ପ୍ରଶାସନର ପ୍ରତିଶୃତି ପାଣିର ଗାର – ବର୍ଷାରେ ଖୋଲା ଆକାଶ ତଳେ ମୋବାଇଲ ଆଲୁଅ ଭରସାରେ ଆଶାୟୀ,ଅବ୍ୟବସ୍ଥା ମଧ୍ୟରେ ଅଗ୍ନିବୀର ନିଯୁକ୍ତି ରାଲି
ସମ୍ବଲପୁର, : ଦେଶରେ ପ୍ରଥମ ଥର ପାଇଁ ସେନାରେ ସୀମିତ ଅବଧି ପାଇଁ ନିଯୁକ୍ତି ଯୋଜନା ‘ଅଗ୍ନିବୀର ପାଇଁ ନିଯୁକ୍ତି ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସମ୍ବଲପୁର ଠାରେ ଚଳିତ ମାସ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ସହରର ଉପକଣ୍ଠସ୍ଥ ଜମାଦାରପାଲି ଠାରେ ନିଯୁକ୍ତି ରାଲି ସେନା ଦ୍ୱାରା ଆୟୋଜିତ ହେଉଛି । ଓଡିଶା ପାଇଁ ୨ ହଜାର ପଦବୀ ରହିଥିବା ବେଳେ ଏହି ରାଲି ପାଇଁ କେବଳ ସମ୍ବଲପୁର ଠାରେ ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ବରଗଡ, ଢ଼େଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲାରୁ ପ୍ରାୟ ୩ ହଜାର ଆଶାୟୀ ଆସି ଡେରା ଜମାଇଛନ୍ତି । ସେନା ବାହିନୀ ପକ୍ଷରୁ ଆୟୋଜିତ ହେଉଥିବା ଏହି ନିଯୁକ୍ତି ରାଲିକୁ ସୁବ୍ୟବସ୍ଥିତ କରି ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୁଲାଇ ୫ ଏବଂ ଅଗଷ୍ଟ ୬ ତାରିଖରେ ଦୁଇଟି ବଡ ବୈଠକ କରାଯିବା ସହିତ ଅନ୍ୟାନ୍ୟ ବୈଠକ ମାନ ଆୟୋଜନ କରାଯାଇ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବାର ଦାବି କରାଯାଇଥିଲା । କିନ୍ତୁ ଠିକ ସମୟରେ ଜିଲା ପ୍ରଶାସନର ସମସ୍ତ ଦାବି ପାଣିର ଗାର ସଦୃଶ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲାପାଳ ଉପସ୍ଥିତ ରହି ସାମିଲ ହୋଇ ଜିଲାସ୍ତରୀୟ ଅଧିକାରୀ ମାନଙ୍କୁ ଅଗ୍ନିବୀର ଆଶାୟୀ ମାନଙ୍କର ଯେଭଳି କୌଣସି ଅସୁବିଧା ନ ହେବ ସେଥି ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଯୁକ୍ତି ରାଲି ପାଇଁ ୨ ମାସ ପୂର୍ବରୁ ପ୍ରାକ ପ୍ରସ୍ତୁତି ଚାଲି ଥିବା ବେଳେ କିନ୍ତୁ ପ୍ରକୃତ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇ ପାରି ନାହିଁ ।
ପ୍ରଶାସନର ଦାବି ସତ୍ୱେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ରାଲିରେ ଆଶାୟୀ ମାନେ ବର୍ଷା ମାସରେ ଖୋଲା ଆକାଶ ତଳେ ବିନା ପାଣି ଓ ବିଦ୍ୟୁତରେ ମୋବାଇଲ ଆଲୁଅ ଭରସାରେ ଜୀବନକୁ ବାଜି ଲଗାଇ ନିଯୁକ୍ତି ରାଲି ସ୍ଥଳର ଆଖପାଖ ଅଞ୍ଚଳରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି । ପୂର୍ବରୁ ପ୍ରଶାସନ ତରଫରୁ ଅତିକମରେ ୨ ହଜାର ଆଶାୟୀ ସମ୍ବଲପୁରକୁ ଆଖାପାଖ ଜିଲାରୁ ଆସିବାର ଆକଳନ କରାଯାଇଥିବା ବେଳେ କିନ୍ତୁ ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ଅଧିକାରୀ ମାନଙ୍କର ହେଳୁଆ ମନୋବୃତ୍ତି ଅଥବା ଅନ୍ୟ କୌଣସି କାରଣରୁ ସର୍ବନିମ୍ନ ସୁବିଧା ମଧ୍ୟ କରାଯାଇ ପାରି ନାହିଁ । ଇତି ମଧ୍ୟରେ ୨ ଦିନ ବିତିଯିବା ସତ୍ୱେ ପାନୀୟ ଜଳ, ଶୌଚାଳୟ ଓ ବିଦ୍ୟୁତର କୌଣସି ସୁବିଧା କରାଯାଇ ନାହିଁ ।
ଏ ସର୍ମ୍ପକରେ ଜିଲା ନିଯୁକ୍ତି ଅଧିକାରୀ ଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଆଶାୟୀ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାର ପ୍ରୟାସ କରୁଛୁ । ନିଯୁକ୍ତି ସ୍ଥଳରୁ କିଛି ଦୂରରେ ଅସ୍ଥାୟୀ ରହିବା ଜାଗା କରାଯାଇଥିବା ବେଳେ ଆଶାୟୀ ମାନେ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି । ସେମାନେ ପ୍ରଥମେ ଧାଡି ଲଗାଇବା ପାଇଁ ନିଯୁକ୍ତି ସ୍ଥଳର ପାଖରେ ରହୁଛନ୍ତି । ଆମେ ଏହି ଅଞ୍ଚଳରେ ଆଲୁଅର ବ୍ୟବସ୍ଥା ପାଇଁ ଉଦ୍ୟମ କରୁଛୁ । ଆମର କିଛି ଅଧିକାରୀ ରାତ୍ର ପ୍ରାୟ ୧୦ଟା ପର୍ଯ୍ୟନ୍ତ ରହି ଆଶାୟୀ ଙ୍କ ସୁବିଧା କରିବା ପାଇଁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି ବୋଲି ଜିଲା ନିଯୁକ୍ତ ଅଧିକାରୀ ଶ୍ରୀ ମୁର୍ମୁ କହିଛନ୍ତି । ପାନୀୟ ଜଳ ସମସ୍ୟା ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀ ଗୁଲସନ ସାହୁ କହିଛନ୍ତି ଯେ, ୧ ହଜାର ବିଶିଷ୍ଟ ୫ଟି ପାଣି ଟାଙ୍କି ନିଯୁକ୍ତି ସ୍ଥଳ ଅଞ୍ଚଳରେ ଦିଆଯାଇଛି । ଉକ୍ତ ପାଣି ଟାଙ୍କି ଗୁଡିକରେ ଜଳ ଭରିବା ପାଇଁ ଦିନକୁ ୨୨ ହଜାର ଲିଟର ଜଳର ବ୍ୟବସ୍ଥା ୪ଟି ଟ୍ୟାଙ୍କର ଯୋଗେ କରାଯାଇଛି । ଅପରପକ୍ଷରେ ଦାୟିତ୍ୱବାନ ବିଭାଗୀୟ ଅଧିକାରୀ ମାନଙ୍କ ବିଭିନ୍ନ ଦାବି ସତ୍ୱେ କିନ୍ତୁ ପ୍ରକୃତ କ୍ଷେତ୍ରରେ ଅଗ୍ନିବୀର ଆଶାୟୀ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି, ଯାହାକି ପ୍ରଶାସନର ଫମ୍ପା ଦାବିକୁ ଉଜାଗର କରୁଛି ।
Comments are closed.