ବିଶ୍ବ କୁସ୍ତି ଚମ୍ପିଆନ୍ସିପ, ବିନେଶଙ୍କୁ ବ୍ରୋଞ୍ଜ୍; ଅଲିମ୍ପିକ୍ସ ଯୋଗ୍ୟତା
ନୁର୍-ସୁଲ୍ତାନ (କାଜାଖସ୍ତାନ): ଏଠାରେ ଚାଲିଥିବା ବିଶ୍ବ କୁସ୍ତି ଚମ୍ପିଆନ୍ସିପ୍ରେ ଭାରତକୁ ଡବଲ୍ ଖୁସି ଦେଇଛନ୍ତି ବିନେଶ ଫୋଗତ। ହରିୟାଣାର ଏହି ମହିଳା ମଲ୍ଲଯୋଦ୍ଧା ଦେଶ ପାଇଁ ବ୍ରୋଞ୍ଜ୍ପଦକ ଜିତିବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ୫୩ କେଜି ବର୍ଗର ବ୍ରୋଞ୍ଜ୍ ପଦକ ମ୍ୟାଚ୍ରେ ବିନେଶ ଗ୍ରୀସ୍ର ମାରିଆ ପ୍ରିଭୋଲାରାକିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲାରେ ବିନେଶ ପଏଣ୍ଟରେ ପଛୁଆ ଥିବା ବେଳେ ମାରିଆଙ୍କୁ ଚିତ୍କରି ବିଜୟୀ ହୋଇଛନ୍ତି।
ଗତ ୩ଟି ବିଶ୍ବ ଚମ୍ପିଆନ୍ସିପ୍ରେ ଭାଗନେଇ ବିନେଶ କୌଣସି ପଦକ ଜିତି ନ ଥିବା ବେଳେ ଏହି ବ୍ରୋଞ୍ଜ୍ ଜିତି ବିନେଶ ବିଶ୍ବ ଚମ୍ପିଆନ୍ସିପ୍ରେ ପ୍ରଥମ ପଦକ ପାଇଛନ୍ତି। ବ୍ରୋଞ୍ଜ୍ ପଦକ ମୁକାବିଲାରେ ମାରିଆ ଆଗୁଆ ଥିବା ବେଳେ ତାଙ୍କୁ ଆକ୍ରମଣ କରିବାର ଏକାଧିକ ପ୍ରୟାସ କରିଥିଲେ ବିନେଶ। ତେବେ ପ୍ରତିଥର ମାରିଆ ରକ୍ଷଣାତ୍ମକ ପ୍ରଦର୍ଶନ କରି ବିନେଶଙ୍କ ଫାଶରୁ ଖସି ଯାଇଥିଲେ। ତେବେ ଶେଷଆଡ଼କୁ ମାରିଆଙ୍କୁ ତଳେ ଫିଙ୍ଗିବା ଯୋଗୁଁ ବିନେଶଙ୍କୁ ୪ ପଏଣ୍ଟ ମିଳିଥିଲା। ତଥାପି ମାରିଆଙ୍କୁ ବିନେଶ ତଳେ ପକାଇ ରଖିଥିଲେ ଏବଂ ଅମ୍ପାୟାର ବିନେଶଙ୍କୁ ବିଜେତା ଘୋଷିତ କରିଥିଲେ। ଫଳରେ ୫ମ ଭାରତୀୟ ମହିଳା ମଲ୍ଲଯୋଦ୍ଧା ଭାବେ ବିଶ୍ବ କୁସ୍ତି ଚମ୍ପିଆନ୍ସିପ୍ରେ ବିନେଶ ପଦକ ଜିତି ପାରିଛନ୍ତି। ପୂର୍ବରୁ ଅଳକା ତୋମର ୨୦୦୬ରେ, ଗୀତା ଫୋଗତ ଓ ତାଙ୍କ ଭଉଣୀ ବବିତା ଫୋଗତ ୨୦୧୨ରେ ଏବଂ ପୂଜା ଧାଣ୍ଡା ଗତବର୍ଷ ବିଶ୍ବ କୁସ୍ତି ଚମ୍ପିଆନ୍ସିପ୍ରେ ପଦକ ଜିତିଥିଲେ। ଏହି ପଦକ ଜିତିବା ପୂର୍ବରୁ ବୁଧବାର ସକାଳୁ ରିପେଚେଜ୍ର ୨ୟ ରାଉଣ୍ଡରେ ବିଶ୍ବର ୧ନଂ ମଲ୍ଲଯୋଦ୍ଧା ସାରା ଆନ୍ ହିଲ୍ଡେବ୍ରାଣ୍ଟ୍ଙ୍କୁ ପରାସ୍ତକରି ବିନେଶ ଫୋଗତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟ ଭାରତୀୟ ପୂଜା ଧାଣ୍ଡା ବିଶ୍ବ କୁସ୍ତି ଚମ୍ପିଆନ୍ସିପ୍ରେ ବ୍ୟକ୍ତିଗତ ୨ୟ ପଦକ ଜିତିବା ଦୌଡ଼ରେ ରହିଛନ୍ତି। ୫୯ କେଜି ବର୍ଗରେ ପୂଜା ଜାପାନର ୟୁଜୁକା ଇନାଗାକିଙ୍କୁ ପରାସ୍ତକରି ସେମିଫାଇନାଲରେ ପ୍ରବେଶ କରିଥିଲେ। ତେବେ ସେମିଫାଇନାଲରେ ପୂଜାଙ୍କୁ ରୁଷିଆର ଲ୍ୟୁବୋଭ୍ ଓଭ୍ଚାରୋଭା ପରାସ୍ତ କରିଥିଲେ। ଫଳରେ ପୂଜାଙ୍କୁ ବ୍ରୋଞ୍ଜ୍ ପଦକ ପାଇଁ ଲଢ଼େଇ କରିବାର ସୁଯୋଗ ମିଳିଛି।
ମହିଳା ୫୦ କେଜି ବର୍ଗରେ ଭାରତର ସୀମା ବିସ୍ଲା ବ୍ରୋଞ୍ଜ୍ ପଦକ ସହ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି। ରିପେଚେଜ୍ର ୨ୟ ରାଉଣ୍ଡରେ ସୀମାଙ୍କୁ ରୁଷିଆର ଏକାତେରିନା ପୋଲେସ୍ଚୁକ୍ ୧୧-୩ ପଏଣ୍ଟରେ ପରାସ୍ତ କରିଛନ୍ତି। ୫୭ କେଜି ବର୍ଗରେ ଭାରତର ସରିତା ମୋର୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ। ୭୬ କେଜି ବର୍ଗରେ ଭାରତର କିରଣ ଓ ୬୫ କେଜି ବର୍ଗରେ ଭାରତର ନବଜୋତ୍ କୌର ପ୍ରାରମ୍ଭିକ ରାଉଣ୍ଡରେ ପରାସ୍ତହୋଇ