ଝିଲି ଦଳବେହେରା ପାଇବେ ଏକଲବ୍ୟ ପୁରସ୍କାର

ଉତ୍ସବରେ ସମ୍ମାନିତ ହେବେ ଜବାମଣି ଓ ନମିତା

ଭୁବନେଶ୍ବର : ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦପ୍ତ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୧୯ ପାଇଁ ଅନ୍ତର୍ଜାତୀୟ ଭାରୋତ୍ତୋଳକ ଝିଲି ଦଳବେହେରା ମନୋନୀତ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର ପ୍ରଦାନ ଲାଗି ସର୍ବସମ୍ମତିକ୍ରମେ ମନୋନୟନ କରାଯାଇଛି। ସେହିପରି ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଜବାମଣି ଟୁଡୁ ଓ ହକି ଖେଳାଳି ନମିତା ଟପ୍ପୋଙ୍କୁ ଶାନ୍ତ୍ବନାମୂଳକ ପୁରସ୍କାର ସହ ସମ୍ମାନିତ କରାଯିବ । ଆଗକୁ ଆୟୋଜିିତ ହେବାକୁ ଥିବା ସ୍ବତନ୍ତ୍ର ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ଝିଲିଙ୍କୁ ପୁରସ୍କାର ସ୍ବରୂପ ୫ ଲକ୍ଷ ଟଙ୍କା ଓ ମାନପତ୍ର , ଜବାମଣି ଓ ନମିତାଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ନୟାଗଡ଼ର ଝିଲି ଦଳବେହେରା ୨୦୧୭ରୁ ୨୦୧୯ ମଧ୍ୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ସଫଳତା ଲାଗି ଝିଲି ଚଳିତ ବର୍ଷ ଲାଗି ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଜବାମଣି ଓ ନମିତାଙ୍କୁ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ସଫଳତା ଓ ନିୟମିିତ ଭାବେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି ଆସୁଥିବାରୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ ଯେ, ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ)ଇମ୍ପାକ୍ଟ) ଦ୍ବାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୟମାନ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ । ଯାହା ଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ ବୋଲି ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ଅବସରରେ ଇମ୍ପାକ୍ଟ ର ଟ୍ରଷ୍ଟି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। କ୍ରୀଡ଼ା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ବାସ୍ଥ୍ୟସେବା ଆଦିକୁ ଆମର ଏହି ଟ୍ରଷ୍ଟ ପ୍ରୋତ୍ସାହନ ପ୍ରଦାନ କରିଥାଏ। ଯାହା ଆଗକୁ ଜାରି ରହିବ ବୋଲି ଟ୍ରଷ୍ଟି ଶ୍ରୀ ପଣ୍ଡା କହିଛନ୍ତି।

Comments are closed.