ଉତ୍ତର ପ୍ରଦେଶ ମନ୍ତ୍ରୀଙ୍କ ଘର ଉପରେ ଅଣ୍ଡା ଓ ଟମାଟୋ ବର୍ଷା

0

ଲକ୍ଷ୍ନୌ : ବିବାଦୀୟ ମନ୍ତବ୍ୟ ଦେଇ ଉତ୍ତର ପ୍ରଦେଶ ମନ୍ତ୍ରୀ ଓମ ପ୍ରକାଶ ରାଜବହାର ହଟହଟାରେ ପଡିଛନ୍ତି । ତାଙ୍କ ଟିପ୍ପଣୀକୁ ବିରୋଧକରି ଶନିବାର କେତେକ ବିକ୍ଷୋଭକାରୀ ତାଙ୍କ ଘର ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି । ଉଲ୍ଲେଖ ଯେ ରାଜପୁତ ଏବଂ ଯାଦବମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଦ ପିଅନ୍ତି ବୋଲି ମନ୍ତ୍ରୀ ଓମ ପ୍ରକାଶ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଶନିବାର ଅପରାହ୍ନରେ ନାଲିଟୋପି ପିନ୍ଧା କେତେକ ଯୁବକ ମନ୍ତ୍ରୀଙ୍କ ହଜରତଗଂଜ ଅଞ୍ଚଳସ୍ଥିତ ବାସଭବନ ନିକଟରେ ପହଞ୍ଚି ଘର ଉପରକୁ ଅଣ୍ଡା ଓ ଟାମୋଟା ବର୍ଷା କରିଥିଲେ । ଯୁବକମାନେ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କ ନାମଫଳକକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଶୁକ୍ରବାର ବାରାଣାସିର ନିଶା ବିରୋଧୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଓମ ପ୍ରକାଶ ରାଜବହାର ଏହି ମନ୍ତବ୍ୟ ଦେଇଥିଲେ । ମଦ ବ୍ୟବାସାୟ ରାଜପୁତ ଏବଂ ଯାଦବଙ୍କ ବଂଶଗତ ବେପାର ଓ ସେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଦ ପିଅନ୍ତି ବୋଲି ସେ କହିଥିଲେ । ଏହାସହ ଅନ୍ୟ ଜାତିର ଲୋକ ଓ ତାଙ୍କ ଜାତିର ଲୋକମାନେ ବି ମଦ ପିଅନ୍ତି ବୋଲି ସେ ସ୍ବୀକାର କରିଥିଲେ । ପରେ ମନ୍ତ୍ରୀଙ୍କ ଟିପ୍ପଣୀ ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଶନିବାର ଏଭଳି କାଣ୍ଡ ଘଟିଛି । ପୁଲିସ୍‌ ଘଟଣାର ସୂଚନା ପାଇଛି ଓ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛି । ଏପର୍ଯ୍ୟନ୍ତ କୌଣସି ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇନାହିଁ ।

Leave A Reply