www.samajalive.in
Sunday, December 7, 2025
18.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଅଛନ୍ତି ଜନଜାତି ଭାଇଭଉଣୀ

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ର ସହିତ ଭୁବନେଶ୍ବରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ପ୍ରତ୍ୟେକ ସ୍ଥାନରେ ବିପୁଳ ସଂଖ୍ୟାରେ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ। ସଭାଗୁଡ଼ିକରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀମାନଙ୍କୁ ତାଙ୍କ ହୃଦୟ​‌ରେ ସମ୍ମାନର ସହ ରଖିଛନ୍ତି। ଜନଜାତି ଭାଇଭଉଣୀଙ୍କ ଉନ୍ନତିକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଅନ୍ୟ ରାଜ୍ୟମାନେ ଜନଜାତି ବଜେଟ କମାଇ କମାଇ ଚାଲିଛନ୍ତି କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜନଜାତି ବଜେଟକୁ ବଢ଼ାଇ ଚାଲିଛନ୍ତି। ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଲକ୍ଷ ଲକ୍ଷ ଜନଜାତି ସମ୍ପ୍ରଦାୟର ଝିଅମାନଙ୍କ ପାଠପଢ଼ା ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି। ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୂଲ୍ୟରେ କିଣିବା ପାଇଁ ଲାଭ ଯୋଜନା ଆରମ୍ଭ କରିଛନ୍ତି। ଜନଜାତି ସମ୍ପ୍ରଦାୟଙ୍କ ଉପରୁ୫୦ ହଜାର ଛୋଟ ବଡ ପୁଲିସ, ଅବକାରୀ ଓ ଜଙ୍ଗଲ ମାମଲା ରଦ୍ଦ କରିଛନ୍ତି। ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରି ସେ କହିଲେ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ବିରୋଧ କରି ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ। ଲିଙ୍ଗରାଜ ଓ ପୁରୀ ମନ୍ଦିର କାମ ବହୁ ଆଗରୁ ସମ୍ପୂର୍ଣ୍ଣ ହୋଇପାରିଥାନ୍ତା, କିନ୍ତୁ ଭୁବନେଶ୍ୱର ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଯୋଗୁଁ ବିଳମ୍ୱ ହେଲା। ମହିଳାମାନଙ୍କ ସଶକ୍ତିକରଣ ବିଷୟ ଉପସ୍ଥାପନ କରି ସେ କହିଲେ ଯେ, ମିଶନଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି। ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଦେଉଛନ୍ତି, ଯାହା କୋୖଣସି ରାଜ୍ୟ ସରକାର ଦେଉନାହାନ୍ତି। ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି। ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ଦିଆଯିବ। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ପୁଣି କହିଥିଲେ ଯେ, କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି। ଏତେ ଭଲ କାମ ଦେଖି ବିରୋଧୀଙ୍କ ନିଦ ଭାଙ୍ଗିଗଲାଣି। ସେମାନେ ଏବେ ମିଛ କଥା କହି, ଅପପ୍ରଚାର କରିବାକୁ ଲାଗିଛନ୍ତି। ଓଡ଼ିଶାରେ ବିକାଶର ଚିତ୍ର ରଖି ସେ କହିଲେ ଯେ, ନବୀନ ବାବୁଙ୍କ ସରକାର ନିର୍ମାଣ କରିଥିବା ଆମ ହସ୍‍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି। ଏ ସବୁ ନୂଆ ଓଡ଼ିଶାର ନମୁନା। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି।
କରଞ୍ଜିଆରେ ସେ କହିଲେ ଯେ ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ସମ୍ପର୍କ ବହୁତ ପୁରୁଣା। ୨୦ ବର୍ଷ ତଳେ ମୁଁ ଏଠାରେ ଜିଲାପାଳ ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ। କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଏବେ ଘରେ ଘରେ ପିଇବା ପାଣିର ସୁବିଧା, ଦେବକୁଣ୍ଡର ଉନ୍ନତି, ଅନେକ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି। ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଠାକୁରମୁଣ୍ଡା, କରଞ୍ଜିଆ ଓ ଶରତର ଶହ ଶହ ମନ୍ଦିରର ଉନ୍ନତି କରାଯାଇଛି। ପାଟଣାରେ ସେ କହିଲେ ଯେ, ଆପଣମାନଙ୍କ ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି। ମସଜିଦ, ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି। ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ଦିଆଯାଇଛି। ସବୁ ହାଇସ୍କୁଲର ୫-ଟି ରୂପାନ୍ତରଣ ହୋଇଛି। ତେଲକୋଇରେ ସେ କହିଲେ ଯେ, ଗୁପ୍ତଗଙ୍ଗା ପାଇଁ ୨.୫୦ କୋଟିଗୁଣ୍ଡିଚା ଘାଇ ପାଇଁ ୨୦ ଲକ୍ଷ, ଆଇଟିଆଇ କୋଠା ପାଇଁ ୬.୫୦ କୋଟି ଦିଆଯାଇଛି। ଜୁଆଙ୍ଗ ସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି। ତେଲକୋଇ ନିର୍ବାଚନ ମଣ୍ଡଳୀର ୮୦ଟି ରାସ୍ତା ନିର୍ମାଣ ପାଇଁ ୫୭୦ କୋଟି ଟଙ୍କା ଦିଆଯାଇଛି। ଘସିପୁରାରେ କହିଲେ ଯେ, ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇ କାମ କରୁଛନ୍ତି। ଅନେକ ମଠ, ମନ୍ଦିର, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତି କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତି ହେମ୍ୱ୍ରମ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସରଦାର ଓ ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର ପ୍ରମୁଖ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କରି ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ। ଅନୁରୂପ ଭାବରେ ଭୁବନେଶ୍ବରରେ ସନ୍ଧ୍ୟାରେ ପ୍ରଚାର କରି ସେ ବିଜେଡି ପ୍ରାର୍ଥୀଙ୍କୁ ଜିିତାଇବାକୁ ନିବେଦନ କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories