ନ୍ୟୁଜିଲାଣ୍ଡକୁ ୩ରନରେ ହରାଇଲା ୱେଷ୍ଟଇଣ୍ଡିଜ୍
ମହିଳା ଦିନିକିଆ ବିଶ୍ବକପ କ୍ରିକେଟ, ହେଲ୍ଲେ ମାଥ୍ୟୁସ୍ଙ୍କ ଶତକ
ମାଉଣ୍ଟ ମାନୁଙ୍ଗିଲ(ନ୍ୟୁଜିଲାଣ୍ଡ), : ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପର ସଂସ୍କରଣରେ ୱେଷ୍ଟଇଣ୍ଡିଜ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଓଭାଲର ମାଉଣ୍ଟ ମାନୁଙ୍ଗିଲରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚରେ ହେଲି ମାଥ୍ୟୁସଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ଘରୋଇ ନ୍ୟୁଜିଲାଣ୍ଡକୁ ୩ରନରେ ପରାସ୍ତ କରିଛି। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ଦୁଇ ପଏଣ୍ଟ ପାଇଛି। ୱେଷ୍ଟଇଣ୍ଡିଜ୍ ପ୍ରଥେମ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୨୫୯ରନ କରିଥିଲା। ହେଲ୍ଲେ ମାଥ୍ୟୁସ ୧୨୮ଟି ବଲରୁ ୧୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୧୯ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିଡେନ ନାଟନ ୩୬, ଅଧିନାୟିକା ଷ୍ଟିଫାନି ଟେଲର ୩୦, ସିମେନ କ୍ୟାମ୍ବେଲ ୨୦, ଡେଣ୍ଟ୍ରା ଡଟେନ ୧୨ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲିଆ ତାହୁହୁ ୩ଟି, ଜିସ କେର ୨ଟି ୱିକେଟ ନେଇଥିଲେ। ୨୬୦ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ଶୋଫିଆ ଡିଭାଇନଙ୍କ ଲଢୁଆ ଶତକ ସତ୍ତ୍ବେ ୪୯.୫ ଓଭରରେ ୨୫୬ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଅଧିନାୟିକା ଶୋଫିଆ ଡିଭାଇନ ୧୨୭ଟି ବଲରୁ ୧୦ଟି ଚୌକା ସହ ୧୦୮ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଟି ମାର୍ଟିନ ୪୪, ଆମି ସେଥରୱେଟ ୩୧, ଜିସ୍ କେର ୨୫ରନ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ହେଲି ମାଥ୍ୟୁସ, ଆନିସା ମହମ୍ମଦ, ଡେଣ୍ଡ୍ରା ଡେଟନ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ହେଲ୍ଲେ ମାଥ୍ୟୁସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
Comments are closed.