ଭାରତରେ ନାମଲେଖା ସୁଯୋଗ ଦାବିରେ ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ବିକ୍ଷୋଭ

ନୂଆଦିଲ୍ଲୀ : ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଆସିଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୁଦ୍ଧ ଯୋଗୁଁ ସେମାନଙ୍କ ପାଠପଢା ବନ୍ଦ ହୋଇଯାଇଛି। ଏପରିକି ସେମାନଙ୍କ ପାଠପଢା କେବେ ଆରମ୍ଭ ହେବ ତାକୁ ନେଇ ଆଶଙ୍କା ଲାଗି ରହିଛି। ଏପରିସ୍ଥିତିରେ ସେମାନଙ୍କୁ ସ୍ବଦେଶରେ ପାଠ ପଢିବାର ସୁଯୋଗ ଦେବା ଲାଗି ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ୟୁକ୍ରେନ ଫେରନ୍ତା ପିଲାମାନଙ୍କୁ ରାଜ୍ୟ ସରକାରଙ୍କ ଅଧୀନ ବିଭିନ୍ନ ଡାକ୍ତରୀ ବିଶ୍ବବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ନାମଲେଖା ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ୟୁକ୍ରେନ ଏମବିବିଏସ୍‌ ଛାତ୍ର ଅଭିଭାବକ ସଂଘ (ପିଏୟୁଏମ୍‌ଏସ୍‌)ର ୫୦୦ ଅଭିଭାବକ ଏହି ବିକ୍ଷୋଭରେ ଆଗାମୀ ଦିନରେ ସାମିଲ ହେବେ। ଅଭିଭାବକମାନେ କହିଛନ୍ତି ଯେ ସରକାର ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଦରକାର। ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଡାକ୍ତରୀ ପଢୁଥିବା ପ୍ରାୟ ୨୦ହଜାର ପିଲା ସ୍ବଦେଶ ଫେରିଆସିଛନ୍ତି। ମାର୍ଚ୍ଚ ୪ରେ ଜାତୀୟ ମେଡିକାଲ ଆୟୋଗ (ଏନଏମସି) କହିଥିଲେ ଯେ ୟୁକ୍ରେନର ଡାକ୍ତରୀ ପଢା ଶେଷ କରିଥିବା ପିଲାମାନେ ଭାରତରେ ସେମାନଙ୍କର ଇଣ୍ଟର୍ଣ୍ଣସିପ୍ କରିପାରିବେ। ତେବେ ଯେଉଁ ପିଲାମାନଙ୍କ ପାଠପଢା ଆରମ୍ଭ ହୋଇଛି କିମ୍ବା ଅଧାରେ ରହିଛି ସେମାନଙ୍କ ପାଇଁ କୌଣସି ସୁବିଧା କରାଯାଇ ନାହିଁ।

Comments are closed.