ଇସ୍ତଫା ଦେଲେ ୟେଦୁରପ୍ପା

0

ବେଙ୍ଗାଲୁର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍‌ ୟେଦୁରପ୍ପା ଇସ୍ତଫା ଦେଇଛନ୍ତି । ଏହା ସହ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକର ଏକ ପ୍ରକାର ଅନ୍ତ ହୋଇଛି ।  କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳି ନ ଥିଲା । ଏହାପରେ ରାଜ୍ୟପାଳ ବିଜେପିକୁ ସର୍ବ ବୃହତ ଦଳ ଭାବେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ ।

କର୍ଣ୍ଣାଟକରେ ମୋଟ୍‍ ୨୨୪ଟି ଆସନ ମଧ୍ୟରୁ ୨୨୨ଟିରେ ନିର୍ବାଚନ ହୋଇଥିଲା। ଜେଡିଏସର କୁମାର ସ୍ୱାମୀ ୨ଟି ଆସନ ଜିତିଥିଲେ। ଫଳରେ ମୋଟ୍‍ ବିଧାୟକଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଥିଲା। ଫଳରେ ମ୍ୟାଜିକ ନମ୍ବର ୧୧୧ରେ ସୀମିତ ରହିଛି। ବିଜେପି ପାଖରେ ୧୦୪ଜଣ ବିଧାୟକ ରହିଛନ୍ତି। ଅଥଚ କଂଗ୍ରେସ ପାଖରେ ୭୮ ଓ ଜେଡିଏସ ପାଖରେ ୩୭ବିଧାୟକ ରହିଛନ୍ତି। ଏହା ବ୍ୟତୀତ ୨ ନିର୍ଦଳୀୟ ବିଧାୟକ ମଧ୍ୟ ରହିଛନ୍ତି।

ୟେଦୁରପ୍ପାଙ୍କ ଶପଥ ଗ୍ରହଣକୁ ଉପରେ ସ୍ଥଗିତାଦେଶ ପାଇଁ କଂଗ୍ରେସ ଓ ଜେଡିଏସ୍‍ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରାତିତମାମ୍‍ ଶୁଣାଣି ପରେ ଉଭୟ ଦଳର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରାୟ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। କିନ୍ତୁ ଗୋଆ, ମଣିପୁରର ଉଦାହରଣ ଦେଇ କଂଗ୍ରେସ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆବେଦନକୁ ଗ୍ରହଣ କରି ଶୁକ୍ରବାର ପୂର୍ବାହ୍ନ ୧୦ଟା.୩୦ରୁ ଶୁଣାଣି ଆରମ୍ଭ ହୋଇଥିଲା। ୟେଦୁରପ୍ପା କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଲେଖିଥିବା ଦୁଇଟି ଯାକ ଚିଠି ଉପସ୍ଥାପନ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ୟେଦୁରପ୍ପାଙ୍କ ପକ୍ଷରୁ ସରକାରୀ ଓକିଲ ମୁକୁଲ ରୋହତଗୀ ମାମଲା  ପରିଚାଳନା କରୁଥିବା ବେଳେ ଅଭିଷେକ ମନୁ ସିଂଘ୍‍ଭି କଂଗ୍ରେସ ଓ ଜେଡିଏସ୍‍ ପକ୍ଷରୁ ମାମଲା ପରିଚାଳନା କରୁଥିଲେ । ଶନିବାରରେ ଶକ୍ତିପରୀକ୍ଷା ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ବାଚସ୍ପତି ନିଯୁକ୍ତିକୁ ନେଇ ଜେଡିଏସ୍‌ ଓ କଂଗ୍ରେସ ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ଶନିବାର ପୂର୍ବାହ୍ନରେ ଅଦାଲତ ଏହାର ଶୁଣାଣୀ କରିଥିଲେ । ବାଚସ୍ପତିଙ୍କ ନିଯୁକ୍ତିକୁ କାଏମ୍‌ ରଖିବା ସହ ମାମଲାକୁ ଖାରଜ କରିଦେଇଥିଲେ ।

କର୍ଣ୍ଣାଟକ ବିଧାନସଭାରେ ବିଧାୟକମାନେ ଶପଥ ଗ୍ରହଣ କରିବା ପରେ ୟେଦୁରପ୍ପା ଏକ ଛୋଟ ଭାଷଣ ଦେବାପରେ ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ । ଏହାପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

Leave A Reply