ମହିଳା ପ୍ରିମିୟର ଲିଗ୍ : ଆର୍ସିବିକୁ ସହଜରେ ହରାଇଲା ଦିଲ୍ଲୀ
ଶେଫାଳି, ଲାନିଙ୍ଗ୍ଙ୍କ ବିସ୍ଫୋରକ ବ୍ୟାଟିଂ; ନରିସ୍ଙ୍କୁ ୫ ୱିକେଟ
ମୁମ୍ବଇ : ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ କ୍ରମାଗତ ୨ୟ ମ୍ୟାଚ୍ରେ ଭାରତୀୟ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ଶନିବାର ଉଦ୍ଘାଟନୀ ମ୍ୟାଚ୍ରେ ମୁମ୍ବଇ ଇଣ୍ଡିଆନ୍ସ ଅଧିନାୟିକା ହରମନପ୍ରୀତ କୌର ବିସ୍ଫୋରକ ୬୫ ରନ୍ କରିଥିବା ବେଳେ ରବିବାର ୨ୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓପ୍ନର ଶେଫାଳି ବର୍ମା ବିସ୍ଫୋରକ ୮୪ ରନ୍ କରିଛନ୍ତି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସହଜ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୬୦ ରନ୍ରେ ଦିଲ୍ଲୀ ପରାସ୍ତକରି ୨ ପଏଣ୍ଟ ପାଇ ଖାତା ଖୋଲିଛି। ଶେଫାଳି ଓ ମେଗ୍ ଲାନିଙ୍ଗ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ କ୍ୟାପିଟାଲସ ୨୦ ଓଭରରେ ୨ ୱିକେଟରେ ୨୨୩ ରନ୍ କରିଥିଲା। ଡବ୍ଲ୍ୟୁପିଏଲ୍ର କ୍ରମାଗତ ୨ୟ ମ୍ୟାଚ୍ରେ ୨ ଶହରୁ ଅଧିକ ରନ୍ ଦେଖିବାକୁ ମିଳିଛି। ୨୨୪ ରନ୍ର ପିଛାକରି ଆର୍ସିବି ୮ ୱିକେଟରେ ୧୬୩ ରନ୍ କରି ପାରିଥିଲା।
୨୨୪ ରନ୍ ଲକ୍ଷ୍ୟରେ ଆର୍ସିବି ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍ ୩ଟି ଚୌକା ସହ ୧୪ ରନ୍କରି ଶେଫାଳି ବର୍ମାଙ୍କ ଦର୍ଶନୀୟ କ୍ୟାଚ୍ରେ ଆଉଟ୍ ହୋଇଥିଲେ। ଅଧିନାୟିକା ସ୍ମୃତି ମାନ୍ଧାନା ୨୩ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୫ ରନ୍କରି ବିଦାୟ ନେଇଥିଲେ। ଅଷ୍ଟ୍ରେଲୀୟ ଏଲିଜ୍ ପେରି ଆକ୍ରମଣ କରି ୧୯ ବଲ୍ରୁ ୫ଟି ଚୌକା ସହ ୩୧ ରନ୍ କରିଥିଲେ। ରିଚା ଘୋଷ ୨ ରନ୍ କରିଥିଲେ। ଇଂଲଣ୍ଡ ଅଧିନାୟିକା ହେଦର ନାଇଟ୍ ୨୧ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍ କରିଥିଲେ। ଅନ୍ୟ ଅଷ୍ଟ୍ରେଲୀୟ ମେଗାନ୍ ସ୍କଟ୍ ୧୯ ବଲ୍ରୁ ୫ଟି ଚୌକା ସହ ୩୦ ରନ୍କରି ଅପରାଜିତ ଥିଲେ। ଆମେରିକାର ବାମହାତି ତାରା ନରିସ୍ ୫ଟି ଏବଂ ଆଲିସ୍ କାପ୍ସି ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ଆର୍ସିବି ଫିଲ୍ଡିଂ ନେବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପ୍ନର ଶେଫାଳି ବର୍ମା ଓ ମେଗ୍ ଲାନିଙ୍ଗ୍ ଆରମ୍ଭରୁ ଆକ୍ରମଣ କରିଥିଲେ। ଦୁହେଁ ଓଭର ପିଛା ୧୧ରୁ ଅଧିକ ହାରରେ ସ୍କୋର୍ କରିଥିଲେ। ଶେଫାଳି ୩୧ ବଲ୍ରୁ ଓ ଅଷ୍ଟ୍ରେଲିଆ ଅଧିନାୟିକା ଲାନିଙ୍ଗ୍ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୪.୩ ଓଭରରେ ୧୬୧ ରନ୍ର ଓପ୍ନିଂ ଭାଗିଦାରୀ ପରେ ମେଗ୍ ଲାନିଙ୍ଗ୍ ଆଉଟ୍ ହୋଇଥଲେ। ଲାନିଙ୍ଗ୍ ୪୩ ବଲ୍ରୁ ୧୪ଟି ଚୌକା ସହ ୭୨ ରନ୍ କରିଥିଲେ। ୨ଟି ବଲ୍ ପରେ ଶେଫାଳି ୪୫ ବଲ୍ରୁ ୪ଟି ଛକା ଓ ୧୦ଟି ଚୌକା ସହ ବିସ୍ଫୋରକ ୮୪ ରନ୍କରି ବିଦାୟ ନେଇଥିଲେ। ଆଉ ୱିକେଟ୍ ପଡ଼ିନଥିଲା। ମାରିଜାନ୍ କାପ୍ ଓ ଜେମିମା ରଡ୍ରିେଗ୍ବଜ୍ ୩୧ ବଲ୍ରୁ ୬୦ ରନ୍ ଯୋଡ଼ିଥିଲେ। ଦକ୍ଷିଣ ଆଫ୍ରିକାର କାପ୍ ୧୭ ବଲ୍ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୩୯ ଏବଂ ଜେମିମା ୧୫ ବଲ୍ରୁ ୩ଟି ଚୌକା ସହ ୨୨ ରନ୍ କରିଥିଲେ। ହେଦର ନାଇଟ୍ ଉଭୟ ୱିକେଟ ନେଇଥିଲେ। ତାରା ନରିସ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.