ଭୁବନେଶ୍ୱର : ଯୁବକମାନେ ଏକାଠି ହୋଇ ଗୋଷ୍ଠି ସ୍ତରରୁ ପରବର୍ତ୍ତନ ଆରମ୍ଭ କଲେ ତାହା ବିଶ୍ୱ ସ୍ତରରେ ପରିବର୍ତ୍ତନ ଆଣିପାରିବ। ଏଥିପାଇଁ ଯୁବପୀଢି ମିଳିତ ଭାବେ ଆଗେଇ ଆସିବାକୁ କହିଛନ୍ତି ସାଉଥ ଏସିଆ ଇନିସିଏଟିଭ ଟୁ ଏଣ୍ଡ୍ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ସାଇଭାକ) ର ମହାନିର୍ଦ୍ଦେଶକ ଡକ୍ଟର ରିନ୍ଚେନ୍ ଚୋଫେଲ। ଆର୍ନ୍ତଜାତୀୟ ଯୁବ ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍ସ କଲଚରାଲ ସେଣ୍ଟର (ପିକକ) ଏବଂ ଇକୋସେଭରର୍ସ, ତେରେ ଦେଶେ ହୋମ୍ସ, ବିଏମ୍ଜେଡ୍ ଦ୍ୱାରା ଆୟୋଜିତ ମିଳିତ ୱେବନାରରେ ଉଦ୍ବୋଧନ ଦେଇ ଡକ୍ଟର ଚୋଫେଲ ଏହି ମତ ରଖିଛନ୍ତି। ସେ କହିଛନ୍ତି ଯେ ଭୁଟାନ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ବାୟୁମଣ୍ଡଳରେ ଆଦୌ କାର୍ବନ ନାହିଁ। ଏହି ଛୋଟ ଦେଶରେ ପରିବେଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବାରୁ ଏହା ସମ୍ଭବ ହୋଇଛି। ଗୋଟିଏ ଗଛ ନଷ୍ଟ ହେଲେ ତାହା ବଦଳରେ ଅତି କମରେ ତିନିଟି ଗଛ ଲଗାଇବାକୁ ସେ କହିଛନ୍ତି।
ସେହିଭଳି ଗୋଷ୍ଠି ସ୍ତରରେ ବିକାଶ ହୋଇପାରିଲେ ତାହା ରାଜ୍ୟ ଓ ଦେଶର ବିକାଶରେ ସହାୟକ ହେବ। ପ୍ରତ୍ୟେକ ବ୍ୟକ୍ତି ଦାୟିତ୍ୱର ସହ ପ୍ରଥମେ କାର୍ଯ୍ୟକଲେ ପରେ ଏହା ବୃହତ ରୂପ ନେବ। ତେବେ ଯୁବକମାନେ ଠିକ୍ ବାଟରେ ନଗଲେ ବିଶ୍ୱସ୍ତରରେ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଥମେ ଯୁବକମାନେ ସ୍ଥାନୀୟ ସମସ୍ୟାର ସମାଧାନ ନକଲେ ବିଶ୍ୱ ସ୍ତରରେ କିଛି କରିହେବ ନାହିଁ। ବିଶେଷକରି ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ବାଲ୍ୟ ବିବାହ ତଥା ଶିଶୁ ହିଂସା ଆଦିକୁ ରୋକିବାପାଇଁ ଯୁବବର୍ଗ ଏକାଠି ହେବା ଆବଶ୍ୟକ। ଏଥି ସହିତ ଯୁବକମାନେ ରାଜନୀତି, ଅର୍ଥନୀତି, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନିଜକୁ ସଂଶ୍ଲିଷ୍ଟ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି।
ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ କହିଥିଲେ ଯେ ଭାରତ ହେଉଛି ଯୁବକଙ୍କ ଦେଶ। ସ୍ୱାଧୀନତା ବେଳକୁ ଦେଶରେ ମଣିଷର ହାରାହାରି ପରମାୟୁ ୩୪ବର୍ଷ ଥିବାବେଳେ ଏବେ ତାହା ୬୮ରେ ପହଞ୍ଚିଛି। କାମ କରିବାର ଶକ୍ତି ବଢିଯାଇଛି। ଆମ ରାଜ୍ୟର ଯୁବଗୋଷ୍ଠିଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଶିଳ୍ପସଂସ୍ଥାଗୁଡିକର ଯେଉଁ ନକରାତ୍ମକ ଧାରଣା ରହିଛି ତାହାକୁ ଦୂରେଇବାକୁ ପଡିବ। ଏଥିପାଇଁ ଯୁବବର୍ଗଙ୍କ ବ୍ୟବହାରିକଜ୍ଞାନରେ ଉନ୍ନତି ଆଣିବାକୁ ହେବ। ଯୁବଗୋଷ୍ଠି ଅନ୍ୟ ପାଇଁ କିଛି କରିବା ମନୋଭାବ ନେଇ ଆଗକୁ ବଢିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଦେଖା ଦେଇଥିବା କୋଭିଡ ମହାମାରୀରକୁ ନେଇ ଭୟ କରିବା ବଦଳରେ ଯୁବ ସମାଜ ଆତ୍ମବିଶ୍ୱାସ ଓ ସମସ୍ତ ପ୍ରକାର ସର୍ତକତାର ସହ ଏହାକୁ ସାମ୍ନା କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।
ଇକୋ ସେଭର ୟୁଥ୍ ନେଟୱାର୍କର ସଭାପତି ସ୍ତୁତି ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମର ପରିଚାଳନା କରି ଓଡିଶାର ୪ହଜାର ଯୁବକ ଯୁବତୀ ଏହି ନେଟୱାର୍କରେ ସାମିଲ ଥିବା ସୂଚନା ଦେଇଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ଦିଲ୍ଲୀପ ରାଉତରାୟ କହିଥିଲେ ଯେ ଯୁବକମାନେ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ବୟସ୍କମାନେ ସେମାମାନଙ୍କ ଅଭିଜ୍ଞତା ଆଧାରରେ ଦିଗ୍ଦର୍ଶନ ଦେବା ଆବଶ୍ୟକ। ଶ୍ରୀ ରାଉତରାୟ କହିଥିଲେ ଯେ ଆଜିର ଯୁବ ସମାଜ ସ୍ୱପ୍ନ ଦେଖିବା ଦରକାର। ସେମାନେ ସ୍ୱପ୍ନ ଦେଖି ତାହାକୁ ସାକାର ପାଇଁ ଉଦ୍ୟମ କଲେ ହିଁ ସଫଳ ହେବେ। ତେବେ ବର୍ତ୍ତମାନ ଯୁବସମାଜ ବିଭିନ୍ନ ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି। ତେଣୁ ପାଠପଢା ସହିତ ନିଜ ନିଜ ହୃଦୟରେ ପରିବର୍ତ୍ତନ ଆଣି ଭଲ ମଣିଷ ହେବା ଆବଶ୍ୟକ।
ପିକକ୍ର ସମ୍ପାଦକ ତଥା ଏନ୍ଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ଲାଗି ଯୁବପୀଢିକୁ ଆହ୍ୱାନ ଦେଇ କହିଥିଲେ ଯେ ଭୋଟ ଅଧିକାର ପାଇଥିବା ସମସ୍ତ ଯୁବକ ଯୁବତୀ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କିରବା ଆବଶ୍ୟକ। ଭୋଟ ନଦେଲେ ନିର୍ମଳ ତଥା ସ୍ୱଚ୍ଛ ସରକାର ଗଠନ ସମ୍ଭବପର ନୁହେଁ। ଭଲ ଲୋକଙ୍କୁ ବାଛି ଭୋଟ ଦେବା ସହିତ ରାଜନୀତିରେ ଯୁବକମାନେ ସକ୍ରିୟ ରହିବା ଜରୁରୀ। ବିଶେଷକରି ପଲ୍ଲୀସଭା, ଗ୍ରାମସଭା ଆଦିରେ ସେମାନେ ଅଂଶଗ୍ରହଣ ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ଗବେଷକ ପ୍ରଣବ ଚୌଧୁରୀ କହିଥିଲେ ଯେ ବିଗତ ୨୦/୨୫ ବର୍ଷ ଧରି ଏକାଧିକ ମହାମାରୀ ଦେଖାଦେଉଛି। ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଶ୍ରୀ ଚୌଧୁରୀ ବିଭିନ୍ନ ପ୍ରକାର ଭୂତାଣୁ ଓ ଏ ସଂକ୍ରାନ୍ତରେ ଚାଲିଥିବା ଗବେଷଣା ଉପରେ ଆଲୋକପାତ କରିଥିଲେ।
ଜାତୀୟ ଯୁବକ ପ୍ରକଳ୍ପର ମଧୁସୂଦନ ଦାସ ଯୁବଗୋଷ୍ଠି ମଧ୍ୟରେ କିଭଳି ସକରାତ୍ମକ ମନୋଭାବ ସୃଷ୍ଟି ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ। ବିଶେଷକରି ଗାନ୍ଧୀବାଣୀକୁ ପାଥେୟ କରି ଯୁବକମାନେ ଆଗକୁ ବଢିବା ପାଇଁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତୀତରେ ଯୁବଗୋଷ୍ଠିଙ୍କ ସହାୟତାରେ ପିକକ୍ ଅନୁଷ୍ଠାନ କିଭଳି ରାଜଧାନୀରେ ସବୁଜ ବଳୟ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରିଥିଲା ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିଲେ। ଆଜି ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବଡ ବଡ ଗଛକୁ ନବେ ଦଶକରେ ଯୁବ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ଲଗାଯାଇଥିଲା। ଶ୍ରୀମତୀ ମହାନ୍ତି କହିଥିଲେ ଯେ ବର୍ତ୍ତମାନ କେନ୍ଦୁଝର ଓ ଦିଲ୍ଲୀରେ ବାୟୁ ପ୍ରଦୂଷଣର ଯେଉଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ପୂର୍ବଭଳି ଯୁବଗୋଷ୍ଠିଙ୍କ ସହାୟତାରେ ବ୍ୟାପକ ସବୁଜ ବଳୟ ସୃଷ୍ଟି କରାଯିବା ଆବଶ୍ୟକ। ଏହି ୱେବନାରରେ ରିସର୍ଚ୍ଚ ଏଡିଟ୍ର ମୁଖ୍ୟ ସମ୍ପାଦକ ସୁଶ୍ରୀ ଶୈଲେନ ସୁମନ ଯୁବବର୍ଗଙ୍କ ସକରାତ୍ମକ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିବାବେଳେ ଇକୋ ସେଭର ୟୁଥ ନେଟୱାର୍କର ଉପସଭାପତି ସୁଶ୍ରୀ କଳ୍ପନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।



