ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସଦାଚେଷ୍ଟିତ ଥିଲେ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣର ପ୍ରବର୍ତ୍ତକ ମଧୁବାବୁଙ୍କର ବଳିଷ୍ଠ ନେତୃତ୍ୱ ଏ ଜାତିର ଜୀବନଧାରାକୁ ସଂଜୀବିତ କରି ଏହାକୁ ସଂଗ୍ରାମର ମାର୍ଗ ପ୍ରଦର୍ଶନ କରାଇଥିଲା। ତାଙ୍କରି ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା। ଧୈର୍ଯ୍ୟ-ସହିଷ୍ଣୁତା, ସଂଗ୍ରାମ-ସାଧନାକୁ ପାଥେୟ କରି ଜାତିପ୍ରେମ ବହ୍ନି ପ୍ରଜ୍ୱଳିତପୂର୍ବକ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ମଧୁବାବୁ ସଦାଚେଷ୍ଟିତ ଥିଲେ। ସମାଜ, ସାହିତ୍ୟ, ଶିକ୍ଷା, ଅର୍ଥନୀତି ଓ ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ଏହି ଜନନାୟକଙ୍କର ପ୍ରେରଣା ଉତ୍କଳୀୟ ଜୀବନରେ ନବସୂର୍ଯେ୍ୟାଦୟ ସମ୍ଭବ କରାଇଥିଲା। ଯଥାର୍ଥରେ ଉତ୍କଳ ମାଟିର ଯୋଗ୍ୟତମ ସନ୍ତାନ, ଉତ୍କଳୀୟ ଜାତୀୟତାର ମନ୍ତ୍ରଦାତା, ଶତାବ୍ଦୀର ସୂର୍ଯ୍ୟ ଉତ୍କଳଗୌରବ ମଧୁସୂଦନ ଦାସ ପ୍ରତ୍ୟେକ ଓଡ଼ିଆ ପାଇଁ ଚିରବନ୍ଦନୀୟ।
ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଭାଗ ତରଫରୁ ପ୍ରତିମୂର୍ତ୍ତି ସ୍ଥଳରେ ଆକର୍ଷଣୀୟ ସାଜସଜ୍ଜା କରାଯାଇ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସଂପାଦକ ଡ. ଲେନିନ୍‌ ମହାନ୍ତି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ମାନସ ରଞ୍ଜନ ଖୁଣ୍ଟିଆ ଓ ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ତଥା ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ।

kalyan agarbati

Comments are closed.