ନିୟମିତ ଜୀବନ ଶୈଳୀରେ ଯୋଗର ଭୂମିକା ମହତ୍ୱପୂର୍ଣ୍ଣ

ଭୁବନେଶ୍ବର: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଥିବା ଆଜାଦିର ଅମୃତ ମହୋତ୍ସବ ଏବଂ ଆଗାମୀ ଜୁନ ୨୧ ତାରିଖ ଦିନ ପାଳନ କରବାକୁ ଥିବା ଆନ୍ତର୍ଜାତିକ ବିଶ୍ବ ଯୋଗ ଦିବସ ପରିପ୍ରେକ୍ଷୀରେ ଉତ୍କଳ ସଂସ୍କୃତି ବିଶ୍ବ ବିଦ୍ୟାଳୟ ଓ ଏହା ଦ୍ବାରା ଅନୁବନ୍ଧିତ ଓଡିଶାର ବିଭିନ୍ନ ଯୋଗ ମହାବିଦ୍ୟାଳୟମାନଙ୍କ ମିଳିତ ଆନୁକୁଲ୍ୟରେ ସର୍ବ ପ୍ରଥମ ଯୋଗ ମହୋତ୍ସବ ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଅମୀୟ କୁମାର ପଟ୍ଟନାୟକ ଯୋଗ ମହୋତ୍ସବକୁ ଉଦଘାଟନ କରିଥିଲେ। ଏହି ଅବସରରେ ଯୋଗର ଐତିହ, ପରମ୍ପରା, ଦୈନଦିନ ଜୀବନରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଉକ୍ତ ସମାରୋହରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ସୁବାଶ ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯୋଗରେ ପ୍ରାଣ, ଓମର ମହତ୍ବ ତଥା ଯୋଗର ଇତିହାସ ଉପରେ ଆଲୋକପାତ କରିଥିଲେ। ବରଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ଯୋଗର ଉପାଦେୟତା ତଥା ନିୟମିତ ଜୀବନ ଶୈଳୀରେ ଯୋଗର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ।

 

ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମିର ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ପ୍ରଧାନ ଗୁଣାତ୍ମକ ଯୋଗ ଶିକ୍ଷା ଉପରେ ଆଲୋଚନା କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ସଭାପତିତ୍ବ କରି ନିୟମିତ ଜୀବନଚର୍ଯ୍ୟ।କୁ ଶୃଙ୍କଳିତ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯୋଗ ଉଦ୍ୟୋଗୀ ସୃଷ୍ଟି କରିବା, ଗୁଣାତ୍ମକ ଶିକ୍ଷା, ଯୋଗକୁ ଲୋକାଭିମୁଖୀ କରିବାପାଇଁ ଯୋଗ କଲେଜ ଦ୍ୱାରା ପୋଷ୍ୟ ଗ୍ରାମ ଗ୍ରହଣ ଓ ଗୁଣାତ୍ମକ ଯୋଗଶିକ୍ଷା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ବର ସ୍ଥିତ ଯୋଗ ଆୟୁର୍ବେଦ ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୟାନନ୍ଦ ଏକାଡେମୀ ଅଫ ଆର୍ଟ, କଲଚର ଆଣ୍ଡ ଯୋଗର ଛାତ୍ରୀ ଜୟଲକ୍ଷ୍ମୀ ସାମଲ ଏବଂ ଛାତ୍ର ଅକ୍ଷୟ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ। ସମ୍ବଲପୁରସ୍ଥିତ ଦୟାନନ୍ଦ ଏକାଡେମୀ ଅଫ ଆର୍ଟ, କଲଚର ଆଣ୍ଡ ଯୋଗର ନିର୍ଦେଶକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ଓଡିଶାର ବିଭିନ୍ନ ଯୋଗ ମହାବିଦ୍ୟାଳୟ, ଭୁବନେଶ୍ବର, ଆଇଏନସିୱାଇଏସ, ବାଲେଶ୍ବର, ସିୱାଇଏସଏଚ, ଯାଜପୁର, ସିଇଏସୱାଇଏଏନ ଭୁବନେଶ୍ବର, ଆଇଭିଏ ଭୁବନେଶ୍ବର, ଏସଆଇସି କଟକ, ଡିଏଏସିୱାଇ ସମ୍ବଲପୁରରୁ ଆସିଥିବା ଦୁଇଶହରୁ ଅଧିକ ଯୋଗ ଛାତ୍ର-ଛାତ୍ରୀ, ଶିକ୍ଷକ, ଶିକ୍ଷାବିତ, ଜନସାଧାରଣ ଯୋଗଦେଇ ଥିଲେ ଓ ଛାତ୍ରଛାତ୍ରୀମାନେ ଯୋଗାସନ, ପ୍ରାଣାୟାମ, ଧ୍ୟାନ ଓ ଯୋଗ ନୃତ୍ୟ ପ୍ରଦର୍ଶନ କରିଥିଲେ।

Comments are closed.