ବର୍ଷାରେ ଭିଜୁଛି ସାରା ରାଜ୍ୟ
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ, ଘୂର୍ଣ୍ଣିବଳୟ ଏବଂ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଶନିବାର ପୂର୍ବାହ୍ଣରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ପୁରୀ, ସୁବର୍ଣ୍ଣପୁର, ଭୁବନେଶ୍ବର, କଟକ ଓ ଚାନ୍ଦବାଲି ଆଦି ଅଞ୍ଚଳରେ ଭୀଷଣ ବର୍ଷା ଦେଖିବାକୁ ମିଳିଛି । ବର୍ଷା ପାଣିରେ ସହରଗୁଡ଼ିକ ଉବୁଟୁବୁ ହୋଇଛି। ଶନିବାର ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ତିନିଦିନ ଧରି ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର।
ପୁରୀରେ ସର୍ବାଧିକ ୯୯.୯ ମିମି ବର୍ଷା ହୋଇଥିବା ବେଳେ ସୁବର୍ଣ୍ଣପୁରରେ ୯୯ ମିମି ବର୍ଷା ରେକର୍ଡ କରାଯାଇଛି। ୨ ଘଣ୍ଟା ଧରି ନିର୍ଘାତ ବର୍ଷା ହେବାରୁ ପୁରୀ, କଟକ, ଭୁବନେଶ୍ବର ଓ ଜଟଣୀ ବେହାଲ ହୋଇ ପଡିଛି । ମୂଷଳ ଧାରା ବର୍ଷା ଦ୍ବାରା ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ପୁରୀରେ ସର୍ବାଧିକ ବର୍ଷା ହେବାରୁ ବଡଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା। ପାଣି ନିଷ୍କାସନ ହୋଇ ନ ପାରିବାରୁ ବଡଦାଣ୍ଡରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ନଜରକୁ ଆସିଛି । କେବଳ ପୁରୀ ନୁହେଁ ଭୁବନେଶ୍ବରରେ ୩୬.୬ ମିମି ବର୍ଷା ରେକର୍ଡ ହୋଇଛି। ଇସ୍କନ, ବମିଖାଲ, ଲକ୍ଷ୍ମୀସାଗର, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଓ ପୁରୁଣା ଭୁବନେଶ୍ବର ଓ ରସୁଲଗଡ ଆଦି ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷାରେ ପାଣି ଜମିବା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଇସ୍କନ ମନ୍ଦିର ସମ୍ମୁଖରେ ୪ଫୁଟ ପାଣି ଜମିବା ଯୋଗୁଁ ବାଇକ ବୁଡି ଯାଇଥିବା ବେଳେ ଜାଆଁଳା କ୍ରିଷ୍ଣା ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ପଶିଛି। ପାଣି ଛାଡିବାକୁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗିଥିଲା। ଏହାରି ଭିତରେ ଲୋକ ଗାଡିମୋଟର ଧରି ରାସ୍ତାର ଉଭୟ ପାର୍ଶ୍ବ ଠିଆ ହୋଇ ରହିଥିଲେ। ଜଟଣୀ-ପିପିଲି ଭୂ-ତଳ ରାସ୍ତାରେ ୧୫ ଫୁଟର ପାଣି ସୁଅ କାଟି ଯାଉଥିଲା। ମୋ ବସ ଚାଳକ ଅମାନିଆ ହୋଇ ଗାଡି ଭର୍ତ୍ତି କରିବା ଦ୍ବାରା ମଝିରେ ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଯାତ୍ରୀ ସହ ବସ ଫସି ଯାଇଥିଲା। ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାତ୍ରୀମାନେ ଜୀବନ ରକ୍ଷା କରିବା ପାଇଁ ପହଁରି ଉପରକୁ ଆସୁଥିବା ବେଳେ କେତେକଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ। ସେହିପରି କଟକରେ ୨୭ ମିମି ବର୍ଷା ହେବାରୁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିବା ଏବଂ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବାରୁ ସହର ଜଳମଗ୍ନ ହୋଇଛି।
ପାଣିପାଗ ବିଭାଗର ଆକଳନ କହୁଛି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ପୁରୀ ଓ ରାୟଗଡାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଗଜପତି, ସୁବର୍ଣ୍ଣପୁର, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଅନୁଗୋଳ ଓ ବରଗଡର କେତେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଉକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପରିସ୍ଥିତିକୁ ଦେଖି ସତର୍କ ରହିବାକୁ ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ପରାମର୍ଶ ଦେଇଛନ୍ତି।
୧୦ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ, ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୮ରୁ ୧୧ ତାରିଖ ଯାଏଁ ଝଡବର୍ଷା ସହ ଘଣ୍ଟାପ୍ରତି ୪୫ରୁ ୫୫ କିମି ପବନ ବହିବାର ଆଶଙ୍କା ରହିଛି। ୭ରୁ ୧୧ ଯାଏଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ରବିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳସ୍ବରୂପ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଓ ଘର ପ୍ରଭାବିତ ହେବା ସମ୍ଭାବନା ରହିଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ସହରାଞ୍ଚଳରେ ପାଣି ଜମିବା ଓ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସହ ଟ୍ରାଫିକ ସମସ୍ୟା ଉପୁଜିପାରେ। ଚାଷୀଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏଁ କୀଟନାଶକ, ସାର ଓ ଜଳସେଚନ ନ କରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
Comments are closed.