www.samajalive.in
Monday, December 15, 2025
17.1 C
Bhubaneswar

ବଦଳିଛି ତରିକା: ଏବେ ବଜାରରେ ଅଲୋଡ଼ା ‘ଶୁଭେଚ୍ଛା କାର୍ଡ’

ସାରନଗରୀ : ଡିସେମ୍ବର ମାସ ବର୍ଷର ଶେଷ ମାସ । ଏହି ମାସ ଶେଷ ତାରିଖ ଡିସେମ୍ବର ୩୧ ତାରିଖ ପରେ ବଦଳି ଯାଇଥାଏ ପୁରୁଣା ବର୍ଷ, ପାଦ ଥାପିଥାଏ ନୂତନ ବର୍ଷ। ପୁରୁଣା ବର୍ଷ ଅପସରି ଯାଇଥିବା ବେଳେ, ନୂତନ ବର୍ଷକୁ ସ୍ୱାଗତ କରିଥାନ୍ତି ସମଗ୍ର ବିଶ୍ୱବାସୀ । ନୂଆବର୍ଷ ଆସିବା ସପ୍ତାହ ଅବା ଦୁଇ ସପ୍ତାହ ପୂର୍ବରୁ ନିଜର ବନ୍ଧୁ ପରିଜନ, ସହକର୍ମୀ ତଥା ସମ୍ପର୍କୀୟ ମାନଙ୍କୁ ଶୁଭେଚ୍ଛା କାର୍ଡ଼ (ଗ୍ରୀଟିଙ୍ଗସ୍‌) ମାଧ୍ୟମରେ ସକରାତ୍ମକ ବାର୍ତା ପଠାଯାଇଥାଏ । ନବେ ଦଶକରେ ଶୁଭେଚ୍ଛା କାର୍ଡ଼ ନୂଆବର୍ଷର ଆଗମନର ପ୍ରାକ୍ ସୂଚନା ପ୍ରଦାନ କରୁଥିଲା । ସେହିପରି ଖ୍ରୀଷ୍ଟମାସ ଶୁଭେଚ୍ଛା ପ୍ରଦାନ ପାଇଁ ଶୁଭେଚ୍ଛା କାର୍ଡକୁ ଆଦର ସବୁଠି ଦେଖିବାକୁ ମିଳୁଥିଲା । ମାତ୍ର ଏବେ ବଦଳିଛି ସମୟ। ହାପି କ୍ରିସମସ୍ ଅବା ହାପି ନ୍ୟୁ ଇୟରର ଶୁଭେଚ୍ଛା କାର୍ଡ଼ ବଜାରରେ ଦେଖିବାକୁ ପ୍ରାୟତଃ ମିଳୁନି । ଶୁଭେଚ୍ଛା କାର୍ଡ଼ ଅଲୋଡ଼ା ହୋଇ ପଡ଼ିଥିବା ବେଳେ, ସୋସିଆଲ ମିଡ଼ିଆ ମାଧ୍ୟମରେ ଛାଇଛି ଶୁଭେଚ୍ଛା ବାର୍ତା। ବର୍ତମାନ ବଜାରରେ ଶୁଭେଚ୍ଛା କାର୍ଡ଼(ଗ୍ରୀଟିଙ୍ଗସ୍ କାର୍ଡ଼) କାଁଭାଁ କେଉଁଠି ମିଳୁଛି, ତାହା ପୁଣି ଚଢା ଦାମରେ।  ପୂର୍ବରୁ ରାଉରକେଲାର ଆମବାଗାନ, ବାସନ୍ତୀ କଲୋନୀ, ଛେଣ୍ଡ, ସିଭିଲଟାଉନସିପ ସମେତ ବିଭିନ୍ନ ସେକ୍ଟର ଅଂଚଳ ଓ ଦକ୍ଷିଣ ରାଉରକେଲାର ସାରନଗରୀରେ ଥିବା ପ୍ରମୁଖ ଛକ ଓ ବଜାରରେ ସ୍ୱତନ୍ତ୍ର ଭାବେ ଷ୍ଟଲ ପକାଇ ଶୁଭେଚ୍ଛା କାର୍ଡ଼ ଦୋକାନର ପସରା ମେଲାଉଥିଲେ ଅନେକ ଦୋକାନୀ । ରାୟପୁର, କଲିକତା ଆଦିରୁ ବିିଭିନ୍ନ କିସମର ନାମଦାମୀ କାର୍ଡ ଗ୍ରାହକ ମାନଙ୍କ ଉଦ୍ଦେଶ୍ୟରେ ବିକ୍ରି ହେଉଥିଲା । ୫ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ମୂଲ୍ୟର ଶୁଭେଚ୍ଛା କାର୍ଡ଼କୁ ଆଦରି ନେଉଥିଲେ ଗ୍ରାହକ, ଯାହାକି ଆଜି ସାତସପନ ହୋଇ ଯାଇଛି। ଦୀର୍ଘବର୍ଷ ଧରି ରାଉରକେଲାର ବିଭିନ୍ନ ପ୍ରାନ୍ତରେ ଶୋଭା ପାଉଥିଲା ନୂତନ ବର୍ଷ ଶୁଭେଚ୍ଛା କାର୍ଡ଼ର ମାଳମାଳ ଷ୍ଟଲ। ଶୁଭେଚ୍ଛା କାର୍ଡ ଷ୍ଟଲ ପକାଇ ବେପାର କରି ଆସୁଥିବା ସାରନଗରୀର ବ୍ୟବସାୟୀ ବିରଂଚି ବେହେରାଙ୍କ କହିବା ଅନୁଯାୟୀ, ଆଜକୁ ୫ରୁ ୧୦ ବର୍ଷ ତଳେ ଶୁଭେଚ୍ଛା କାର୍ଡ଼ର ଚାହିଦା ସର୍ବାଗ୍ରେ ରହୁଥିଲା ବିଭିନ୍ନ କିସମର କାର୍ଡ଼ ବିକି ବେଶ ଦୁଇ ପଇସା ରୋଜଗାର କରି ହେଉଥିଲା, ମାତ୍ର ଏବେ ମୋବାଇଲ ଓ ଇଂଟରନେଟର ବହୁଳ ପ୍ରଚଳନ ଯୋଗୁ ଶୁଭେଚ୍ଛା ବାର୍ତା ବିଭିନ୍ନ ସାମାଜିକ ଗଣମାଧ୍ୟମର ସାହାରା ନେଇ ପଠାଯାଉଛି, ଏଣୁ ଆଉ ଶୁଭେଚ୍ଛା କାର୍ଡ଼ ବଜାରରୁ କିଣିବାକୁ କେହି ପସନ୍ଦ କରୁ ନାହାନ୍ତି, ନୂଆବର୍ଷ କ୍ୟାଲେଣ୍ଡର, ବିଭିନ୍ନ କମ୍ପାନୀର ଓଡ଼ିଆ ପଂଜିକା, ଡାଏରୀ ଆଦିର ବଜାରରେ ଚାହିଦା ରହୁଛି ବୋଲି ସେ ପ୍ରକାଶ କରିଥିଲେ ।

ସେହିପରି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଲଭ୍‌ଲି ମହାରଣାଙ୍କ କହିବା ଅନୁଯାୟୀ, ଡିଜିଟାଲର ସେବାର ବହୁଳ ପ୍ରଚାର ପ୍ରସାର ଫଳରେ ସାମାଜିକ ଗଣମାଧ୍ୟମର ହାତ ଧରି ଭିଡ଼ିଓ କ୍ଲିପ, ଇମେଜ, ହ୍ୱାଟସଅପ, ଫେସବୁକ, ମେସେଜ ଦ୍ୱାରା ନୂଆବର୍ଷ ବାର୍ତା ପ୍ରେରଣ କରାଯାଉଛି । ଯାହାଦ୍ୱାରା ଅଳ୍ପଖର୍ଚ୍ଚ ଓ କମ ସମୟ ମଧ୍ୟରେ ବ୍ୟକ୍ତି ଜଣଙ୍କ ନିଜର ପ୍ରିୟ ପରିଜନକୁ ଶୁଭେଚ୍ଛା ବାର୍ତା ଅନାୟସରେ ପ୍ରେରଣ କରି ପାରୁଛି ବୋଲି କହିଛନ୍ତି । ପୂର୍ବରୁ ରାଉରକେଲାର ବିଭିନ୍ନ ଅଂଚଳର ଶିକ୍ଷିତ ବେକାର ଯୁବବର୍ଗ ନୂଆବର୍ଷ ଆସିବାର ମାସକ ପୂର୍ବରୁ ଶୁଭେଚ୍ଛା କାର୍ଡ ବେପାରକୁ ସିଜନାଲ୍ ବ୍ୟବସାୟ କରି କିଛି ଅର୍ଥ ରୋଜଗାର କରି ପାରୁଥିଲେ, ଯାହାକି ଏବେ ଆଉ ଦେଖିବାକୁ ମିଳୁନି । ଦୂରଦୂରାନ୍ତରେ ରହୁଥିବା ବନ୍ଧୁ ପରିଜନ ମାନଙ୍କ ପାଖକୁ ନୂଆବର୍ଷ ଶୁଭେଚ୍ଛା କାର୍ଡ ଡାକ, କୋରିୟର ଦ୍ୱାରା ନୂଆବର୍ଷ ଆସିବାର ୧୫ ଦିନ ପୂର୍ବରୁ ପଠାଯାଉଥଲା,ଏହି ଶୁଭେଚ୍ଛା କାର୍ଡରେ ବିଭିନ୍ନ ପ୍ରାକୃତିକ ଦୃଶ୍ୟ, ଦେବାଦେବୀଙ୍କ ଛବି, ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଚିତ୍ର, ଲୋକକଳା ଚିତ୍ର ତଥା ସଂସ୍କୃତି ଓ ସଭ୍ୟତାର ଝଲକ ସ୍ପଷ୍ଟ ରୂପେ ବାରି ହୋଇ ପଡ଼ୁଥିଲା । ଶୁଭେଚ୍ଛା କାର୍ଡ ଉପରେ ଓଡ଼ିଆ ଅବା ଇଂରାଜୀରେ ବିଭିନ୍ନ ପ୍ରକାର ସାଧୁ ଓ ମହତବାଣୀର ଉଲ୍ଲେଖ ରହୁଥିଲା, ଯାହାକି ପ୍ରତ୍ୟେକଙ୍କ ମନ ଓ ହୃଦୟକୁ ଛୁଇଁ ପାରୁଥିଲା । ମାତ୍ର ଏବେ ତାହା ଏକ ଦିବାସପ୍ନ ହୋଇ ରହି ଯାଇଛି! ନୂଆବର୍ଷ ଆସିବାକୁ ଦିନ କେଇଟା ବାକି ରହିଥିବା ବେଳେ, ଶୁଭେଚ୍ଛା କାର୍ଡର ଚାହିଦା ଯଦିଓ କମିଛି, ହେଲେ ଏହାର ତରିକା ବଦଳି ଯାଇ ମୋବାଇଲ ଅବା ଇଂଟରନେଟ ମାଧ୍ୟମରେ ନିଜ ପ୍ରିୟଜନ ମାନଙ୍କୁ ଶୁଭେଚ୍ଛା ବାର୍ତା ପ୍ରେରଣ କରିବା ପ୍ରାୟତଃ ଆରମ୍ଭ କରି ଦେଲେଣି ଶୁଭେଚ୍ଛାକାରୀ, ଏହି ପ୍ରସଙ୍ଗକୁ ହୁଏତ ଏଡାଇ ଦିଆଯାଇ ନପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories