ଶୀଘ୍ର ମୁକୁଳିବେ ବିଚାରାଧୀନ ମହିଳା କଏଦୀ

0

ନୂଆଦିଲ୍ଲୀ: ବିଚାରାଧୀନ ମହିଳା କଏଦୀଙ୍କୁ ଶୀଘ୍ର ଜାମିନ୍‍ ପ୍ରଦାନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଚିନ୍ତା କରୁଛି। ଏଥିପାଇଁ ଭାରତୀୟ ଦଣ୍ଡ ବିଧିରେ ଆବଶ୍ୟକ ସଂଶୋଧନ କରାଯିବ। ଯେଉଁ ମହିଳା ବିଚାରାଧୀନ କଏଦୀମାନେ ସେମାନଙ୍କ ଦଣ୍ଡବିଧାନ ଅବଧିର ଏକ ତୃତୀୟାଂଶ ସମୟ ଜେଲ୍‍ରେ କାଟି ସାରିଥିବେ ସେମାନଙ୍କୁ ଏହି ସୁବିଧା ମିଳିବ ବୋଲି ଜଣାପଡ଼ିଛି।
ସମାଜର ଗରିବ ଓ ଅସହାୟ ମହିଳାଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଆଇପିସି ଧାରାରେ ସଂଶୋଧନ ଆଣିବାକୁ ମନ୍ତ୍ରାଳୟ ପକ୍ଷରୁ ନିଯୁକ୍ତ ଏକ ରିପୋର୍ଟରେ ସୁପାରିସ କରାଯାଇଛି। ଜେଲ୍‍ରୁ ବାହାରିବା ପରେ ସେମାନେ ଯେପରି ନିଜେ ଚଳିପାରିବା ସହିତ ପରିବାର ଚଳାଇପାରିବେ, ପିଲାମାନଙ୍କ ଯତ୍ନ ନେବା ସହିତ ପାଠ ପଢ଼ାଇପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏବେ ଏହି ରିପୋର୍ଟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପଠାଯାଇଛି। ତା’ ପରେ ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମତାମତ ଲୋଡ଼ାଯିବ।
ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଜେଲ୍‍ ପ୍ରଶାସନିକ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି କହିଛନ୍ତି। ଏଥିସହିତ ଗର୍ଭବତୀ ଥିବା କଏଦୀ ଓ ନବଜାତକଙ୍କ ପାଇଁ ସ୍ୱତନ୍ତ୍ର ସେଲ୍‍ ଏବଂ ଭୋଟଦାନ ଅଧିକାର ଆଦି ବିଷୟରେ ମଧ୍ୟ ରିପୋର୍ଟରେ ସୁପାରିସ କରାଯାଇଛି।
୨୦୧୫ ସୁଦ୍ଧା ପ୍ରାପ୍ତ ତଥ୍ୟ ଅନୁଯାୟୀ ଦେଶର ୧, ୪୦୧ ଜେଲ୍‍ରେ ୪,୧୯,୬୨୩ ଜଣ କଏଦୀ ଥିବା ବେଳେ ସେଥିମଧ୍ୟରୁ ୧୭,୮୩୪ ଜଣ ବା ୪.୩% ମହିଳା କଏଦୀ ଅଛନ୍ତି। ମହିଳାଙ୍କ ଲାଗି ୧୮ଟି ଜେଲ୍‍ ରହିଛି। ସେଠାରେ ୨,୯୮୫ ଜଣ ମହିଳା କଏଦୀ ରହୁଛନ୍ତି। ମୋଟ ମହିଳା କଏଦୀଙ୍କ ମଧ୍ୟରୁ ୧୧,୯୧୬ ଜଣ ବା ୬୬.୮% ବିଚାରାଧୀନ କଏଦୀ ଭାବରେ କାଳ କାଟୁଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ ୫୦%ରୁ ଅଧିକ ମହିଳା କଏଦୀଙ୍କ ବୟସ ୩୦ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୩୧%ରୁ ଅଧିକ ମହିଳା କଏଦୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ତେଣୁ ସେମାନଙ୍କ ଭବିଷ୍ୟତ ଓ ସାମାଜିକ ସୁରକ୍ଷାକୁ ଅଗ୍ରାଧିକାର ଦେବାକୁ ରିପୋର୍ଟ ସୁପାରିସ କରିଛି।

kalyan agarbati
Leave A Reply