ବ୍ଲକ୍ ସ୍ତରୀୟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନାଚକ୍ର
ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କ୍ରାଏ କଲକାତାଙ୍କ ମିଳିତ ସହଯୋଗରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ “ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପୋଷଣ” ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିରିଙ୍ଗିଆ ବ୍ଲକ କୁପୋଷଣର ସ୍ଥିତି, ରକ୍ତହୀନତାର ଗମ୍ଭିରତାକୁ ତର୍ଜମା କରିବା ସହ ଏହାକୁ ନିୟନ୍ତ୍ରଣ କରିବାରେ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କମ୍ ଓଜନର ଶିଶୁ ଜନ୍ମ ହେବାରେ ବାଲ୍ୟ ବିବାହ ଏକ ମୁଖ୍ୟ କାରଣ ବୋଲି ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ବିଭିନ୍ନ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତର ତଥ୍ୟ ସହ ଉପସ୍ଥାପନା କରିଥିଲେ ଏବଂ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରିବା ଅନୁଭୂତି ମଧ୍ୟରୁ ରକ୍ତହିନତା ଓ କୁପୋଷଣର ଆଗାମୀ ସମସ୍ୟା କିପରି ଜଣେ ଶିଶୁକୁ ଅକର୍ମଣ୍ୟ କରିଦିଏ ତାହାର ସୂଚନା ଦେଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରବୋଧ କୁମାର ପ୍ରଧାନ କୁପୋଷଣ ଓ ରକ୍ତହୀନତା ସମସ୍ୟାକୁ ସଂପୂର୍ଣ୍ଣ ଦୁରେଇବାକୁ ହେଲେ ଗାଁ ଗହଳିରେ ଥିବା ଅନ୍ଧ ବିଶ୍ୱାସ ଗୁଡିକ ଦୂର କରାଇ ଲୋକମାନଙ୍କର ବ୍ୟବହାରିକ ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସ୍ଥିତିକୁ ସୁଧାରିବା ପାଇଁ ଶିକ୍ଷାର ଆବଶ୍ୟକତା କେତେ ଅଧିକ ତାହା ଫିରିଙ୍ଗିଆ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶିବାଜୀ କହଁର କହିଥିଲେ । ବ୍ଲକ୍ ଶିଶୁ ବିକାଶ ଅଧିକାରୀ ହରିପ୍ରିୟା ମେହେର ଆଗଧାଡିର କର୍ମକର୍ତ୍ତାଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ଦିଆଯାଉଥିବା ସେବାକୁ ସୁନିଶ୍ଚିତ କରିବାର ପ୍ରୟାସକୁ ପ୍ରଶଂସା କରିବା ସହ ଅଧିକ ଲୋକ ସଂପର୍କ ବଢାଇ ଗ୍ରାମରେ ଶେଷ ବ୍ୟକ୍ତି ପାଖରେ ସ୍ୱାସ୍ଥ୍ୟ ଓ ପୋଷଣ ଶିକ୍ଷା ପହଞ୍ଚାଇ ପାରିଲେ ରକ୍ତହୀନତା ଓ କୁପୋଷଣକୁ ରୋକାଯାଇ କମ୍ ଓଜନର ଶିଶୁ ଜନ୍ମକୁ ମଧ୍ୟ ନିୟନ୍ତ୍ରଣ କରି ହେବ । ମହିଳା ପରିଦର୍ଶିକା ବୈଜୟନ୍ତି ମଲିକ ରକ୍ତ ହୀନତାକୁ ବଢାଇବାର ଚାରି-୫ଟି ମୁଖ୍ୟ କାରଣକୁ ଦୃଷ୍ଟିପାତ କରାଇ ତାହା କେବଳ ସ୍ୱାସ୍ଥ୍ୟ ଓ ପୋଷଣ ଶିକ୍ଷା ମାଧ୍ୟମରେ ଦୂର କରାଯାଇପାରିବ ବୋଲି କହିଥିଲେ । ବାଲନ୍ଦାପଡା କ୍ଲଷ୍ଟରୁ ଆସିଥିବା ଶିକ୍ଷକମାନେ ସ୍ୱାତୀ ଅନୁଷ୍ଠାନ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅଧିକ ପ୍ରଭାବଶାଳୀ କରିବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଭାଗରୁ ୭୦ ରୁ ଅଧିକ ଆଶା, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ଏଏନ୍ଏମ୍, ସିଏଚ୍ଓ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତ ସମସ୍ତ ବର୍ଗର କର୍ମକର୍ତ୍ତା ହାତକୁ ହାତ ମିଶାଇ କାର୍ଯ୍ୟ କରି ପାରିଲେ ରକ୍ତହୀନତା, କମ୍ ଓଜନର ଶିଶୁ ଜନ୍ମ ଓ କୁ-ପୋଷଣ ଭଳି ସମସ୍ୟାରୁ ମୁକୁଳି ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ସ୍ୱାତୀ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତମାନେ ପରିଚାଳନାରେ ସହଯୋଗ କରିଥିଲେ ।
Comments are closed.