ପୃଥିବୀର ଏମିତି ସ୍ଥାନ ଯେଉଁଠିକି ଆଜିଯାଏଁ ମଣିଷ ଯାଇନାହିଁ

0

ୱାଶିଂଟନ : ପୃଥିବୀରେ ଏମିତି କେତେକ ସ୍ଥାନ ଅଛି ଯେଉଁଠି ମଣିଷ ଆଜିଯାଏଁ ପାଦ ରଖିନି । କେତେକ କ୍ଷେତ୍ରରେ ଖରାପ ପାଣିପାଗ ଓ କିଛି କ୍ଷେତ୍ରରେ ପ୍ରାକୃତିକ ପରିସ୍ଥିତି କାରଣରୁ ମଣିଷ ଏହି ସ୍ଥାନକୁ ଯାଇପାରିନାହିଁ । ଆସନ୍ତୁ ଜାଣିବା ସେମିତି କେତକ ସ୍ଥାନ ବିଷୟରେ ଯେଉଁଠିକି ମଣିଷ ଚାହିଁଲେ ବି ଯାଇପାରିବ ନାହିଁ ।
ମାରିଆନା ଖାଇ (ଟ୍ରେଞ୍ଚ) : ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ମାରିଆନା ଖାଇ ବିଶ୍ୱର ସବୁଠୁ ଗଭୀରତମ ଖାଇ ବା ଗଣ୍ଡ ଭାବେ ପ୍ରସିଦ୍ଧ । ଏହି ଖାଇ ୧୦୯୯୪ ମିଟର (୩୬୦୦୦ ଫୁଟ) ଗଭୀର । ଏହି ସ୍ଥାନ ଏତେ ଗଭୀର ଯେ ଏଠାରେ ମାଉଣ୍ଟଏଭରେଷ୍ଟ ପର୍ବତ ସମ୍ପୂର୍ଣ୍ଣ ବୁଡ଼ି ଯିବା ପରେ ଉପରକୁ ଏକ ମାଇଲ ରହିବ । ସ୍କୁବା ଡ୍ରାଇଭର ଏହି ଗଣ୍ଡରେ ବୁଡ଼ ଲଗାଇ ବହୁ ତଳକୁ ଯାଇଛନ୍ତି; ହେଲେ କେହିବି ତଳ ଭୂପୃଷ୍ଠକୁ ଛୁଇଁ ପାରିନାହାନ୍ତି । ବୈଜ୍ଞାନିକମାନେ କହୁଛନ୍ତି ଯେ ଏହି ଗଣ୍ଡ କେତେ ଗଭୀର ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କୁହାଯାଉଥିବା ଗଭୀରତା ଏକ ଆକଳନ ମାତ୍ର । ଏହି ଗଣ୍ଡ ଏହାଠାରୁ ବି ବେଶୀ ଗଭୀର ହୋଇପାରେ। ମାରିଆନା ଟ୍ରେଞ୍ଚର ସମ୍ପୂର୍ଣ୍ଣ ତଳେ ରହିଥିବା ଉଦ୍ଭିଦ ବା ଜୀବଙ୍କ ବିଷୟରେ ସଠିକ୍‌ ଭାବେ ଜଣାପଡିନାହିଁ । ସେଠାରେ ବହୁ ବଡ଼ ଓ ବପଦଜନକ ଜୀବ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
କାମଚାଟକା : ରୁଷିଆର କାମଚାଟକା ପାର୍ବତ୍ୟାଞ୍ଚଳରେ ୩୦୦ରୁ ଅଧିକ ଆଗ୍ନେୟଗିରି ରହିଛି । ସେଥିମଧ୍ୟରୁ ଗୋଟିଏ ଆଗ୍ନେୟଗିରିରୁ ୧୯୯୬ରୁ ବାରମ୍ବାର ଲାଭା ଉଦ୍‌ଗିରଣ ହେଉଛି । ସୋଭିଏତ ରୁଷିଆର ପତନ ପରଠାରୁ ଏହି ସ୍ଥାନର ଭ୍ରମଣ ଉପରେ ନିଷେଧାଦେଶ ଲଗାଇ ଦିଆଯାଇଛି । ପୂର୍ବରୁ ଏହି ପାର୍ବତ୍ୟାଞ୍ଚଳର କେତେକ ସ୍ଥାନକୁ କେବଳ ସୈନ୍ୟ ଯାଉଥିଲେ । ଏବେବି ଏହି ପାର୍ବତ୍ୟାଞ୍ଚଳର ଏକ ବଡ଼ ଅଂଶରେ ମଣିଷର ପାଦ ପଡ଼ିନାହିଁ ।
ଗାଙ୍ଗଖାର ପୁଞ୍ଜମ : ଭୁଟାନ ସୀମାନ୍ତରେ ଅବସ୍ଥିତ ୨୫୦୦୦ ଫୁଟ୍‌ ଉଚ୍ଚର ଗାଙ୍ଗଖାର ପୁଞ୍ଜମ ବିଶ୍ୱର ୪୦ତମ ଉଚ୍ଚତମ ପର୍ବତ । ଏହି ପର୍ବତ ଉପରକୁ କେହିବି ଆରୋହଣ କରିନାହାନ୍ତି । ରାଜନୈତିକ କାରଣରୁ ହିଁ ଏହି ପର୍ବତକୁ କେହି ଆରୋହଣ କରିପାରିନାହାନ୍ତି । ପର୍ବତ ପାଦଦେଶର ଲୋକମାନଙ୍କ ଧାର୍ମିକ ବିଶ୍ୱାସ ଅଛି ଯେ ଏହି ପର୍ବତ ଉପରେ କେହି ଚଢିଲେ ସେଠାକାର ବାସିନ୍ଦାଙ୍କ କ୍ଷତି ଘଟିବ । ତେଣୁ ସେମାନେ ଏହା ଉପରକୁ କାହାକୁ ବି ଚଢିବାକୁ ଦିଅନ୍ତି ନାହିଁ । ତେବେ ୧୯୯୫ରୁ ୧୯୯୬ ମଧ୍ୟରେ ୪ଟି ପର୍ବତାରୋହୀ ଦଳ ଏହି ପର୍ବତକୁ ଚଢିବାକୁ ପ୍ରୟାସ କରିଥିଲା। ମାତ୍ର ଖରାପ ପାଣିପାଗ ଯୋଗୁଁ ଏହି ପର୍ବତାରୋହଣ ଅଭିଯାନ ସଫଳ ହୋଇନଥିଲା । ୨୦୦୩ ପରଠାରୁ ଏହି ପର୍ବତର ଆରୋହଣ ଉପରେ ଭୁଟାନ ସରକାର ନିଷେଧାଦେଶ ଲଗାଇ ଦେଇଛନ୍ତି ।
ଉତ୍ତର-ପୂର୍ବ ସାଇବେରିଆ : ବିଶ୍ୱର ସବୁଠୁ ବଡ଼ ଦେଶ ରୁଷିଆର ଉତ୍ତର-ପୂର୍ବ ସାଇବେରିଆ ସର୍ବାଧିକ ଥଣ୍ଡା ଅଞ୍ଚଳ ଭାବେ ଜଣାଶୁଣା । ଏହି ସ୍ଥାନର ମାଟିତଳୁ ତେଲ ଛଡ଼ା କିଛି ମିଳେନାହିଁ । ଏଠାରେ ଜୀବନର ସମ୍ଭାବନା ବହୁତ୍‌ କମ । ଏଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀ ସେଲସିୟସ୍‌ ଓ ତାଠାରୁ କମ୍‌ ଥାଏ । ଏହି ସ୍ଥାନରେ ଗଛଲତା ବି ନାହିଁ । ତେଣୁ ଉତ୍ତର-ପୂର୍ବ ସାଇବେରିଆର ଏକ ବଡ଼ ଅଂଶର ଫଟୋ ନାହିଁ କି ଲୋକ ସେଠାକୁ ଯାଇନାହାନ୍ତି ।
ସୋନ ଡୁଙ୍ଗ ଗୁମ୍ଫା : ଭିଏତନାମରେ ଅବସ୍ଥିତ ସୋନ ଡୁଙ୍ଗ ଗୁମ୍ଫା ବିଶ୍ୱର ସବୁଠୁ ବଡ଼ ଗୁମ୍ପାର ମାନ୍ୟତା ପାଇଛି । ୫ କିଲୋମିଟରରୁ ଅଧିକ ଲମ୍ବା ଏହି ଗୁମ୍ଫା ୧୫୦ ମିଟର ଚଉଡ଼ା ଓ ୨୦୦ ମିଟର ଉଚ୍ଚା ଅଟେ । ଏହା ମଧ୍ୟରେ ବହୁ ବଡ଼ ବଡ଼ ଅଟ୍ଟାଳିକା ପଶିଯିବ । ଗୁମ୍ଫା ମଧ୍ୟରେ ଏକ ନଦୀ ଓ ଜଙ୍ଗଲ ବି ଅଛି । ୨୦୦୯ରେ କେତେକ ଅନୁସନ୍ଧାନକାରୀ ଏହି ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲେ। ମାତ୍ର ଗୁମ୍ଫା ମଧ୍ୟରେ ଥିବା ଏକ ୨୦୦ ମିଟର ଉଚ୍ଚର କ୍ୟାଲସାଇଡ଼ କାନ୍ଥରେ ସେପଟକୁ ଯାଇପାରିନଥିଲେ । ଫଳରେ ଗୁମ୍ଫାର ଏକ ବଡ଼ ଅଂଶ ମଣିଷଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଆଜିଯାଏଁ ସେହି ସ୍ଥାନଗୁଡ଼ିକରେ ମଣିଷର ପାଦ ପଡିନାହିଁ ।
ନାମିବ ମରୁଭୂମି : ଦକ୍ଷିଣ ଆଫ୍ରିକାର ସମୁଦ୍ର ତଟବର୍ତ୍ତୀ ଏକ ମରୁଭୂମିର ନାମ ହେଉଛି ନାମିବ । ଏହି ମରୁଭୂମି ୨୦୦୦ କିଲୋମିଟର ପରିବ୍ୟାପ୍ତ ଓ ଏହା ନାମ୍ବିଆରେ ଅବସ୍ଥିତ । ଏଠାରେ ବର୍ଷକୁ ମାତ୍ର ୨.୫ ମିମି ବର୍ଷା ହୋଇଥାଏ । ଦୁନିଆର ସବୁଠୁ ପୁରୁଣା ମରୁଭୂମି ଭାବେ ଜଣାଶୁଣା ନାମିବର ଆରମ୍ଭର କେତେକ ସ୍ଥାନରେ ଜନଜାତି ବାସ କରନ୍ତି ଓ ଜୀବଜନ୍ତୁ ଦେଖାଯାନ୍ତି । ତେବେ ମରୁଭୂମିର ମଧ୍ୟବର୍ତ୍ତୀ ପ୍ରାୟ ୩୧ ହଜାର ବର୍ଗ ମାଇଲ ଅଞ୍ଚଳ ଏବେ ବି ମଣିଷଙ୍କ ପାଇଁ ଅପହଞ୍ଚ ରହିଛି । ଏଠାକୁ ଲୋକମାନେ ଯାଇପାରିନାହାନ୍ତି ଓ ସେଠାରେ କ’ଣ ଅଛି ତାହା କାହାକୁ ବି ଜଣାନାହିଁ ।

Leave A Reply