ଭୟାନକ ଜଳସଙ୍କଟରେ ଭାରତ
ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ଉତ୍କଟ ଜଳସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଯଦି ଏବେଠାରୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ସ୍ଥିତି ଭୟାନକ ହେବାର ଆଶଙ୍କା ଦେଖାଦେଇଛି। ଏଭଳି ଚେତାବନୀ ଦେଇଛି ନିତି ଆୟୋଗ।
ନିିତି ଆୟୋଗ ପ୍ରସ୍ତୁତ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ ଭାରତର ଭୂତଳ ଜଳସ୍ଥିତି ଏବେ ଯେଉଁ ସ୍ତରରେ ରହିଛି ତାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ଭୂତଳ ଜଳସ୍ତର ଅତୀତର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ବର୍ତ୍ତମାନ ପରିସ୍ଥିତିରେ ଦେଶର ୬୦ କୋଟି ଲୋକ ଗୁରୁତର ଜଳସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ପ୍ରଦୂଷିତ ପାଣି ପିଇ ବର୍ଷକୁ ୨ ଲକ୍ଷ ଭାରତୀୟ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଜଳାଭାବ ଯୋଗୁଁ ଲୋକମାନେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ଜଳଜନିତ ମୃତ୍ୟୁ ଓ ରୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ୧୨ ବର୍ଷ ମଧ୍ୟରେ ଜଳ ଚାହିଦା ବର୍ତ୍ତମାନଠାରୁ ଦୁଇ ଗୁଣ ବୃଦ୍ଧି ପାଇବ। ଏହି ପରିପ୍ରେକ୍ଷୀରେ ଭାରତର ଜଳ ସ୍ଥିତି କଣ ହେବ ତାହା ଅନୁମେୟ।
‘କମ୍ପୋଜାଇଟ୍ ୱାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସ’ ଶୀର୍ଷକ ଏହି ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ଜଳସଙ୍କଟ ଯୋଗୁଁ କେବଳ ଜନଜୀବନ ପ୍ରଭାବିତ ହେବ ନାହିଁ, ବରଂ ଭାରତର ଅଭିବୃଦ୍ଧି ହାର ୬% ହ୍ରାସ ପାଇବ। ୨୦୨୦ ବେଳକୁ ଦେଶର ୨୧ଟି ପ୍ରମୁଖ ସହରର ଭୂତଳ ଜଳସ୍ତର ଶୁଷ୍କ ହୋଇପଡ଼ିବ। ଏଥିଯୋଗୁଁ ପ୍ରାୟ ୧୦ କୋଟି ଲୋକ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବେ।
କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଆନୁକୂଲ୍ୟରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ଭାରତର ୭୦% ଜଳ ପ୍ରଦୂଷିତ। ବିଶ୍ୱ ସ୍ୱଚ୍ଛ ଜଳ ସୂଚକାଙ୍କ ତାଲିକାରେ ୧୨୨ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୨୦ ତମ ସ୍ଥାନରେ ରହିଛି।
ଭୂତଳ ଜଳସ୍ତର, ଜଳ ପରିଚାଳନା, ଜଳ ସଂରକ୍ଷଣ, ଜଳସେଚନ, ବିଭିନ୍ନ ଫାର୍ମ ଦ୍ୱାରା ଜଳ ବ୍ୟବହାର, ପାନୀୟ ଜଳ ଚାହିଦା ଓ ସ୍ଥିତି, ସରକାରଙ୍କ ଜଳ ଯୋଗାଣ ନୀତି ଆଧାରରେ ନିତି ଆୟୋଗ ବିଭିନ୍ନ ରାଜ୍ୟର ସ୍ଥିତିକୁ ନେଇ ସୂଚକାଙ୍କ ପ୍ରସ୍ତୁତ କରିଛି। ଏହି ସୂଚକାଙ୍କରେ ଗୁଜରାଟ ସର୍ବାଗ୍ରେ ଥିବା ବେଳେ ତା’ ପଛକୁ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଅଛନ୍ତି। ଉତ୍ତର-ପୂର୍ବାଞ୍ଚଳ ଓ ହିମାଳୟ ପାଦଦେଶରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତ୍ରିପୁରା ତାଲିକାରେ ସବୁଠାରୁ ଆଗରେ ରହିଛି। ତା’ପଛକୁ ହିମାଚଳପ୍ରଦେଶ, ସକ୍କିମ ଓ ଆସାମ୍ ରହିଛନ୍ତି। ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ହରିଆନାରେ ଜଳସଙ୍କଟ ଉତ୍କଟ ବୋଲି ଜଣାପଡ଼ିଛି। ଏହି ସବୁ ରାଜ୍ୟଗୁଡ଼ିକରେ ପ୍ରାୟ ୬୦ କୋଟି ଲୋକ ରହୁଥିବା ବେଳେ ଦେଶର ମୋଟ କୃଷି ଉତ୍ପାଦନର ୨୦ ରୁ ୩୦%ର ଅବଦାନ ରହିଛି।