୧୭ବର୍ଷରୁ କମ୍ ବିଶ୍ୱକପ୍ ଫୁଟବଲ ପାଇଁ ଚୟନ ଶିବିର
ଆଠଗଡ : ଆଠଗଡ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୭ବର୍ଷରୁ କମ୍ ଫୁଟବଲ ଖେଳାଳିଙ୍କ ପାଇଁ ଏକ ଦିନିକିଆ ଚୟନ ଶିବିର ଖୁଣ୍ଟକଟାଠାରେ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟୁକଟା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ଏହି ଚୟନ ଶିବିରରେ ୧୯ଟି ହାଇସ୍କୁଲର ୧୫୦ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସିଆରସିସି ନିଳମଣି ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଖୁଣ୍ଟୁକଟା ହାଇସ୍କୁଲର ପ୍ରଧାନଶିକ୍ଷକ ରସାନନ୍ଦ ଘଢାଇ, ଜେନାପଦା ନୋଡାଲ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଲ୍ଲିକ ଓ ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ପଣ୍ଡା ଯୋଗଦେଇ ଶିକ୍ଷାଦାନ ସହିତ କ୍ରୀଡାକୁ ଗୁରୁତ୍ୱଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟର ୨୦ଜଣ ଛାତ୍ର ଓ ଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ଚୟନ ଶିବିର ପାଇଁ ମନୋନୀତ କରାଯାଇଥିଲା। କ୍ରୀଡା ଶିକ୍ଷକ ସଂଘର ମଣ୍ଡଳ ସଂପାଦକ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସଂଜୀବ କୁମାର ଦାସ, ଦିଲ୍ଲୀପ କୁମାର ବାରିକ, ସୁମିତ କୁମାର ପ୍ରଧାନ, ସଂଯୁକ୍ତା ସାହୁ, ରେହମତ ବେଗମ, ବିଶ୍ୱମୋହନ ସାହୁ, ଗୌତମ ବେହେରା, ମନୋଜ କୁମାର ଗୋଚ୍ଛି, ସଂଘମିତ୍ରା ପଣ୍ଡାଙ୍କ ସମେତ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁରେଶ ତ୍ରିପାଠୀ ପ୍ରମୁଖ କ୍ରୀଡା ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ। ଧୁରୁଷିଆ ହାଇସ୍କୁଲର କ୍ରୀଡା ଶିକ୍ଷକ ରବିନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.