ରାଷ୍ଟ୍ର ନିର୍ମାଣରେ ମହାତ୍ମାଗାନ୍ଧୀଙ୍କ ଅବଦାନ ଅବିସ୍ମରଣୀୟ

ଉତ୍କଳ ବିଶ୍ବବିଦ୍ୟାଳୟ ‘ଅହିଂସା ସ୍ଥଳ‘ରେ ଶହୀଦ ଦିବସ ପାଳିତ, ଜାତିର ଜନକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ

ଭୁବନେଶ୍ବର: ପୃଥିବୀପୃଷ୍ଠରେ ଜନ୍ମ ନେଇଥିବା କେତେ ଜଣ ମହାନ ବ୍ୟକ୍ତିଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ବିଚାର ଓ ସାଧନା ମାନବ ସଭ୍ୟତାର ସର୍ବୋତ୍ତମ ବିକାଶ ପାଇଁ ପ୍ରେରଣାର ଉତ୍ସ। ପୃଥିବୀରେ ହିଂସା, ଭୟ, ଘୃଣା ଓ ଶୋଷଣମୁକ୍ତ ମଣିଷ ସମାଜ ନିର୍ମାଣ ଥିଲା ଗାନ୍ଧିଜୀଙ୍କ ବିଶ୍ୱ ପରିକଳ୍ପନା। ରାଷ୍ଟ୍ର ନିର୍ମାଣରେ ମହାତ୍ମାଗାନ୍ଧୀଙ୍କ ଅବଦାନ ଅବିସ୍ମରଣୀୟ। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାର ପୂଜାରୀ ଭାବେ ପରିଚିତ ଥିଲେ। ଗାନ୍ଧିଜୀଙ୍କ ସାଧନା ଓ ତ୍ୟାଗକୁ ସ୍ୱୀକାର କରିବା ପାଇଁ ପୁନଃ ନୂତନ ଭାବେ ଗଭୀର ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଅହିଂସା ସ୍ଥଳ’ରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଓ ଶହୀଦ ଦିବସ ପାଳନ ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।


ଉତ୍କଳ ବିଶ୍ୱବିଦ୍ୟାଳୟର ଅହିଂସା ସ୍ଥଳରେ ମହାତ୍ମା ଗାନ୍ଧୀଙ୍କର ୭୪ ତମ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗାନ୍ଧୀଜୀଙ୍କର ସୁଦୂର ପ୍ରଭାବୀ ଓଡ଼ିଶା ଆଗମନ ଏବଂ ଦେଶ ପାଇଁ ତାଙ୍କର ଅବିସ୍ମରଣୀୟ ଅବଦାନ ଉପରେ ସଂକ୍ଷେପରେ ଅଭିଭାଷଣ ରଖିଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଗାନ୍ଧିଜୀଙ୍କ ଅକସ୍ମାତ ମୃତ୍ୟୁ, ଯାହା ଆମ ପାଇଁ ସ୍ମରଣୀୟ ଦିବସ ଓ ଆଶ୍ଚର୍ଯ୍ୟଜନିତ ଘଟଣା ଥିଲା। ମହାତ୍ମାଗାନ୍ଧି ୧୯୨୧ ମସିହାରେ ଓଡ଼ିଶା ଆଗମନ କରିଥିଲେ। ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିଥିଲା। ଅହିଂସାର ପ୍ରତୀକଙ୍କର ଚିରଅମର ଆଦର୍ଶଗୁଡ଼ିକ ଆମସମସ୍ତଙ୍କର ମାର୍ଗଦର୍ଶନ କରୁଥିବ। ଦେଶ ମାତୃକାର ସେବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ।

prayash

ମହାତ୍ମା ଗାନ୍ଧୀଙ୍କର ସହିଦ ଦିବସ ପାଳନ ଅବସରରେ ନିଜର ଅଭିଭାଷଣ ରଖି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଥିଲେ ଯେ, ସହିଦ ଦିବସକୁ ବର୍ଣ୍ଣନା କରିବା ଯେତିକି ଦୁଃଖଦାୟକ ସେତିକି ସ୍ମୃତିଉଦ୍ଦିପକ । ସତ୍ୟ, ଶାନ୍ତି ଓ ଅହିଂସାର ପ୍ରତିମୂର୍ତ୍ତି ବାପୁଜୀ ସର୍ବଭାରତୀୟ ସ୍ତରରେ ସଂଗ୍ରାମକୁ ଉଜ୍ଜୀବିତ କରି ବ୍ରିଟିଶ ବିରୋଧରେ ଲଢେ଼ଇ କରିଥିଲେ। ଯାହାର ଫଳ ସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନର ଅନ୍ତ ଘଟିଥିଲା ଏବଂ ଭାରତକୁ ସ୍ବାଧୀନତା ଲାଭ ହୋଇଥିଲା। ତାଙ୍କ ନେତୃତ୍ବରେ ସୃଷ୍ଟି ହୋଇଥିବା ମହାନ୍ ସଂଗ୍ରାମ ଯଥା ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଭାରତଛାଡ ଆନ୍ଦୋଳନ, ସତ୍ୟାଗ୍ରହ ଏବଂ ପରିଶେଷରେ ଭାରତବର୍ଷର ସ୍ବାଧୀନତା ଯୋଗୁଁ ଦୀର୍ଘ ୧୫୦ ବର୍ଷ ପରାଧୀନତାର ଶୃଙ୍ଖଳରୁ ଭାରତ ମୁକ୍ତ ହୋଇପାରିଥିଲା। ୧୯୪୨ ମସିହା ଆନ୍ଦୋଳନରେ ମହାତ୍ମା ଗାନ୍ଧୀ ବ୍ରିଟିଶ ମାନଙ୍କୁ ‘ଭାରତଛାଡ’ ଡାକରା ଦେଇଥିଲେ ଏବଂ ଭାରତୀୟଙ୍କୁ ‘କର ବା ମର’ ଡାକରା ଦେଇଥିଲେ। ତାଙ୍କର ଏହି ସ୍ଲୋଗାନ ସାରା ଭାରତରେ ଏକ ବୃହତ ଜାଗରଣର ସୁତ୍ରଧର ସାଜିଥିଲା। ଏହିଭଳି ମହାନ୍ ସଂଗ୍ରାମରେ ମହାନ୍ ଅବଦାନ ପାଇଁ ଆମେ ତାଙ୍କୁ ଜାତିର ପିତା ବୋଲି ଅଭିହିତ କରିଥାଉ। ବାପୁଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଜୀବନର ବ୍ରତ ରୂପେ ପାଳନ କଲେ ଆମେ ସୁନାଗରିକ ହୋଇପାରିବା ଓ ଶୃଙ୍ଖଳିତ ଜୀବନ ଯାପନ କରିପାରିବା। ଏବଂ ତାହା ହେବ ବାପୁଙ୍କ ପାଇଁ ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଫେସର ମଲ୍ଲିକ କହିଥିଲେ।

ମହତ୍ମାଗାନ୍ଧୀଙ୍କର ୭୪ତମ ତିରୋଧନ ଦିବସ ପାଳନ ଅବସରରେ ପ୍ରଫେସର କୁଞ୍ଜବିହାରୀ ପଣ୍ଡା, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡ.ବ୍ରଜନାରାୟଣ ପାତ୍ର, ଜାତୀୟ ସେବା ଯୋଜନା ଅଧିକାରୀ କୀର୍ତ୍ତିରଞ୍ଜନ ମଲ୍ଲିକ, କାର୍ଯକ୍ରମ ସହାୟକ ରବୀନାରାୟଣ ପାତ୍ରଙ୍କ ସମେତ ବିଶ୍ବବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

kalyan agarbati

Comments are closed.