ୟୁପିକୁ ରୋମାଞ୍ଚକର ବିଜୟ ଦେଲେ ହାରିସ୍‌

ମୁମ୍ବଇ : ୩ ୱିକେଟ ହାତରେ ଥିବା ବେଳେ ୪ ଓଭରରୁ ୟୁପି ୱାରିଅର୍ଜ ୬୩ ରନ୍‌ ଆବଶ୍ୟକ କରୁଥିଲା। ହେଲେ ଅଷ୍ଟ୍ରେଲିଆର ସାଥୀ ଖେଳାଳି ସୋଫି ଇକ୍ଲେଷ୍ଟୋନ୍‌ଙ୍କ ସହ ମିଶି ଗ୍ରେସ୍‌ ହାରିସ୍‌ ୨୩ ବଲ୍‌ରୁ ୬୮ ରନ୍‌ ମାରି ୟୁପିକୁ ଜିତାଇଥିଲେ। ରବିବାର ସନ୍ଧ୍ୟାରେ ଡବ୍ଲ୍ୟୁପିଏଲ୍‌ର ୩ୟ ମ୍ୟାଚ୍‌ରେ ଗୁଜରାଟ ଜ୍ୟାଣ୍ଟ୍‌ସ ବିପକ୍ଷରେ ୩ ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି ୟୁପି ୱାରିଅର୍ଜ। ହର୍ଲିନ୍ ଦେଓଲ ଓ ଡି. ହେମଲତାଙ୍କ ଉପଯୋଗୀ ଇନିଂସ ବଳରେ ଗୁଜରାଟ ଜ୍ୟାଣ୍ଟ୍‌ସ ୬ ୱିକେଟରେ ୧୬୯ ରନ୍‌ କରିଥିଲା। କିରଣ ନାଭ୍‌ଗିରେଙ୍କ ଅର୍ଦ୍ଧଶତକ ପରେ ଗ୍ରେସ୍ ହାରିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୋଟିଏ ବଲ୍‌ ବାକିଥାଇ ୟୁପି ରୋମାଞ୍ଚକର ବିଜୟ ହାସଲ କରିଛି। ୟୁପି ପ୍ରଥମ ମ୍ୟାଚ୍‌ ଜିତିଥିବା ବେଳେ ଗୁଜରାଟ କ୍ରମାଗତ ୨ୟ ପରାଜୟ ଭୋଗିଛି।
ଟସ୍ ଜିତି ଗୁଜରାଟ ଜ୍ୟାଣ୍ଟ୍‌ସ ବ୍ୟାଟିଂକରି ଓପ୍‌ନିଂ ଯୋଡ଼ିରେ ୩୪ ରନ୍‌ କରିଥିଲା। ଇଂଲଣ୍ଡର ଓପ୍‌ନର ସୋଫିଆ ଡଙ୍କ୍‌ଲି ୧୩ ରନ୍‌କରି ବିଦାୟ ନେଇଥିଲେ। ଏସ୍. ମେଘନା ୧୫ ବଲ୍‌ରୁ ୫ଟି ଚୌକା ସହ ଦ୍ରୁତ ୨୪ ରନ୍‌ କରିଥିଲେ। ଆନାବେଲ୍‌ ସଦରଲାଣ୍ଡ ୮ ଓ ସୁଷମା ବର୍ମା ୯ ରନ୍‌କରି ଆଉଟ୍‌ ହୋଇଥିଲ। ଆସ୍‌ଲେ ଗାର୍ଡନରଙ୍କ ସହ ହର୍ଲିନ୍ ଦେଓଲ ୨୯ ବଲ୍‌ରୁ ୪୪ ରନ୍‌ ଯୋଡ଼ିଥିଲେ। ଗାର୍ଡନର ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍‌ କରିଥିଲେ। ହର୍ଲିନ୍ ଦେଓଲ ୩୨ ବଲ୍‌ରୁ ୭ଟି ଚୌକା ସହ ୪୬ ରନ୍‌ କରିଥିଲେ। ଡି. ହେମଲତା ଶେଷଆଡ଼କୁ ଆକ୍ରମଣ କରି ୧୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ଶେଷ ୧୦ ଓଭରରୁ ଗୁଜରାଟ ୧୦୨ ରନ୍‌ କରିଥିଲା। ସୋଫି ଇକ୍ଲେଷ୍ଟୋନ୍‌ ଓ ଦୀପ୍ତି ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୭୦ ରନ୍‌ ଲକ୍ଷ୍ୟରେ ୟୁପି ୱାରିଅର୍ଜ ୩ ଓଭରରେ ୨୦ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଅଧିନାୟିକା ଆଲିସା ହିଲି ୭, ଶ୍ବେତା ଶେରାୱତ ୫ ଓ ତାହ୍‌ଲିଆ ମ୍ୟାକ୍‌ଗ୍ରା ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ପରେ କିରଣ ନାଭ୍‌ଗିରେ ଓ ଦୀପ୍ତି ଶର୍ମା ୬୬ ରନ୍‌ ଯୋଡ଼ିଥିଲେ। ଦୀପ୍ତି ୧୬ ବଲ୍‌ରୁ ମାତ୍ର ୧୧ ରନ୍‌ କରିଥିଲେ। ପ୍ରଥମ ୩ଟି ୱିକେଟ ନେଇଥିବା ଗୁଜରାଟର କିମ୍ ଗାର୍ଥ ତାଙ୍କ ୩ୟ ଓଭରରେ କ୍ରମାଗତ ୨ଟି ୱିକେଟ ନେଇ ୟୁପିକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲେ। ନାଗଲାଣ୍ଡର କିରଣ ନାଭ୍‌ଗିରେ ୪୩ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୩ ରନ୍‌ କରିଥିଲେ। ୪ ଓଭରରୁ ୬୩ ରନ୍ ଆବଶ୍ୟକ ଥିବା ବେଳେ ଗ୍ରେସ୍ ହାରିସ୍‌ ଓ ସୋଫି ଇକ୍ଲେଷ୍ଟୋନ୍‌ ଆକ୍ରମଣ କରି ଦଳକୁ ଜିତାଇଥିଲେ। ଶେଷ ଓଭରରୁ ୧୯ ରନ୍ ଆବଶ୍ୟକ ଥିବା ବେଳେ ୫ଟି ବଲ୍‌ରୁ ହାରିସ୍‌ ୨ଟି ଲେଖାଏଁ ଛକା ଓ ଚୌକାମାରି ୨୪ ରନ୍‌ ନେଇ ୟୁପିକୁ ରୋମାଞ୍ଚକର ବିଜୟ ଦେଇଥିଲେ। ଶେଷ ୨୩ ବଲ୍‌ରୁ ହାରିସ୍-ଇକ୍ଲେଷ୍ଟୋନ୍‌ ୬୮ ରନ୍‌ ମାରିଥିଲେ। ହାରିସ୍‌ ୨୬ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୫୯ ଏବଂ ଇକ୍ଲେଷ୍ଟୋନ୍‌ ୧୨ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌କରି ଅପରାଜିତ ଥିଲେ। ଗ୍ରେସ୍‌ ହାରିସ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.