ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର, ଓଡ଼ିଶାର ଭୂମିଜ ଜନଜାତି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଫେବୃଆରୀ ୬ ତାରିଖ ଦିନ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଓଡ଼ିଶାର ଭୂମିଜ ଜନଜାତିଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ଭୂମିଜ ଜନଜାତି ସଂପ୍ରଦାୟ ବିଶେଷତଃ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟଗୁଡ଼ିକରେ ବସବାସ କରିଥାନ୍ତି। ଏହି ସଂପ୍ରଦାୟ କୃଷିଜୀବୀ ଅଟନ୍ତି। ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲାରେ ପ୍ରାୟତଃ ଭୂମିଜ ଜନଜାତିର ଲୋକମାନଙ୍କୁ ଦେଖିବାକୁ ମିଳେ। ଗ୍ରାମରେ ସେମାନେ ଅନ୍ୟାନ୍ୟ ଜନଜାତି ସଂପ୍ରଦାୟ ସହିତ ବାସ କରିଥାନ୍ତି। ବେଶପୋଷାକରେ ଭୂମିଜମାନେ ହିନ୍ଦୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ପୁରୁଷମାନେ ଧୋତି ଓ ଗାମୁଛା ବ୍ୟବହାର କରିଥାନ୍ତି।

 

prayash

ଗାଁ ବାହାରକୁ ଯିବାବେଳେ ସେମାନେ ସାର୍ଟ ପିନ୍ଧିଥାନ୍ତି। ଭୂମିଜ ଜନଜାତି ମହିଳାମାନେ ଶାଢ଼ି ଓ ବ୍ଲାଉଜ ପରିଧାନ କରିଥାନ୍ତି। ପାରମ୍ପରିକ ଭାବେ ସେମାନେ ନାଲି ଓ ନୀଳ ଗାର ଥିବା ଖଦି କପଡ଼ା ବ୍ୟବହାର କରିଥାନ୍ତି। ଓରାଓଁ ଜନଜାତିର ପୋଷାକ ସହିତ ଏହା ସମାନ ପ୍ରକାରର ଦେଖାଯାଏ। ମହିଳାମାନେ ନାକଫୁଲ, ମାଳିହାର, ବାହୁବନ୍ଧ ଓ ଚୂଡ଼ିକୁ ସ୍ଥାନୀୟ ବଜାରରୁ କିଣିଥାନ୍ତି। ସେହି ଅଳଙ୍କାର ମଧ୍ୟରୁ କେତେକ ମୂଲ୍ୟବାନ ଧାତୁ ବିଶେଷତଃ ରୂପା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ।
ଭୂମିଜ ଜନଜାତିମାନଙ୍କର ଏକ ବିଶେଷତ୍ୱ ରହିଛି। ସେମାନେ ସାମାଜିକ-ଧାର୍ମିକ ବିଶ୍ୱାସକୁ ମାନିଥାନ୍ତି। ଏହି ଜନଜାତି ୧୫ଟି ଗୋତ୍ରରେ ବିଭକ୍ତ। ସେଥି ମଧ୍ୟରୁ ଘୋଡ଼ା, ପଦ୍ମ, ସର୍ପ ଓ ପୃଥିବୀ ଅନ୍ୟତମ। ଭୂମିଜ ଜନଜାତି ସଂପ୍ରଦାୟଙ୍କ ନିମନ୍ତେ ଏହି ଟୋଟେମ୍‌ଗୁଡ଼ିକ ଉଦ୍ଭିଦ, ପ୍ରାଣୀସମୂହ ଓ ପ୍ରକୃତିର ବିଭିନ୍ନ ଉପାଦାନକୁ ପ୍ରତିନିଧିତ୍ୱ କରିଥାଏ। ସିଙ୍ଗବଙ୍ଗା ହେଉଛନ୍ତି ଭୂମିଜ ଜନଜାତିଙ୍କ ପରମ ଦେବତା।

kalyan agarbati

Comments are closed.