ଆପଲ୍ କମ୍ପାନୀ କେଡ଼େ ବଡ଼ ଓ କିମିତି ବଡ଼?
କିଛିଦିନ ତଳେ ଆମେରିକାର ଆପଲ୍ କମ୍ପାନୀ ଆମେରିକାରେ- ତେଣୁ ଜଗତରେ- ମୂଳଧନ ଭାଗର ବଜାର ଦର ହିସାବରେ ସର୍ବବୃହତ କଂପାନୀ ବୋଲି ଖବର ପ୍ରକାଶ ପାଇଲା। କେଡ଼େ ବଡ଼? ଏହାର ମୂଳଧନ ଭାଗସମୂହର ବଜାର ମୂଲ୍ୟ ଏକ ଟ୍ରିଲିଅନ୍ ଡଲାର। ମାନେ କେତେ? ଟ୍ରିଲିଅନ୍ମାନେ ହଜାରେ ବିଲିଅନ୍। ବିଲିଅନ୍ମାନେ ହଜାରେ ନିୟୁତ ଅର୍ଥାତ୍ ଶହେକୋଟି ବା ଏକ ଅବ୍ଦ। ଏକ ଟ୍ରିଲିଅନ ମାନେ ହଜାର ଅବ୍ଦ ମାନେ ଏକ ଲକ୍ଷ କୋଟି। ୟେ ହେଲା ଡଲାର ହିସାବ। ଟଙ୍କାରେ ଜାଣିବାକୁ ହେଲେ ୬୯ରେ ଗୁଣନ୍ତୁ-୬୯ ଲକ୍ଷ କୋଟି।
ଆପଲ୍ କମ୍ପାନୀର ଭାଗ ମୂଳଧନର ବଜାର ମୂଲ୍ୟ ସହିତ ପ୍ରାୟ ସମାନ ହେବ ଆମେରିକାର ଚାରିଟି ସର୍ବବୃହତ୍ ବ୍ୟାଙ୍କର ମୋଟ ଭାଗ ମୂଳଧନ ବା ପୃଥିବୀର ସବୁ ଉଡ଼ାଜାହାଜ କମ୍ପାନୀ ଓ ସବୁ ଉଡ଼ାଜାହାଜ ତିଆରି କରୁଥିବା କମ୍ପାନୀଙ୍କର ମୋଟ ମୂଳଧନ ଭାଗର ବଜାର ମୂଲ୍ୟ। ଅନ୍ଦାଜ ନ ପାଇଲେ ଚିନ୍ତା ନାହିଁ।
ଆପଲ୍ କମ୍ପାନୀ ପ୍ରାୟ ଚାଳିଶ ବର୍ଷ ତଳେ କମ୍ପ୍ୟୁଟର ଓ ତାହାର ବ୍ୟବହାରର ଭାଷା ତିଆରି ଆରମ୍ଭ କଲା। ମାତ୍ର କ୍ରମେ ଏହା କମ୍ପ୍ୟୁଟରରୁ ମୋବାଇଲ ଟେଲିଫୋନ ତିଆରିରେ ପ୍ରବେଶ କଲା। ଆଜି ତାହା ପୃଥିବୀର ସବୁଠାରୁ ମହରଗିଆ ଓ ଲାଭଦାୟକ ଟେଲିଫୋନ୍ ବିକୁଥିବା କମ୍ପାନୀ। ତା’ର ଆଇ-ଫୋନ୍ର ମୋଟ ବିକ୍ରି ଦୁନିଆରେ ସବୁ ସେ ପ୍ରକାରର ଫୋନ୍ର କେବଳ ଅଠର ଶତାଂଶ। ମାତ୍ର ସବୁ ସ୍ମାର୍ଟଫୋନ୍ କମ୍ପାନୀଙ୍କ ମୋଟ ଲାଭର ନବେ ଶତାଂଶ ଆପଲ୍ର।
କମ୍ପାନୀର ସବୁ ଫୋନ ଚୀନରେ ତିଆରି ହୁଏ। ସାଂଘାଇ ନିକଟସ୍ଥ ପେଗାଟ୍ରନ୍ କମ୍ପାନୀରେ ଏକା ସମୟରେ ପଚାଶହଜାର ଲୋକ କାମ କରନ୍ତି। ଆଉ ଗୋଟିଏ କାରଖାନା ଜେଂଗଝୁ ସହରର ଫକ୍ସକମ୍ କାରଖାନା। ଏଠାରେ ପ୍ରତିଦିନ ପାଞ୍ଚଲକ୍ଷ ଆଇ-ଫୋନ୍ ତିଆରି ହୁଏ। ଏ ସବୁ କାରଖାନାର କାମ ଗୁପ୍ତରେ ଚାଲେ। ଶ୍ରମିକମାନେ ସପ୍ତାହରେ ଷାଠିଏ ଘଣ୍ଟା କାମ କରନ୍ତି। ତାଙ୍କ ମଜୁରି ଘଣ୍ଟାକୁ ଦୁଇରୁ ତିନି ଡଲାର ଭିତରେ- ଅଧିକ ବେଳ କାମର ପାଉଣା ସମେତ। ସେମାନେ ପ୍ରତିଦିନ କାମପାଳିକୁ ଆସିଲାବେଳେ ସେମାନଙ୍କ ମୁହଁର ନିରୀକ୍ଷଣ କରାଯାଏ ଓ କାମରେ ଲାଗିବା ଆଗରୁ ସୈନ୍ୟଙ୍କ ଭଳି ଲମ୍ବା ଧାଡ଼ିରେ ଠିଆହୋଇ ଯିବାକୁ ପଡ଼େ। କାମ ଏକାଧାରରେ ବାର ଘଣ୍ଟାର। ସେମାନେ ରହୁଥିବା ‘ଚାଳି’ରେ ବଡ଼ବଡ଼ ହଲ୍ ଅଛି ଯେଉଁଠାରେ ସେମାନେ ଶୁଅନ୍ତି। କାଳେ ଡେଇଁପଡ଼ି ଆତ୍ମହତ୍ୟା କରିବେ ଭୟରେ କୋଠା ଚାରିପଟେ ବଡ଼ବଡ଼ ଜାଲ ଲଗାଯାଇଥାଏ, ଛାତ ଉପରୁ ଡେଇଁ ପଡ଼ିଲେ ତହିଁରେ ଧରାହେବେ।
କାରଖାନାରେ କାମ ମାନେ ଦୁନିଆର ବିଭିନ୍ନ ଦେଶରୁ ଦି’ ଶହ କାରଖାନାରୁ ଉତ୍ପାଦିତ ଟେଲିଫୋନ୍ର ଯାନ୍ତ୍ରିକ ଓ ତାନ୍ତ୍ରିକ ଅଂଶ ସବୁକୁ ଯୋଡି ପୂର୍ଣ୍ଣ ଟେଲିଫୋନ ତିଆରି କରିବା। ଚୀନରେ ଥିବା ପ୍ରତ୍ୟେକ କାରଖାନାରେ ପ୍ରତି ମିନିଟ୍େର ଏପରି ତିନିଶହ ଆଇ-ଫୋନ୍ ତିଅାରି ହୁଏ।
ଚୀନରେ ତିଆରି ଫୋନ୍ର ଚାରିଭାଗରୁ ତିନିଭାଗ ବିଦେଶକୁ ରପ୍ତାନୀ ହୁଏ। ଆମେରିକାକୁ ଯାଉଥିବା ଫୋନ୍ ଆଲାସ୍କା ବାଟେ କେଣ୍ଟକିର ଲୁଇଭିଲ୍ ସହରକୁ ଯାଇ ସେଠାରୁ ସବୁ ଜାଗାକୁ ପଠାଯାଏ। ଏ ସବୁ ଜାଗାରେ ଶ୍ରମିକଙ୍କ ମଜୁରି ୯ରୁ ୧୫ ଡଲାର ଭିତରେ। ଖୁଚୁରାରେ ତିନିଶହ ଡଲାରରେ ଟେଲିଫୋନ ବିକାଯାଏ। ଟେଲିଫୋନ୍ କମ୍ପାନୀର ମୁଖ୍ୟ ଅଫିସ୍ ମାତ୍ର ଆୟରଲ୍ୟାଣ୍ଡରେ, କାରଣ ସେ ଦେଶରେ କମ୍ପାନୀ ଆୟ ଉପରେ ଟିକସର ହାର ସବୁଠାରୁ କମ୍।
୨୦୦୯ ଠାରୁ ଆପଲ୍ର ମୋଟ ବିକ୍ରି ଦଶଗୁଣ ବଢ଼ିଚି। ମାତ୍ର ତାହାର ଲାଭ ସେତିକି ବର୍ଷ ଭିତରେ ଅଠରଗୁଣ ବଢ଼ିଚି। ୨୦୦୯ରେ ଆପଲ୍ କମ୍ପାନୀର ମୂଳଧନ ଭାଗର ବଜାର ମୂଲ୍ୟ ଥିଲା ଏଗାର ଡଲାର। ଗତ ସପ୍ତାହରେ ତାହା ହେଲା ୨୦୭ ଡଲାର। ତେଣେ ସେଇ ସମୟ ଭିତରେ ଆମେରିକାର ସବୁ କମ୍ପାନୀଙ୍କର ହାରାହାରି ପ୍ରତି ମୂଳଧନ ଭାଗର ବଜାର ଦାମ୍ ବଢ଼ିଛି ମାତ୍ର ଚାରିଗୁଣ। ଗଲା ବର୍ଷ ଭିତରେ ଶ୍ରମିକଙ୍କ ମଜୁରି, ଖାଉଟି ଦାମ୍ ବୃଦ୍ଧିକୁ ହିସାବକୁ ନେଲେ, କମିଚି ୦.୦୨ ଶତାଂଶ। ଆଉ ସେଇ ବର୍ଷ ଭିତରେ ଭାଗଧାରକଙ୍କ ଲାଭ ବଢ଼ିଚି କୋଡ଼ିଏ ଶତାଂଶ।
ଶ୍ରମିକ ମଜୁରି କିଆଁ ବଢ଼ୁନି ବୋଲି ପଚାରିଲେ ଉତ୍ତର ମିଳେ, କମ୍ପାନୀ ପାଖରେ ଅର୍ଥର ଅଭାବ। ମାତ୍ର, ତେଣେ, କମ୍ପାନୀ ପାଖରେ ଏତେ ନଗଦ ଅର୍ଥ ଥିଲା ଯେ ଗତବର୍ଷ ଛଅମାସ ଭିତରେ କମ୍ପାନୀ ଭାଗଧାରକଙ୍କ ପାଖରେ ଥିବା ଭାଗ ଭିତରୁ ସାଢ଼େ ଛୟାଳିଶ ଅବ୍ଜ ଡଲାର ମୂଲ୍ୟର ମୂଳଧନ ଭାଗ କିଣିପକାଇଛି। ଫଳରେ ଅପେକ୍ଷାକୃତ କମ୍ ଭାଗଧାରକଙ୍କ ଭାଗରେ ପରବର୍ଷ ଆଡ଼କୁ କମ୍ପାନୀର ଲାଭ ବଣ୍ଟାହେବ। ତା’ବାଦ୍ କମ୍ପାନୀ ପାଖରେ ଖାଲି ଟଙ୍କା ଜମା ଅଛି ଅଢ଼େଇଶ କୋଟି ଡଲାର। ଆପଲ୍ କମ୍ପାନୀର ମୁଖ୍ୟ ଭାଗଧାରକ ହେଲେ ଆମେରିକାରେ ଧନୀଙ୍କ ଟଙ୍କା ବିନିଯୋଗ କରୁଥିବା ଚାରିଟି ବଡ଼ ସଂସ୍ଥା। ଏ ସଂସ୍ଥାମାନେ ଦେଶର କେତେକ ଅର୍ବୁଦପତିଙ୍କ ଟଙ୍କା କିପରି ବେଶି ଲାଭଦାୟକ କମ୍ପାନୀରେ ବିନିଯୋଗ ହେବ ତାହା ଦେଖନ୍ତି।
ଆମେ ବିଚାରୁ, ଆପଲ, ମାଇକ୍ରୋସଫ୍ଟ ଇତ୍ୟାଦିଙ୍କ ଭଳି ବିରାଟ କମ୍ପାନୀସବୁ ନିଜ ଗବେଷଣାଗାରରେ ପ୍ରଗତି ତନ୍ତ୍ରର ଉଦ୍ଭାବନ କରି ତାହା ବଜାରକୁ ଆଣିବା ଫଳରେ ତାଙ୍କ ଲାଭ ଏତେ। ମାତ୍ର, ବସ୍ତୁସ୍ଥିତି ଭିନ୍ନ। ଏ କମ୍ପାନୀ ବ୍ୟବହାର କରୁଥିବା ସବୁ ତନ୍ତ୍ର ସରକାରୀ ଅନୁଦାନରେ ବିଶ୍ବବିଦ୍ୟାଳୟ ଓ ଅନ୍ୟ ଗବେଷଣା ସଂସ୍ଥାରେ ହୋଇଥିବା ଗବେଷଣାର ପରିଣାମ। ଆଧୁନିକ ପୁଞ୍ଜି ବ୍ୟବସାୟ ଏହିପରି ଚାଲେ। ଅଳ୍ପ ଲୋକଙ୍କପାଇଁ ପ୍ରଚଣ୍ଡ ଲାଭ ଓ କ୍ରମେ ସଂଖ୍ୟାରେ କମି ଯାଉଥିବା ଶ୍ରମିକଙ୍କ ଅପରିବର୍ତ୍ତିତ ମଜୁରି/ ବେତନ, ଏହାହିଁ ଆଜିର ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ସ୍ବରୂପ।
(ଇଣ୍ଟରନେଟ୍ରୁ ପ୍ରାପ୍ତ ତଥ୍ୟ ଆଧାରରେ ପ୍ରସ୍ତୁତ)