ଭାରତ ଜାତିସଂଘ କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
ଜାତିସଂଘ : ଉତ୍ତର କୋରିଆ ଉପରେ ଜାତିସଂଘ ସୁରକ୍ଷା ପରିଷଦ ଲାଗୁ କରିଥିବା କଟକଣାକୁ ଭାରତ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଉତ୍ତର କୋରିଆରୁ ୨.୨ନିୟୁତ ଡଲାର ମୂଲ୍ୟର ଧାତୁ ଓ ୫,୭୮,୦୦୦ ଡଲାର ମୂଲ୍ୟର ଅଳଙ୍କାର ଆମଦାନୀ କରି ଭାରତ କଟକଣାକୁ ଉଲ୍ଲଙ୍ଘନ କରିଥିବା ଜାତିସଂଘର ତଦନ୍ତକାରୀ କମିଟି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଉତ୍ତର କୋରିଆରୁ ଧାତବ ଜିନିଷ ଆମଦାନୀ ନ କରିବାକୁ ଭାରତ ସରକାର ବିଜ୍ଞପ୍ତି ଜାରି କରିବା ସତ୍ତ୍ୱେ ଏହାକୁ ଉଲ୍ଲଙ୍ଘନ କରାଯାଇଥିବା ଜାତିସଂଘ ତଦନ୍ତକାରୀ କମିଟି କହିଛି। ୨୦୧୭ରେ ଉତ୍ତର କୋରିଆ ଉପରେ ଜାତିସଂଘ କଟକଣା ଲାଗୁ କରିଥିଲା। କଟକଣା ପରେ ଉତ୍ତରକୋରିଆ ଠାରୁ ଭାରତ ୧.୪ ନିୟୁତ ଡଲାର ମୂଲ୍ୟର ଇସ୍ପାତ, ୨,୩୪,୦୦୦ ଡଲାରର ଲୁହା ଓ ଇସ୍ପାତ ଜିନିଏ, ୨୩୩୦୦୦ ଡଲାର ମୂଲ୍ୟର ତମ୍ବା ଓ ୫୨୬୦୦୦ ଡଲାର ମୂଲ୍ୟର ଜିଙ୍କ୍ ଆମଦାନୀ କରିଥିଲା। ଏହା ସହିତ ୫୭୮୯୯୪ ଡଲାର ମୂଲ୍ୟର ଅଳଙ୍କାର ଓ ୫୧୪୮୨୩ ମୂଲ୍ୟର ହୀରା ଆମଦାନୀ କରିଥିଲା ବୋଲି ଅଭିଯୋଗ ହୋଇଛି। ୨୦୧୭ ସେପ୍ଟେମ୍ବର ୪ରେ ପରେ ଯେଉଁ ସବୁ ଆମଦାନୀ କରାଯାଇଛି ତାହା ପ୍ରସ୍ତାବ ୨୩୭୧ର ଅନୁଚ୍ଛେଦ ୮ ଓ ୨୦୧୭ ସେପ୍ଟେମ୍ବର ୪ ପୂର୍ବରୁ ଯେଉଁସବୁ ଆମଦାନୀ କରାଯାଇଛି ତାହା ପ୍ରସ୍ତାବ ୨୩୨୧ର ଅନୁଚ୍ଛେଦ ୨୩୨୧କୁ ଉଲ୍ଲଙ୍ଘନ କରିଥିବା କୁହାଯାଇଛି।