୧୭ରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ପତିଆଲା : ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ଏପ୍ରିଲ ୧୭ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ। ପାଠପଢା ଅଧାରୁ ଛାଡି ସ୍ବଦେଶ ଫେରି ଆସିଥିବା ପିଲାମାନେ ଶିକ୍ଷା ସମାପ୍ତ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ପଞ୍ଜାବର ପ୍ରଦେଶର ପିଲାମାନେ କହିଛନ୍ତି ଯେ ସେମାନଙ୍କୁ ରାଜ୍ୟର ସରକାରୀ କିମ୍ବା ଘରୋଇ ମେଡିକାଲ କଲେଜରେ ପାଠପଢା ସୁବିଧା କରାଯାଉ। ପଞ୍ଜାବ ସହିତ ଓଡିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତେଲଙ୍ଗାନାର ପିଲାମାନେ ମଧ୍ୟ ଅନୁରୂପ ଦାବି କରିଛନ୍ତି। ମାର୍ଚ୍ଚ ୪ରେ ଜାତୀୟ ମେଡିକାଲ ଆୟୋଗ (ଏନଏମସି) କହିଥିଲେ ଯେ ୟୁକ୍ରେନର ଡାକ୍ତରୀ ପଢା ଶେଷ କରିଥିବା ପିଲାମାନେ ଭାରତରେ ସେମାନଙ୍କର ଇଣ୍ଟର୍ଣ୍ଣସିପ୍ କରିପାରିବେ। ତେବେ ଯେଉଁ ପିଲାମାନଙ୍କ ପାଠପଢା ଆରମ୍ଭ ହୋଇଛି କିମ୍ବା ଅଧାରେ ରହିଛି ସେମାନଙ୍କ ପାଠପଢା ଶେଷ ନେଇ କୌଣସି ସୁବିଧା କରାଯାଇ ନାହିଁ। ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ଯୋଗୁଁ ଭାରତ ସରକାର ସେଠାରେ ଥିବା ନିଜ ନାଗରିଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟିବା ନେଇ କୌଣସି ଆଶା ଦେଖାଯାଉ ନଥିବାବେଳେ ପିଲାଙ୍କ ଭାଗ୍ୟ ଅନ୍ଧକାରରେ ରହିଛି।
Comments are closed.