www.samajalive.in
Sunday, December 7, 2025
16.1 C
Bhubaneswar

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କ ଭୂମିକା ଅତୁଳନୀୟ: କୁଳପତି

ଭୁବନେଶ୍ବର : ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଦିବାସୀ ଓ ଜନଜାତି ଏକ ଅଭିନ୍ନ ଅଂଶ। ସେମାନଙ୍କର ସଂସ୍କୃତି, ପରମ୍ପରା, ମୂଲ୍ୟବୋଧ, କଳା, କୌଶଳ ମାଧ୍ୟମରେ ଭାରତୀୟ ସାମାଜିକ ବ୍ୟବସ୍ଥାକୁ ଅଧିକ ବଳିଷ୍ଠ କରିଛି। ଜନଜାତି ସମାଜ କେବେ ବି ଇଂରୋଜମାନଙ୍କ ଦାସତ୍ୱ ଗ୍ରହଣ କରିନାହାନ୍ତି, ବରଂ ଇଂରୋଜ ଶାସନ ବିରୋଧରେ ବାରମ୍ବାର ବୈପ୍ଲବିକ ସ୍ୱର ଉଠାଇଛନ୍ତି। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାତୀମାନଙ୍କ ଭୂମିକା ଅତୁଳନୀୟ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ନୂଆଦିଲ୍ଲୀ ରାଷ୍ଟ୍ରୀୟ ଜନଜାତି ଆୟୋଗ ପକ୍ଷରୁ ବାଣୀବିହାର ପିଜି କାଉନସିଲ ହଲରେ ‘ସ୍ବାଧୀନତା ସଂଗ୍ରାମରେ ଜନଜାତି ନାୟକଙ୍କ ଯୋଗଦାନ’ ଶୀର୍ଷକ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଦେଶର ସୁରକ୍ଷା ଓ ନିରାପତ୍ତାରେ ଯେତେବେବେଳେ ବିପତ୍ତି ଆସେ ନିଜର ଅସୀମ ସାହସ ଦେଖାଇ ଦେଶମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ ସହ ବଳିଦାନ ଦେବାକୁ ପଛାଇ ନାହାନ୍ତି ଜନଜାତି ସମାଜ। ଯେତେବେଳେ ଇଂରେଜମାନେ ସେମାନଙ୍କ ସାମ୍ରାଜ୍ୟ ଭାରତରେ ବିସ୍ତାର କରିବାକୁ ଆରମ୍ଭ କରିଥିଲେ ସେତେବେଳେ ଜନଜାତି ସମାଜ ସେମାନଙ୍କୁ କଡ଼ା ଜବାବ ଦେବା ସହ ସେମାନଙ୍କ ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବା ପାଇଁ ଆନ୍ଦୋଳନ କରି ସଫଳ ହୋଇଛନ୍ତି ବୋଲି କୁଳପତି ପ୍ରଫେସର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ଏହି ଅବସରରେ କୁଳପତି ପ୍ରଫେସର ଆଚାର୍ଯ୍ୟ ଓଡିଶା ତଥା ସମଗ୍ର ଭାରତ ବର୍ଷର ଜନଜାତି ସଂଗ୍ରାମୀ ବୀରମାନଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ଭାରତର ସ୍ବାଧୀନତା ସଂଗ୍ରମାରେ ଜନଜାତି ଅବଦାନ ସମ୍ପର୍କରେ ଆହୁରି ଅନେକ ବିଷୟ ଆଲୋଚନା ବାକି ରହିଛି ବୋଲି କହିବା ସହ ଆଦିବାସୀ ଓ ଜନଜାତି ସମ୍ପର୍କରେ ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଛନ୍ତି। ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଜନଜାତି ସମାଜର ଯୋଗଦାନ କିଭଳି ରହିଥିଲା ତାହା ପ୍ରକାଶ କରିଛନ୍ତି।


ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଡ଼ ଦମୟନ୍ତୀ ବେଶ୍ରା ଯୋଗଦେଇ କହିଛନ୍ତି ଯେ ଭାରତର ଆଦିମ ଅଧିବାସୀ ହେଉଛନ୍ତି ଆଦିବାସୀ। ସେମାନେ ଅତ୍ୟନ୍ତ ଶାନ୍ତି ପ୍ରିୟ। ସିପାହୀ ବିଦ୍ରୋହର ବହୁ ବର୍ଷ ଆଗରୁ ଇଂରେଜମାନଙ୍କ ବିରୋଧରେ ଆଦିବାସୀମାନେ ନିଜର ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି ଓ ଅନ୍ୟାୟ ବିରୋଧରେ ଲଢ଼ିଛନ୍ତି। କିନ୍ତୁ ତାହା ଭାରତୀୟ ଇତିହାସରେ ଲେଖାଯାଇପାରିନାହିଁ। ତେଣୁ ଦେଶର ସ୍ବାଧୀନତା ସଂଗ୍ରାମରେ ଜନଜାତିଙ୍କ ସଂଗ୍ରାମ ସମ୍ପର୍କିତ ଅନାଲୋଚିତ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଭାରତୀୟ ଇତିହାସ ପୁନଃଲିଖନର ଆବଶ୍ୟକତା ରହିଛି ବୋଲି ପଦ୍ମଶ୍ରୀ ଡ.ଦମୟନ୍ତୀ ବେଶ୍ରା କହିଛନ୍ତି। ଭାରତର ସ୍ବାଧୀନତା ସଂଗ୍ରାମରେ ବିଭିନ୍ନ ଜନଜାତି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ ଓ ସଂଗ୍ରାମ କରିଛନ୍ତି ଏବଂ ନିଜ ମାତୃଭୂମିର ଅସ୍ମିତା ରକ୍ଷା କରିବାକୁ ଯାଇ ପ୍ରାଣବଳି ଦେଇଛନ୍ତି। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କ ଅବଦାନ ଅନସ୍ବୀକାର୍ୟ୍ୟ। ଆାଦିବାସୀ ସମ୍ପ୍ରଦାୟ ସର୍ବଦା ସମାଜର ହିତ ଉଦେଶ୍ୟରେ କାର୍ଯ୍ୟ କରିଥାନ୍ତି, ଯାହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥାଏ। ଆଜିର ଯୁବପିଢ଼ି ଏ ଦିଗରେ ନିଶ୍ଚିତ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପଦ୍ମଶ୍ରୀ ବେଶ୍ରା ପ୍ରକାଶ କରିଛନ୍ତି।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗର ସହକାରୀ ନିର୍ଦେଶକ ଅଶୋକ ବର୍ଦ୍ଧନ ଜନଜାତି ସମୁଦାୟର ଉତ୍ଥାନ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂଗଠନିକ ସମ୍ପାଦିକା ଡ.ଜ୍ୟୋତିର୍ମୟୀ ଟୁଡୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଆବାହକ ଡ.ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡ.ସୁମିତ୍ରା ମୁର୍ମୁ କାର୍ଯ୍ୟକ୍ରମ ସଂଞ୍ଚାଳନା କରିଥିଲେ।
ଏହି ଅବସରରେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ୮୭ଜଣ ଜନଜାତି ସଂଗ୍ରାମୀଙ୍କୁ ନେଇ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଙ୍ଗଲ ଅଧିକାର ଓ ଅାଦିବାସୀଙ୍କ ଜୀବନଶୈଳୀକୁ ନେଇ ଫଟୋଚିତ୍ର ବି ସ୍ଥାନ ପାଇଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବନ ବିଭାଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀ ବୁଲି ଦେଖିଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories