www.samajalive.in
Wednesday, December 10, 2025
23.1 C
Bhubaneswar

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି ଶୀତ। ରାତି ବଢ଼ିଲେ ଥଣ୍ଡା ବଢ଼ୁଛି। ସକାଳ ୯ଟା ପର୍ଯ୍ୟନ୍ତ ଶୀତ ସହିତ ଘନ କୁହୁଡ଼ି ଲାଗି ରହୁଛି। ପଶ୍ଚିମ, ଦକ୍ଷିଣ, ଆଭ୍ୟନ୍ତରୀଣ, ଉତ୍ତର ଏବଂ ଉପକୂଳ ସବୁଠି ଶୀତ ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ହେଲେ ଜନଗହଳିପୂର୍ଣ୍ଣ ରାସ୍ତା ଖାଁ ଖାଁ ହୋଇପଡୁଛି। ସକାଳେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରୁଛି। ଆଜି ୧୩ ସହରରେ ପାରଦ ୧୨ ଡିଗ୍ରୀ ତଳେ ଥିବାବେଳେ ଚଳିତ ଶୀତ ଋତୁରେ କନ୍ଧମାଳ ଜିଲା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ଡିଗ୍ରୀ ଛୁଇଁଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ ଆଜି ଜି.ଉଦୟଗିରିର ତାପମାତ୍ରା ୫.୮ ଡିଗ୍ରୀ​‌ ସେଲସିୟସରେ ପହଞ୍ଚିଛନ୍ତି। ଗୁରୁବାର ଏଠାରେ ତାପମାତ୍ରା ୭.୬, ଶୁକ୍ରବାର ୭ ଓ ଶନିବାର ତାପମାତ୍ରା ୮.୨ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି।

ସେହିପରି ଜିଲାର ଦାରିଙ୍ଗବାଡ଼ିରେ ୮.୭ ଡିଗ୍ରୀ ଓ ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରହିଛି। ଦିନକୁ ଦିନ ପାରଦ ତଳମୁହାଁ ସାଙ୍ଗକୁ ଭୀଷଣ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶୀତର ମଜା ନେବାକୁ ଜି.ଉଦୟଗିରି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସିର୍କି ଡ୍ୟାମ, କାଲିଗାଡୁ ହିଲଟପ ବୁଲିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। କିନ୍ତୁ ସୁବିଧା ନଥିବାରୁ ନିରାଶ ହୋଇ ଫେରୁଥିବା ଜଣାପଡ଼ିଛି। ଭୁବନେଶ୍ବର ସହିତ କଟକରେ ଶୀତ ଲହରୀ ଲାଗି ରହିଛି।
ଅନ୍ୟପକ୍ଷରେ ଭୁବନେଶ୍ବର ଓ କଟକରେ ରାତି ତାପମାତ୍ରା ହ୍ରାସ ପାଇ ୧୩ ଡିଗ୍ରୀରେ ପହଞ୍ଚିଲାଣି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ସୁନ୍ଦରଗଡ଼, ଅନୁଗୋଳ ଏବଂ କନ୍ଧମାଳ ଜିଲାକୁ ଶୀତ ଲହରୀ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

- Advertisement -

ଆଜି ସେମିଳିଗୁଡ଼ାରେ ପାରଦ ୭.୪ ଡିଗ୍ରୀ ଛୁଇଁଥିବା ବେଳେ ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୯, ରାଉରକେଲାରେ ୧୦.୨, ଝାରସୁଗୁଡ଼ା ଓ ଅନୁଗୋଳରେ ୧୦.୬, କେନ୍ଦୁଝରରେ ୧୦.୮, ଚିପିଲିମାରେ ୧୧, ଭୁବନେଶ୍ବରରେ ୧୩ ଏବଂ କଟକରେ ୧୩.୬ ଡିଗ୍ରୀ ରହିଛି। ଭୁବନେଶ୍ବର ଏବଂ କଟକରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରାଜଧାନୀରେ ଗତକାଲି ଅପେକ୍ଷା ରାତି ତାପମାତ୍ରା ୧.୮ଡିଗ୍ରୀ ହ୍ରାସ ପାଇଛି। ଏଠାରେ ସ୍ବାଭାବିକ ରାତି ତାପମାତ୍ରା ୧୯.୪ ଡିଗ୍ରୀ ରହିବାକୁ ଥିବାବେଳେ ୬.୪ ଡିଗ୍ରୀ ହ୍ରାସ ପାଇବା ଦ୍ବାରା ୧୩ ଡିଗ୍ରୀକୁ ଖସି ଆସିଛି। କଟକରେ ସ୍ବାଭାବିକ ରାତି ତାପମାତ୍ରାଠାରୁ ୫.୧ ଡିଗ୍ରୀ କମିଛି। ଉଭୟ ସହରରେ ପ୍ରବଳ ଶୀତ ପଡୁଛି। କେବଳ ଭୁବନେଶ୍ବର ଏବଂ କଟକରେ ନୁହେଁ, ଉତ୍ତର ଓଡ଼ିଶାର ବାରିପଦାରେ ସର୍ବନିମ୍ନ ତାପମାତ୍ରା ୧୩.୮ଡିଗ୍ରୀ ଛୁଇଁଲାଣି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରବର୍ତ୍ତୀ ସମୟରେ ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ଥିବାରୁ କିଛି ଅଞ୍ଚଳରେ ଶୀତ କମିପାରେ।

କନ୍ଧମାଳ ଜିଲାରେ ପ୍ରଚଣ୍ଡ ଶୀତ ପଡୁଛି। ଜିଲାର ବିଭିନ୍ନ ଅଞ୍ଚଳରେ ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଘନ କୁହୁଡ଼ି ସକାଳ ୯ଟା ପର୍ଯ୍ୟନ୍ତ ଛାଡ଼ିବାର ନାଁ ଧରୁନି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ରହିଛି। ବାଲିଗୁଡ଼ା, ଘୁ.ଉଦୟଗିରି, ରାଇକିଆ, ଟିକାବାଲି, ତୁମୁଡ଼ିବନ୍ଧ ଏବଂ କୋଟଗଡ଼ ସମେତ ବିଭିନ୍ନ ଅଞ୍ଚଳରେ କୋହଲା ପବନ ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି।

ଗଜପତି ଜିଲାର ମୋହନା ଅଞ୍ଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାରଦ ଖସୁଥିବା ବେଳେ ଘନ କୁହୁଡ଼ି ଲାଗି ରହିଛି। କଳାହାଣ୍ଡି ଜିଲାର ଭବାନୀପାଟଣାରେ ରାତି ତାପମାତ୍ରା ୧୧.୪ ଡିଗ୍ରୀ ଛୁଇଁଛି। ସେହିପରି ଭାବେ ସୁନ୍ଦରଗଡ଼ ଜିଲା ସମେତ ରାଉରକେଲା ଅଞ୍ଚଳରେ ପ୍ରଚଣ୍ଡ ଶୀତ ପଡୁଛି। ସନ୍ଧ୍ୟା ହେଲେ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ଏଥିସହିତ ସମ୍ବଲପୁର, ବଲାଙ୍ଗିର, କୋରାପୁଟ, ସୁବର୍ଣ୍ଣପୁର, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ଭଦ୍ରକ ଏବଂ ନବରଙ୍ଗପୁର ଆଦି ଜିଲାର ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ଲାଗି ରହିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories