ସବୁ ସେବାୟତ ନେବେ ଆଗୁଆ ଟିକା
ପୁରୀ : ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରାୟ ୨୫ଲକ୍ଷ ଭକ୍ତଙ୍କ ସମାଗମ ହେବ। କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ଭକ୍ତଙ୍କ ମେଳରେ ଘୋଷଯାତ୍ରା କରିବେ ଦାରୁବ୍ରହ୍ମ। ତାକୁ ଦୃଷ୍ଟିରେ ରଖି ପ୍ରଶାସନିକସ୍ତରରେ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି। ତେବେ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତଙ୍କ ସମେତ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ରଥଯାତ୍ରା ପୂର୍ବରୁ କରୋନା ପ୍ରତିଷେଧକ ଟିକା ଦେବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାହାକୁ ଅନୁମୋଦନ କରିବା ସହ ସ୍ବତନ୍ତ୍ର ଟିକାକେନ୍ଦ୍ର ଖୋଲି ସେବାୟତଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବାକୁ ପରାମର୍ଶ ଦେଇଛି। ସେହିପରି ରଥଯାତ୍ରା ସହ ସମ୍ପୃକ୍ତ ଜିଲା ପ୍ରଶାସନ, ପୁଲିସ, ପୌରସଂସ୍ଥା, ଜନସ୍ବାସ୍ଥ୍ୟ, ପୂର୍ତ୍ତ, ଅଗ୍ନିଶମ ଏବଂ ବିଜୁଳି ବିଭାଗ କର୍ମଚାରୀଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବା ପାଇଁ ଦାବି ହେଉଛି। ସେବାୟତଙ୍କ ପାଇଁ ୬ଟି ସ୍ଥାନରେ ସ୍ବତନ୍ତ୍ର ଟିକାଦାନ କେନ୍ଦ୍ର ଖୋଲାଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ରଥଯାତ୍ରା ପୂର୍ବରୁ ସବୁ ସେବକ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ତୃତୀୟ କରୋନା ପ୍ରତିଷେଧକ ଟିକା ଦିଆଯିବା ଆରମ୍ଭ ହୋଇଛି। ଅନ୍ୟମାନେ ଏହି ଟିକା ନେବାପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି। ରଥଯାତ୍ରା ସମୟରେ ଯଦି କରୋନା ସଂକ୍ରମଣ ଦେଖାଦିଏ ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ସିଡିଏମ୍ଓ କହିଛନ୍ତି।
Comments are closed.