କଶ୍ମୀର ପ୍ରସଙ୍ଗରେ ଜାତିସଂଘର ଅଭିଯୋଗକୁ ଭାରତର ଖଣ୍ଡନ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ଜାତିସଂଘର ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ଜମ୍ମୁ-କଶ୍ମୀର ଓ ପାକ୍ ଅଧିକୃତ କଶ୍ମୀରରେ ମାନବିକ ଅଧିକାର ଉଲ୍ଲଂଘନ ହେଉଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଥିବାବେଳେ ଏ ଦିଗରେ ଯତ୍ନଶୀଳ ହେବାକୁ ଉଭୟ ଦେଶକୁ ଜାତିସଂଘ କମିଟି ଉପଦେଶ ଦେଇଛି। ବିଶେଷକରି କଶ୍ମୀରବାସୀଙ୍କ ଇଚ୍ଛା ଓ ସଂକଳ୍ପକୁ ସମ୍ମାନ ଜଣାଇବାକୁ ଭାରତକୁ ଉପଦେଶ ଦିଆଯାଇଛି। ଜାତିସଂଘ କଶ୍ମୀର ପ୍ରସଙ୍ଗରେ ପୂର୍ବରୁ ରିପୋର୍ଟ ଦେଇ ନାହିଁ। ତେଣୁ ପ୍ରଥମ ଥର ପାଇଁ ଆସିଥିବା ଏହି ରିପୋର୍ଟକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜାତିସଂଘର ରିପୋର୍ଟକୁ ବିଭ୍ରାନ୍ତିକର, ବିବାଦୀୟ ଓ ଅଭିସନ୍ଧିମୂଳକ ବୋଲି ଭାରତ କହିଛି।
ଜାତିସଂଘର ମାନବାଧିକାର ପରିଷଦର ମୁଖ୍ୟ ଜୈଦ ଆର ଏ ହୁସେନ୍ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ କଶ୍ମୀରରେ ୨୦୧୬ ଜୁଲାଇରୁ ନାଗରିକଙ୍କ ସମସ୍ତ ମୃତ୍ୟୁ ଘଟଣାର ତଦନ୍ତ ହେବା ଆବଶ୍ୟକ। ସେଠାରେ ସୁରକ୍ଷାକର୍ମୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ପିଲେଟ୍ ଗୁଳି ଯୋଗୁଁ ବହୁ ଲୋକ ଆହତ ହେଉଛନ୍ତି। ତେଣୁ ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ପିଲେଟ୍ ଗୁଳି ବନ୍ଦ କରିବା ଆବଶ୍ୟକ। କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଛି କି ନାହିଁ ସେ ସମ୍ପର୍କରେ ଆନ୍ତର୍ଜାତିକ ସ୍ୱାଧୀନ ତଦନ୍ତ ପାଇଁ ଏକ କମିଶନ୍ ଗଠନ କରିବାକୁ ଜାତିସଂଘର ମାନବାଧିକାର ପରିଷଦକୁ ସେ ଆସନ୍ତା ସପ୍ତାହରେ ଅନୁରୋଧ କରିବେ ବୋଲି ହୁସେନ୍ କହିଛନ୍ତି। ସାଧାରଣତଃ ସିରିଆ ପରି ସ୍ପର୍ଶକାତର, ଉଦ୍ବେଗଜନକ ଓ ନିୟନ୍ତ୍ରଣବିହୀନ ପରିସ୍ଥିତି ଦେଇ ଗତି କରୁଥିବା ଅଞ୍ଚଳରେ ଏଭଳି ତଦନ୍ତ କମିଶନ୍ ଗଠନ ପାଇଁ ଜାତିସଂଘର ନିୟମ ରହିଛି। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ ରହିଛି।