୧୮ରୁ ଘୂର୍ଣ୍ଣିବଳୟ; ୨୨ ଯାଏ ପ୍ରବଳ ବର୍ଷା

ଭୁବନେଶ୍ବର: ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପନେଇ ଲଘୁଚାପ ଦୁର୍ବଳ ହୋଇଛି। ମଙ୍ଗଳବାର ଉପକୂଳ ଜିଲା ଗୁଡିକରେ ଆକାଶ ମେଘୁଆ ରହିବା ସହ ବର୍ଷା ହୋଇଛି। ପରବର୍ତ୍ତୀ ଦୁଇଦିନ କାଁ ଭାଁ ବର୍ଷା ହେବାକୁ ଥିବାବେଳେ ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛି।

ଏହାର ପ୍ରଭାବ ୨୨ ତାରିଖ ପର୍ଯ୍ୟନ୍ତ ଥିବାବେଳେ ସାରା ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଦିଆଯାଇଛି। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ,କନ୍ଧମାଳ, ନୟାଗଡ, କଟକ ଏବଂ ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୫୪.୬ ମିମି, ଛତ୍ରପୁର ୪୦ମିମି ଏବଂ ହେମଗିରିରେ ୩୫ ମିମି ବର୍ଷା ହୋଇଛି। ମଙ୍ଗଳବାର ପୁରୀରେ ସବୁଠୁ ଅଧିକ ୩୬.୪ମିମି ବର୍ଷା ହୋଇଥିବାବେଳେ ପାରାଦ୍ବୀପ ୩୧.୬ମିମି, ଯାଜପୁର ୧୮ମିମି, ପାରଳାଖେମୁଣ୍ଡି ୬.୨ ମିମି, କଟକ, ବାଲେଶ୍ବର, ଚାନ୍ଦବାଲି, ଭୁବନେଶ୍ବର, ଗୋପାଳପୁର, ତାଳଚେର, ଜଗତସିଂହପୁର ଆଦି ଅଞ୍ଚଳରେ ବର୍ଷା ହୋଇଛି। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୦୮୪.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୫ ପ୍ରତିଶତ ଅଧିକ।

Comments are closed.