ମାରିଉପୋଲରେ ୟୁକ୍ରେନ ସୈନ୍ୟଙ୍କ ଆତ୍ମସମର୍ପଣ

ପୂର୍ବ ୟୁକ୍ରେନର କ୍ରେମିନାକୁ ଦଖଲ କଲା ରୁଷ୍‌

କିଭ୍‌ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୫୪ ଦିନରେ ପହଞ୍ଚିଛି। ସୋମବାର ରୁଷ୍‌ ସେନା ପୂର୍ବ ୟୁକ୍ରେନର କ୍ରେମିନା ନାମକ ଆଉ ଏକ ସହରକୁ ଅକ୍ତିଆର କରିଛି। ଲୁହାନସ୍କ ନିକଟରେ ଥିବା କ୍ରେମିନା ସହରରେ ତିନିଦିନ ସଂଘର୍ଷ ପରେ ରୁଷ୍‌ ଏହାକୁ ନିଜ ଅଧୀନକୁ ନେଇଛି। ଅନ୍ୟପଟେ ମାରିଉପୋଲରେ ୟୁକ୍ରେନ ସୈନ୍ୟମାନେ ରୁଷ୍ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ଲାଗି ରୁଷ୍ ସେନା ପକ୍ଷରୁ ୟୁକ୍ରେନ ସୈନ୍ୟକୁ ରବିବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିଲା। ରୁଷ୍‌ ଦାବି କରିଛି ଯେ ଏହା ମାରିଓପୋଲକୁ ନିଜ ଅକ୍ତିଆରକୁ ନେଇଛି। ମାତ୍ର ସ୍ବାଧୀନ ତଦନ୍ତକାରୀ ଏଜେନ୍ସି ଏହାକୁ ସ୍ପଷ୍ଟ କରିନାହିଁ। ୟୁକ୍ରେନ ପାଇଁ ଲଢେଇ କରୁଥିବା ଦୁଇଜଣ ବ୍ରିଟିଶ ସୈନ୍ୟକୁ ରୁଷ୍‌ ବନ୍ଦୀ କରିନେଇଛି। ରୁଷ୍‌ ଦ୍ବାରା ବନ୍ଦୀ ହୋଇଥିବା ଦୁଇ ବ୍ରିଟିଶ ସୈନ୍ୟ ସୋମବାର ଟେଲିଭିଜନ ଚାନେଲରେ ଉପସ୍ଥିତ ରହି ମୁକ୍ତି ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବୋରିସ ଜନସନଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ୟୁକ୍ରେନ ଦ୍ବାରା ଅଟକ ରହିଥିବା ରୁଷ୍‌ ସପକ୍ଷବାଦୀ ରାଜନେତାଙ୍କ ମୁକ୍ତି ପ୍ରତିବଦଳରେ ବ୍ରିଟଶ ସୈନ୍ୟଙ୍କୁ ମୁକ୍ତ କରାଯିବ ବୋଲି ରୁଷ୍‌ ସର୍ତ୍ତ ରଖିଛି। ରୁଷ୍‌ ଦ୍ବାରା ଗିରଫ ଦୁଇ ବ୍ରିଟିଶ ସୈନ୍ୟ ହେଲେ ସନ୍ ପିନର ଓ ଆଡେନ ଆସଲିନ୍‌। ଏହି ଦୁଇଜଣ ୟୁକ୍ରେନର ମାରିଓପୋଲ ସହରରେ ୟୁକ୍ରେନ ସୈନ୍ୟ ପାଇଁ ଲଢେଇ କରୁଥିଲେ। ୟୁକ୍ରେନ ସୈନ୍ୟ ସହିତ ମିଶି ଏମାନେ ରୁଷ୍ ସେନା ବିରୋଧରେ ଆକ୍ରମଣ କରୁଥିଲେ। ୟୁକ୍ରେନ ପକ୍ଷରୁ ଅଟକ ରଖାଯାଇଥିବା ରୁଷ୍‌ ସପକ୍ଷବାଦୀ ରାଜନେତା ଭିକ୍ଟର ମେଡଭେଡଚୁକଙ୍କ ଭିଡିଓକୁ ପ୍ରସାରିତ କରିଛି। ମେଡଭେଡଚୁକ୍ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଜଣେ ସହଯୋଗୀ। ମେଡଭେଡଚୁକଙ୍କ ମୁକ୍ତି ବଦଳରେ ମାରିଓପୋଲରେ ଗିରଫ କରାଯାଇଥିବା ବିଦେଶୀ ସୈନ୍ୟ ଓ ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ପାଇଁ ସୁଯୋଗ ଦେବାକୁ ୟୁକ୍ରେନ ସର୍ତ୍ତ ରଖିଛି। ମାରିଓପୋଲ୍‌ରେ ରୁଷ୍ ସେନାକୁ ୟୁକ୍ରେନ ସେନା ପ୍ରବଳ ପ୍ରତିରୋଧ କରିଥିବା ଦେଖାଯାଇଥିଲା। କିଭ୍‌ସ୍ଥିତ ସିକ୍ୟୁରିଟ ସର୍ଭିସ ସେଣ୍ଟରରୁ ଏକ ଭିଡିଓ ବାର୍ତ୍ତାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିର୍ ଜେଲେନସ୍କି ତାଙ୍କ ରୁଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ବନ୍ଦୀ ଅଦଳବଦଳର ପ୍ରସ୍ତାବ ଦେଇଛନ୍ତି।

kalyan agarbati

Comments are closed.