କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର ଆଁ ଭିତରୁ ବାହାରି ଏଠାକାର ମଣିଷମାନେ ତଉଲନ୍ତି ଜୀବନକୁ। ଜୀବନ ଏଠି ଯାତନାମୟ। ଖରାଦିନରେ ଖଇରିଆ ଦିଶେ ଶୁଖୁଆପଟା ପାହାଡ଼ରେ ଥିବା ତେଣ୍ଡା ଗଁା। ବର୍ଷା ହେଲେ ଚନ୍ଦନ ନାଳର ଉଜାଣି ଢ଼େଉ ଗାଁକୁ ଧମକାଏ। ମାଟି କାମୁଡ଼ି ପଡ଼ିରହିଥିବା ମଣିଷମାନଙ୍କର ମୁହଁକୁ ନିରୀକ୍ଷଣ କଲେ କେବଳ ଭୋକ ହିଁ ଭୋକ। ମୟୂରଭଞ୍ଜ ଜିଲାର କପ୍ତିପଦା ବ୍ଲକ କଳମଗଡ଼଼ିଆ ପଞ୍ଚାୟତରେ ଏମିତି ଏକ ଗାଁ ହେଉଛି ତେଣ୍ଡା ଯାହା ଭିନ୍ନ ଏକ ନଗଡ଼ା। ଦିନେ ନଗଡ଼ା ପାଇଁ ଓଡ଼ିଶା ବିଶ୍ୱ ଦରବାରରେ ନିନ୍ଦିତ ହେବାକୁ ପଡ଼ିଥିଲା। ଅପହଞ୍ଚ ଇଲାକା ଏବଂ ଅପପୁଷ୍ଟି ଜନିତ ମୃତ୍ୟୁ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା। ଉକ୍ତ ଗ୍ରାମରେ ସାଧାରଣ ମୌଳିକ ସମସ୍ୟା ଦୂର କରିବା ପାଇଁ ନେତାଠାରୁ ପ୍ରଶାସନର ଆଖିରେ ନିଦ ହଜି ଯାଇଥିଲା। ସେହିଭଳି ତେଣ୍ଡା ଗାଁରେ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ଏବେଠୁ ଯତ୍ନବାନ ନହେଲେ ନଗଡ଼ା ଭଳି ପରିସ୍ଥିତି ସୃଷ୍ଟି ନହେବ ତାହା କିଏ କହିବ ?
ପ୍ରାକୃତିକ ପରିବେଶ ମଧ୍ୟରେ ବଢ଼ି ଆସିଥିବା ଏ ଅଞ୍ଚଳର ଜନସାଧାରଣ ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ। ଅନ୍ଧବିଶ୍ବାସରେ ମଣିଷ ଏଠି ଅସହାୟ। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଗୁଣିଗାରେଡ଼ି, ଡାହାଣୀ ଭଳି ଭୟଙ୍କର ଭାବନା ମଣିଷର ମନକୁ ଆଚ୍ଛନ୍ନ କରି ରଖିଛି। ସଞ୍ଜ ନଇଁ ଆସିଲେ ଅନ୍ଧାରର ଆଁ ଭିତରେ ଲୁଚି ଯାଏ ଏହି ଗାଁ। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ କରଣ, ଗମନାଗମନ ଭଳି ସର୍ବନିମ୍ନ ମୌଳିକ ସୁବିଧା ଏଠି ଅପହଞ୍ଚ। ୨୦୧୯ ମସିହାରେ ପ୍ରାକ୍ତନ ଜିଲା ପରିଷଦ ଅଧ୍ୟକ୍ଷା ଉକ୍ତ ଗ୍ରାମକୁ ପରିଦର୍ଶନରେ ଯାଇ ବିକାଶର ପ୍ରତିଶ୍ରୁତି ଦେଇଥିଲେ। ତାହା ମଧ୍ୟ କଥାରେ ରହିଯାଇଛି।
କପ୍ତିପଦା ବ୍ଲକର ସଂପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ କଳମଗଡ଼଼ିଆ ପଞ୍ଚାୟତ। ଏହି ପଞ୍ଚାୟତର ଶ୍ରୀପଦମଂଜରୀପୁରଠାରୁ ପାଦଚଲା ରାସ୍ତାରେ ୫କି.ମି. ଗଲେ ପଡ଼େ ଦୁର୍ଗମ ଅଞ୍ଚଳ ତେଣ୍ଡା ଗ୍ରାମ। କଳମଗଡ଼଼ିଆ ପଞ୍ଚାୟତର ୫ନଂ ୱାର୍ଡ଼ର ୩୦ଟି ପରିବାରର ୧୮୪, ସରଡ଼ିହା ପଞ୍ଚାୟତର ୧୫ଟି ପରିବାରର ୧୨୦ ଜଣ ଏଠାକାର ସ୍ଥାୟୀ ବାସିନ୍ଦା। ବିଶେଷ କରି କୋହ୍ଲ ସଂପ୍ରଦାୟର ଜନସାଧାରଣ ଏଠାରେ ବସବାସ କରୁଥିବାବେଳେ ଉକ୍ତ ଅଞ୍ଚଳକୁ ଲାଗି ରହିଛି କେନ୍ଦୁଝର ଜିଲାର ହାଟଡ଼ିହି ବ୍ଲକର ମଲ୍ଲୀପୋଷି, ସରମୁଣ୍ଡି, ପିତାନାଉ ଓ ବାଲିପାଳ ଗ୍ରାମ। ପ୍ରାଥମିକ ବିଦ୍ୟାଳୟ ନଥିବାରୁ ଅଙ୍ଗନବାଡ଼ିରୁ ପାଠ ପଢ଼଼ା ସରିଲେ ଶିକ୍ଷାର ଡୋରି ବନ୍ଧା ହୁଏ। ୨୦୧୨ ମସିହାରେ ଖୋଲାଯାଇଥିବା ଏକ ମିନି ଅଙ୍ଗନବାଡ଼ି କେନ୍ଦ୍ରରେ ଘର ନଥିବାରୁ ଏକ ପରିତ୍ୟକ୍ତ ପଲାରେ ଚାଲେ ଅଙ୍ଗନବାଡ଼ି କେନ୍ଦ୍ରଟି। ଚୁଆ, ବିଲ, ନାଳର ପାଣି ଏମାନଙ୍କର ପାନୀୟ। ଯଦିଓ କୂଅଟିଏ ରହିଛି ତାହାର ପାଣିକୁ ପାନୀୟ ଭାବେ ବ୍ୟବହାର କରିପାରନ୍ତି ନାହିଁ। ତେବେ ସବୁଠାରୁ ଦୁଃଖ ପାଲଟିଛି ପାହାଡ଼ତଳେ ଥିବା ଚନ୍ଦନ ନାଳ। ଏହି ଗାଁକୁ କୌଣସି ବିକଳ୍ପ ରାସ୍ତା ନଥିବାରୁ ନାଳରେ ପାଣି ଭର୍ତ୍ତି ହୋଇଗଲେ ଜଳବନ୍ଦୀ ଜୀବନ କାଟିବାକୁ ହୁଏ ଜନସାଧାରଣଙ୍କୁ। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଗୁଣିଗାରେଡ଼ି, କୁକୁଡ଼ା ବଳି ଭଳି କୁତ୍ସିତ ମାନସିକତା ଏବେବି ବଳବତ୍ତର।
କୌଣସି ରୋଗୀଙ୍କୁ ଡାକ୍ତରଖାନା ଆଣିବାକୁ ହେଲେ ସଙ୍ଗୀଭାର ହିଁ ଭରସା। ଭାଗ୍ୟ ଥିଲେ ଜୀବନ ଧରି ଗାଁକୁ ଫେରେ ରୋଗୀ। ଯେଉଁଠି ସର୍ବନିମ୍ନ ମୌଳିକ ସୁବିଧା ସ୍ବପ୍ନ, ସେଠି ବିଜୁଳି ଆଲୁଅ କଥା କେବେବି ଚିନ୍ତା କରିନାହାନ୍ତି ଜନସାଧାରଣ।
ଜଙ୍ଗଲ ଥିଲା ଏମାନଙ୍କର ସବୁକିଛି। ଦିନେ ଜଙ୍ଗଲ ନଗଲେ ଘରେ ଚୁଲି ଜଳୁନଥିଲା। ମାତ୍ର ଜଙ୍ଗଲ ଜାତ ଦ୍ରବ୍ୟ ଉପରେ କଟକଣା ଲାଗୁପରେ ଚିରାଚରିତ ଭାବେ ବଞ୍ଚୁଥିବା ଏହି ପରିବାର ଆହାର ଉପରେ ପାହାର ପଡ଼ିଛି। ଖଲି ତିଆରି କରି ୧୦ କିମି ଆସି ବିକ୍ରି କଲେ ପରିବାର ମୁହଁକୁ ଦାନା ଯାଉଛି। ତେବେ ସବୁ ଗ୍ରାମକୁ ପକ୍କା ରାସ୍ତା, ସ୍ବଚ୍ଛ ପାଣି, ବିଜୁଳି, ଆଲୋକ ସ୍ଲୋଗାନ ଦେଉଥିବା ସରକାର ତେଣ୍ଡା ଗ୍ରାମବାସୀଙ୍କୁ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧା ଯୋଗାଇ ନଦେବା ଆମ ସଫଳ ପ୍ରଶାସନ ଓ ପ୍ରଶାସକଙ୍କ ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମଚରଣ ହାଇବୁରୁ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଚନ୍ଦନ ନାଳରେ ସ୍ଥାୟୀ ପୋଲ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ପୋଲ ନିର୍ମାଣ ହେଲେ ଗ୍ରାମର ବିକାଶ ସୁନିଶ୍ଚିତ ହେବ। କପ୍ତିପଦା ବିଡିଓ ରେଶ୍ମା ଟେଟେ କହନ୍ତି ୨୭ ତାରିଖରେ ଶରତଠାରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ତେଣ୍ଡା ଗ୍ରାମର ଜନସାଧାରଣ ଜିଲାପାଳଙ୍କୁ ସାକ୍ଷାତ ତାଙ୍କର ଦୁଃଖ ଜଣାଇଛନ୍ତି। ଖୁବ୍ ଶୀଘ୍ର ଉକ୍ତ ଗ୍ରାମକୁ ଗସ୍ତରେ ଯାଇ ସେମାନଙ୍କର ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବି।



