ଉର୍ମିଳା ମାତୋଣ୍ଡକରଙ୍କ ଚିଠିକୁ ନେଇ କଂଗ୍ରେସରେ ବାକଯୁଦ୍ଧ

ମୁମ୍ବଇ : ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଉର୍ମିଳା ମାତୋଣ୍ଡକରଙ୍କ ଚିଠିକୁ ନେଇ କଂଗ୍ରେସର ଅନ୍ତର୍ଦନ୍ଦ୍ବ ଏକ ଭିନ୍ନ ମୋଡ ନେଇଛି। ଉକ୍ତ ଚିଠିରେ ଉର୍ମିଳା ଦଳର ବରିଷ୍ଠ ନେତା ସଞ୍ଜୟ ନିରୁପମଙ୍କ ଘନିଷ୍ଟ ସହଯୋଗୀ ସନ୍ଦେଶ କୋନ୍ଦଭିଲକର ଏବଂ ଭୂଷଣ ପାଟିଲଙ୍କୁ ସମାଲୋଚନା କରିଛନ୍ତି। ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ସପ୍ତାହକ ପୂର୍ବରୁ ଦଳୀୟ ନେତା ମିଲିନ୍ଦ ଦେଓରାଙ୍କ ଉଦ୍ଦେଶ୍ୟରେ ଉର୍ମିଳା ଏହି ଚିଠି ଲେଖିଥିଲେ। ଚିଠିଟି ସୋମବାର ସର୍ବସମ୍ମୁଖକୁ ଆସିଛି।

prayash

ଏଥିରେ ସେ ଲେଖିଛନ୍ତି ଯେ ଦଳର ପ୍ରଚାର ଦାୟିତ୍ବରେ ଥିବା ଏହି ନେତା ଦ୍ବୟ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ, ତୃଣମୂଳସ୍ତରରେ କର୍ମୀଙ୍କୁ ବୁଝାଇବା ଏବଂ ତାଙ୍କୁ ଉପଯୁକ୍ତ ସହଯୋଗ କରିବାରେ ବିଫଳ ହୋଇଥିଲେ। ମୋଟାମୋଟି ଭାବେ ଉପଯୁକ୍ତ ସହଯୋଗ, ନିଷ୍ଠାପରତାର ଅଭାବରୁ ଲୋକସଭା ନିର୍ବାଚନର ଫଳ ବିପର୍ଯ୍ୟସ୍ତ ହୋଇଛି ବୋଲି ଉର୍ମିଳା ଦର୍ଶାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୋନ୍ଦଭିଲକର ତାଙ୍କ ପରିବାର ଲୋକଙ୍କୁ ଟେଲିଫୋନ କରି ରାଲି ପାଇଁ ପାଣ୍ଠି ଯୋଗାଇବାକୁ କହିଥିଲେ। ଏଣୁ ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଦଳର ଭବିଷ୍ୟତ ସୁଧାରିବା ଲାଗି ସାଙ୍ଗଠନିକସ୍ତରରେ ପରିବର୍ତ୍ତନ ହେବା ଦରକାର। ତେବେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେ ଉଚିତ ଢଙ୍ଗରେ ପ୍ରଚାର କରିଥିଲେ ଓ ଦଳରେ ସକରାତ୍ମକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ପ୍ରଚାର କରିଥିଲେ ବୋଲି ଉର୍ମିଳା ଲେଖିଛନ୍ତି। ଉର୍ମିଳାଙ୍କ ଏହି ଚିଠି ପ୍ରକାଶ ପାଇବା ପରେ ଏବେ ଦେଓରାଙ୍କୁ ନିରୁପମ ସମାଲୋଚନା କରିଛନ୍ତି। ଦଳକୁ ରାଷ୍ଟ୍ରୀୟସ୍ତରରେ ମଜଭୁତ କରିବାକୁ ଇଚ୍ଛା ରଖୁଥିବା ଜଣେ ନେତା ଲୋକସଭା ପ୍ରାର୍ଥୀଙ୍କ ଅଭିଯୋଗପତ୍ରକୁ କିଭଳି ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ନିରୁପମଙ୍କ ଉଦ୍ଦେଶ୍ୟରେ ଦେଓରା କହିଛନ୍ତି ଦଳ ଏବଂ ଏହାର ବିଚାରଧାରା ଯେକୌଣସି ବ୍ୟକ୍ତି ବିଶେଷଙ୍କଠାରୁ ଊର୍ଦ୍ଧ୍ବରେ। ଏଣୁ ଏଭଳି ମନ୍ତବ୍ୟରୁ ବିରତ ରହିବା ଆବଶ୍ୟକ। ଉଭୟ ଦେଓରା ଓ ନିରୁପମ ଯଥାକ୍ରମେ ଦକ୍ଷିଣ ମୁମ୍ବଇ ଏବଂ ଉତ୍ତରପଶ୍ଚିମ ମୁମ୍ବଇରୁ ଲୋକସଭା ନିର୍ବାଚନ ହାରିଯାଇଛନ୍ତି।

kalyan agarbati

Comments are closed.