mission shakti banner

ଜଳସଙ୍କଟ ଦୂର ପାଇଁ ପାକିସ୍ତାନକୁ ପ୍ରବାହିତ ନଦୀ ଜଳ ବ୍ୟବହାର କରିବ ଭାରତ

BSKY banner  750×100
0

ବେଙ୍ଗାଲୁରୁ : ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଦେଖାଦେଇଥିବା ଉତ୍କଟ ଜଳାଭାବ ଦୂର ନିମନ୍ତେ ପାକିସ୍ତାନକୁ ପ୍ରବାହିତ ନଦୀର ଜଳ ଉପଯୋଗ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଉଦ୍ୟୋଗ ମହାସଂଘ ଦ୍ୱାରା ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କୃଷକଙ୍କୁ ପର୍ଯ୍ୟାପ୍ତ ଜଳ ଯୋଗାଇ ଦେବା ନିମନ୍ତେ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ କେନାଲ ପରିବର୍ତ୍ତେ ସୃଜନାତ୍ମକ ପ୍ରଯୁକ୍ତିବିଦ୍ୟା ବ୍ୟବହାର ପୂର୍ବକ ପାଇପ୍‌ ଦ୍ୱାରା କୃଷି ପାଇଁ ଜଳ ଯୋଗାଇ ଦିଆଯିବ। ଏହାଦ୍ୱାରା ୬୦୦୦ କୋଟି ଟଙ୍କାର ଭୂମି ଅଧିଗ୍ରହଣଜନିତ ଖର୍ଚ୍ଚରୁ ମଧ୍ୟ ବର୍ତ୍ତି ହେବ। ଗୋଦାବରୀ ନଦୀର ଉଦାହରଣ ଉପସ୍ଥାପନ କରି ସେ କହିଛନ୍ତି, ଏହି ନଦୀର ୩୦୦୦ ଟିଏମ୍‌ସି ଜଳ ସମୁଦ୍ରକୁ ବୋହିଯାଉଛି। ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଗୋଦାବରୀର ଉପନଦୀ ଇନ୍ଦ୍ରାବତୀର ଜଳ ପ୍ରବାହକୁ ରୋକିବା ଲାଗି ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ଠାରେ ୬୦,୦୦୦ କୋଟି ଟଙ୍କା ବିନିମୟରେ ସରକାର ଏକ ବନ୍ଧ ନିର୍ମାଣ କରୁଛନ୍ତି। ୧,୩୦୦ କିଲୋମିଟର ପାଇପଲାଇନ୍‌ ବିଛାଇ ତାମିଲନାଡୁର ଶେଷ ପର୍ଯ୍ୟନ୍ତ ଜଳ ଯୋଗାଇ ଦେଇ ହେବ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ତାମିଲନାଡୁ ପ୍ରାୟ ୪୫୦ ଟିଏମ୍‌ସି ଜଳ ପାଇବ ବୋଲି ସେ କହିଛନ୍ତି।
ଏଥିସହ ସରକାର କର୍ଣ୍ଣାଟକର କରୱା ବନ୍ଦରକୁ ମଧ୍ୟ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଯଦି ରାଜ୍ୟ ସରକାରଙ୍କ ସହିତ ବୁଝାମଣା ହୁଏ ତେବେ ଏ ନେଇ କେନ୍ଦ୍ର ୩,୦୦୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି ବୋଲି ସଡ଼କ ପରିବହନ ଓ ରାଜପଥ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଗଡକାରୀ କହିଛନ୍ତି। ଜଳପଥ ପ୍ରସଙ୍ଗ ଉଠାଇ ସେ କହିଛନ୍ତି ସାମୁଦ୍ରିକ ବିମାନକୁ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ଏ ନେଇ ହାଲ୍‌ ସହିତ ମିଳିତ ଉଦ୍ୟମରେ ବିମାନ ନିର୍ମାଣ କରାଯିବାକୁ ସ୍ଥିିର ହୋଇଛି। ଏଥିକ୍ରମେ ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୦,୦୦୦ ସାମୁଦ୍ରକ ବିମାନ ନିର୍ମାଣ ହେବ। ଏହି ଅବସରରେ ଗଡ଼କରୀ ଜରୁରୀକାଳୀନ ଭିତ୍ତିରେ ପ୍ରଦ୍ୟୂଷଣଜନିତ ସମସ୍ୟାର ମୁକାବିଲା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

Leave A Reply