ଭୁବନେଶ୍ବର : ରାଜ୍ୟରେ ଶୀତ ପ୍ରବାହ ଅବ୍ୟାହତ ରହିଥିବାବେଳେ ଏବେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼ ଓ ସମ୍ବଲପୁରରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସେହିପରି ପରବର୍ତ୍ତୀ ୨୪ଘଣ୍ଟାରେ କଳାହାଣ୍ଡି, ବଲାଙ୍ଗୀର କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟାରେ ପଶ୍ଚିମ ଓ ଉତ୍ତରରେ ବର୍ଷାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୨୪ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତ୍ରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ୧୧ତାରିଖ ସକାଳ ସୁଦ୍ଧା ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜରେ ହାଲୁକା ବର୍ଷା ହେବ।
ବର୍ଷା ପାଇଁ ସଜାଗ ରହିବା ସହିତ ଚାଷୀମାନଙ୍କୁ ସଚେତନ କରାଇବା ଓ ପ୍ରତିକାର ପନ୍ଥା ଗ୍ରହଣ କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ବର୍ଷା ଯୋଗୁଁ ଅମଳ ହୋଇଥିବା ଧାନ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ ସଚେତନ କରାଇବାକୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରେ ଧାନ ଯେପରି ନଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦେବା ସହିତ ଶୀତ ପ୍ରବାହ ଲାଗିରହିଥିବାରୁ ନିରାଶ୍ରୟ ଓ ବାସହୀନ ଲୋକଙ୍କୁ ଆଶ୍ରୟସ୍ଥଳ ଏବଂ ସ୍କୁଲ କୋଠାରେ ଆଶ୍ରୟ ଦେବା ପାଇଁ ନିର୍ଦେଶ ଦିଆଯାଇଛି।
ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ଥିବାବେଳେ ୧୧ତାରିଖଠାରୁ ସର୍ବନିମ୍ନ ତାପମାତ୍ରା ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପାରଦ ଖସିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଲାଗିରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠୁ କମ ତାପମାତ୍ରା ଦାରିଙ୍ଗବାଡ଼ତରେ ୯ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସେହିପରି ସୋନପୁର, ଟିଟିଲାଗଡ଼ିରେ ୯ରୁ ୧୦ଡ଼ିଗ୍ରୀ ମଧ୍ୟରେ ରହିଛି। ପୁରୀ ଓ ଗୋପାଳପୁରକୁ ଛାଡ଼ିଦେଲେ ଅନ୍ୟ ସବୁଠି ପାରଦ ୧୪ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ଥିବାରୁ ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।



