଟଙ୍କା କ୍ଷତି ହେବ। ତେଣୁ ଏତେ ପରିମାଣର କ୍ଷତିକୁ ପାଇଁ ସରକାର ପ୍ରସ୍ତୁତ ନାହାନ୍ତି।
ଅଗଷ୍ଟ ମଧ୍ୟଭାଗରୁ ଏ ପର୍ଯ୍ୟନ୍ତ ପେଟ୍ରୋଲ୍ରେ ଲିଟର ପିଛା ୩.୬୫ ଟଙ୍କା ଓ ଡିଜେଲ୍ରେ ଲିଟର ପିଛା ୪.୦୬ ଟଙ୍କା ବୃଦ୍ଧି ଘଟିଛି। କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବାବଦରେ ପେଟ୍ରୋଲ୍ରେ ଲିଟର ପିଛା ୧୯.୪୮ ଟଙ୍କା ଓ ଡିଜେଳ୍ରେ ଲିଟର ପିଛା ୧୫.୩୩ ଟଙ୍କା ଆଦାୟ କରୁଛନ୍ତି। ଗତ ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ କେନ୍ଦ୍ର ସରକାର ୯ ଥରରେ ଉତ୍ପାଦନ ଶୁଳ୍କ ପେଟ୍ରୋଲ୍ ଓ ଡିଜେଲ୍ରେ ଯଥାକ୍ରମେ ୧୧.୭୭ ଟଙ୍କା ଓ ୧୩.୪୭ ଟଙ୍କା ବୃଦ୍ଧି କରିଥିବା ବେଳେ ଗତ ବର୍ଷ ଅକ୍ଟୋବର ମାସରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ। ଏହାଉପରେ ରାଜ୍ୟ ସରକାରମାନେ ସେମାନଙ୍କ ନିଜସ୍ୱ ରାଜସ୍ୱ ନୀତି ଆଧାରରେ ଭ୍ୟାଟ୍ ଲାଗୁ କରିଛନ୍ତି। ଭାଟ ଆକାରରେ ମୁମ୍ବଇ ସର୍ବାଧିକ ୩୯.୧୨ ଟଙ୍କା ଆଦାୟ କରୁଥିବା ବେଳେ ଆଣ୍ଡାମାନ୍ ସର୍ବନିମ୍ନ ୬ ଟଙ୍କା ଆଦାୟ କରୁଛି।