ଅନାହାରରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ କର୍ଲାକୋଟ ପଞ୍ଚାୟତର ସର୍ଗିମୁଣ୍ଡା ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବକ ଅନାହାରରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ସେ ଦୀର୍ଘ ୪ ଦିନ ହେବ ଖାଇବାକୁ ନପାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ନୂଆପଡା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ, ସର୍ଗିମୁଣ୍ଡା ଗ୍ରାମର ନିଃସହାୟ ଭଉଣୀ ଦେବନ୍ତୀ ବେହେରା(୨୨) ଏବଂ ଭାଇ ଗୌତମ ବେହେରା(୧୮) ରହୁଥିଲେ। ଗୌତମ ଭିନ୍ନକ୍ଷମ ହୋଇଥିବା ବେଳେ ୩ ଚକିଆ ଟ୍ରାଇ ସାଇକେଲରେ ଘର ଘର ବୁଲି ଭିକ ମାଗି ଭାଇ ଭଉଣୀ ଚଳୁଥିଲେ। ଏନେଇ ଇତିପୂର୍ବେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତରଫରୁ ଗୌତମ ଏବଂ ଦେବନ୍ତୀଙ୍କୁ ୧୦ କେଜି ଚାଉଳ ଏବଂ ଗୌତମଙ୍କୁ ୫ ଶହ ଟଙ୍କା ଲେଖାଏଁ ଦିଆଗଲା। ପରେ ଗୌତମ ରୋଗରେ ଆକ୍ରାନ୍ତ ହୋଇ ସର୍ଯ୍ୟାସାୟୀ ହେଲେ। ଭଉଣୀ ଗୌତମଙ୍କୁ ନୂଆପଡା ଜିଲା ମୂଖ୍ୟ ଚିକିତ୍ସାଳୟକୁ ନେଇ ୩ ମାସ ଧରି ଚିକିତ୍ସା କରାଇଥିଲେ। କିନ୍ତୁ ଗୌତମଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ବଦଳରେ ଦିନକୁ ଦିନ ଅବନତି ହେବାକୁ ବସିଥିଲା। ଫଳରେ ନୂଆପଡା ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପରାମର୍ଶ ଦେଲେ। କିନ୍ତୁ ଦାରିଦ୍ର୍ୟତା ଯୋଗୁଁ ଦେବନ୍ତୀ ଭାଇକୁ କଟକ ବଡ ମେଡିକାଲ ନେବା ବଦଳରେ ନିଜ ଘରକୁ ଆଣି ରଖିଥିଲେ। ଅସୁସ୍ଥତା ଯୋଗୁଁ ଗୌତମ ଆଉ ଭିକ ମାଗିବାକୁ ଯାଇ ପାରିଲେ ନାହିଁ। ଗତ ମାସ ଗୌତମଙ୍କ ଭତ୍ତା ୫ ଶହ ଟଙ୍କାରେ ଔଷଧ କିଣିଥିଲେ। ଗତ ମଇ ମାସ ୨୬ ତାରିଖ ଦିନ ୨ ମାସର ଚାଉଳ ୨୦ କେଜି ମିଳିଥିଲା। ବର୍ତ୍ତମାନ ଦେଢମାସ ହେବ ସେମାନଙ୍କୁ ଚାଉଳ ମିଳିନାହିଁ। ଫଳରେ ଭିକ ମାଗିବା ବନ୍ଦ ସହ ଚାଉଳ ମିଳିବା ବନ୍ଦ ହେବାରୁ ଗତ ୪ ଦିନ ହେବ ସେମାନେ ରୋଷେଇ କରିବାରୁ ନଥିବାରୁ ଭୋକ ଉପାଷରେ ରହି ଆସୁଥିଲେ। ଫଳରେ ସୋମବାର ରାତ୍ରରେ ଗୌତମଙ୍କର ମୃତ୍ୟୁ ହୋଇଥିବା ନେଇ ଭଉଣୀ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ବୋଡେନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଯୋଗାଯୋଗ କରାଯିବାରୁ ଏହା ଅନାହାର ମୃତ୍ୟୁ ନୁହେଁ, ସେ ଦୀର୍ଘ ଦିନରୁ ବିଭିନ୍ନ ରୋଗରେ ପିଡିତ ରହିଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ। ମୁଁ ମଧ୍ୟ ଗତ ୧ ମାସ ତଳେ ଗାଁକୁ ଯାଇ ସାକ୍ଷାତ କରିଥିଲି, ଗ୍ରାମବାସୀ ମଧ୍ୟ ଖାଇବାକୁ ଦେଉଥିଲେ। ଗୌତମଙ୍କୁ ଭତ୍ତା ଯୋଜନାରେ ସାମିଲ କରି ୫ ଶହ ଟଙ୍କା ଦିଆଯାଉଛି। ଭଉଣୀଙ୍କ ନାମରେ ରାସନ କାର୍ଡ ମଧ୍ୟ ରହିଛି। ତାଙ୍କର ବାପା ଦ୍ୱିତୀୟ ବିବାହ କରି ସେମାନଙ୍କୁ ଅଲଗା କରି ଦେଇଥିବା ନେଇ ସୂଚନା ଦେଇ ଅନାହାର ମୃତ୍ୟୁ ହୋଇନାହିଁ ବୋଲି ପ୍ରକାଶ କରିଥିଲେ।

kalyan agarbati

Comments are closed.