ଭାରତରେ ଜଳ ସଂକଟ ଉତ୍କଟ ହେବ : ଉପଗ୍ରହ ତଥ୍ୟ

0

ନୂଆଦିଲ୍ଲୀ : ଚଳିତ ବର୍ଷ ସ୍ପେନ, ମୋରୋକୋ ଏବଂ ଇରାକ ସମେତ ଭାରତରେ ଜଳର ଘୋର ଅଭାବ ପରିଲକ୍ଷିତ ହେବ ବୋଲି ଉପଗ୍ରହ ତଥ୍ୟରୁ ଜାଣିବାକୁ ମିଳିଛି । ଉପଗ୍ରହ ସୂଚନା ସଂକେତରୁ ମଳିଥିବା ଚେତାବନୀ ଅନୁସାରେ ଏହି ଦେଶଗୁଡ଼ିକ ସହ ଭାରତରେ ଅନେକ ଜଳ ଉତ୍ସ ଶୁଖିଯିବ । ତେଣୁ ଭାରତରେ ଜଳ ସଂକେଟ ଉତ୍କଟ ରୂପ ନେବ । ଏପଟେ ମଧ୍ୟପ୍ରଦେଶସ୍ଥିତ ଇନ୍ଦିରା ସାଗର ବନ୍ଧ ଏବଂ ଗୁଜରାଟର ସର୍ଦାର ସରୋବର ଜଳାଶୟରେ ଜଳସ୍ତର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । କମ୍‌ ବର୍ଷା ଯୋଗୁ ଏହି ଦୁଇ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଛି ବୋଲି କୁହାଯାଇଛି । ଏହି ଦୁଇ ଜଳାଶୟରୁ ଲକ୍ଷାଧିକ ଲୋକଙ୍କୁ ପାଣି ଯୋଗା ଯାଇଥାଏ । ଇଂରାଜୀ ଖବରକାଗଜ ‘ଗାର୍ଡିଆନ’ର ରିପୋର୍ଟ ଅନୁସାରେ ଉପଗ୍ରହରୁ ପ୍ରାପ୍ତ ସଂକେତ ଆଧାରରେ ପୁର୍ବାନୁମାନ କରାଯାଉଛି ଯେ ଜଳାଶୟ ଶୁଖିବା କାରଣରୁ ଆଗକୁ ଜଳ ସଂକଟ ଉତ୍କଟ ହେବ । ୱାର୍ଲ୍ଡ ରିସୋର୍ସେସ୍‌ ଇନଷ୍ଟିଚ୍ୟୁଟ୍‌ (ଡବ୍ଲ୍ୟୁଆରଆଇ) ଅନୁସାରେ ପାଣିର ବୃଦ୍ଧିପାଉଥିବା ମାତ୍ରାଧିକ ଚାହିଦା, ଜଳବାୟୁ ପରିବର୍ତ୍ତନ କାରଣ ଭାରତ ସମେତ ଅନ୍ୟ କେତେକ ଦେଶରେ ଜଳ ସଂକଟ ଦେଖାଯିବ । ପ୍ରକାଶ ଯେ ଇନ୍ଦିରା ସାଗର ଏବଂ ସର୍ଦାର ସରୋବର ଜଳାଶୟକୁ ନର୍ମଦା ନଦୀରୁ ପାଣି ମଳିଥାଏ । ଗତ ବର୍ଷ ବର୍ଷା ପରିମାଣରେ ହ୍ରାସ ଘଟିଥିବାରୁ ଇନ୍ଦିରା ସାଗର ଜଳସ୍ତର ସ୍ୱାଭାବିକ ଜଳସ୍ତରଠାରୁ କମ୍‌ ରହିଛି । ଏବେକାର ଏହି ଦୁଇ ଜଳାଶୟର ଜଳସ୍ତର ତୃତୀୟ ସର୍ବନିମ୍ନ ବୋଲି କୁହାଯାଉଛି । ସର୍ଦାର ଜଳାଶୟରେ ଜଳସ୍ତର ହ୍ରାସ ଘଟୁଥିବାରୁ ଗତ ମାସରୁ ଗୁଜରାଟ ସରକାର ବିଲବାଡିକୁ ଜଳ ସେଚନ ବନ୍ଦ କରିଦେଇଛନ୍ତି । ଶୁକ୍ରବାର କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ ଦେଶର ୯୧ଟି ବଡ଼ ଜଳାଶୟରେ ଅପ୍ରେଲ ୧୨ ସୁଦ୍ଧା ୪୦.୮୫୭ ବିସିଏମ୍‌ ପାଣି ଅଛି । ଏହି ସଂଗୃହିତ ଜଳ ଜଳାଶୟଗୁଡ଼ିକର ମୋଟ ସଂଗ୍ରହ କ୍ଷମତାର ମାତ୍ର ୨୫% ଅଟନ୍ତି । ଏହା ପୂର୍ବରୁ ଅପ୍ରେଲ ୫ ସୁଦ୍ଧା ଜଳାଶୟଗୁଡ଼ିକରେ ମୋଟ ସଂଗ୍ରହ କ୍ଷମତାର ୨୭% ଜଳ ଥିଲା ।

Leave A Reply