ଭାରତରେ ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ ଦାବି ଜୋର
ନୂଆଦିଲ୍ଲୀ : ପ୍ରଥମ ହିନ୍ଦୁ ଭାବେ ଋଷି ସନକ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହାର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି। ଖ୍ରୀଷ୍ଟିୟାନ ବହୁଳ ଦେଶ ଇଂଲଣ୍ଡରେ ଜଣେ ସଂଖ୍ୟାଲଘୁ ହିନ୍ଦୁ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ପଦରେ ଜଣେ ସଂଖ୍ୟାଲଘୁଙ୍କୁ ବସାଇବା ଲାଗି ଏବେ ଦାବି ଉଠିଛି। ଭାରତର ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି ଯେ ଦେଶ ଏବେ ସଂଖ୍ୟାବହୁଳଙ୍କ ଦ୍ବାରା ଅଧିକୃତ ହୋଇ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି ଯେ ବ୍ରିଟେନଠାରୁ ଭାରତ ଶିଖିବା ଦରକାର। ଆମେରିକା ଓ ବ୍ରିଟେନବାସୀ ସଂଖ୍ୟାଲଘୁଙ୍କୁ ନିଜର ଶାସନ କର୍ତ୍ତା ଭାବେ ମନୋନୟନ କରିଛନ୍ତି। କଂଗ୍ରେସ ସାଂସଦ ଶଶୀ ତରୁର୍ କହିଛନ୍ତି ଯେ ବ୍ରିଟେନରେ ଯାହା ଘଟିଲା ଭାରତରେ ସେପରି ଘଟିବ କି? ବ୍ରିଟେନରେ ସଂଖ୍ୟାଲଘୁଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯିବା ଘଟଣାକୁ ସମଗ୍ର ବିଶ୍ବ ଅନୁକରଣ କରିବା ଦରକାର। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଆମ ପାଇଁ ଗର୍ବର ବିଷୟ। ବ୍ରିଟେନବାସୀ ଜଣେ ସଂଖ୍ୟାଲଘୁଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ମାତ୍ର ଆମେ ଭାରତୀୟ ଏବେ ସଂଖ୍ୟାଲଘୁଙ୍କ ପ୍ରତି ବାଛବିଚାର କରିଚାଲିଛେ। ସରକାର ଏନଆରସି ଓ ସିଏଏ ଭଳି ଆଇନ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ଟିଏମସି ସାଂସଦ ମହୁଆ ମୈତ୍ର କହିଛନ୍ତି ଯେ ଭାରତୀୟମାନେ କେବେ ଅଧିକ ସହନଶୀଳ ହେବେ?
ବିରୋଧୀ ନେତାମାନଙ୍କ ଏପରି ଦାବି ଉପରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂହ। ଗିରିରାଜ କହିଛନ୍ତି ଯେ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିରେ ବିଶ୍ବାସ କରେ। ଏହା ସହିତ ଭାରତର ସର୍ବୋଚ୍ଚ ଶାସନ ପଦରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାଙ୍କୁ ୫ଥର ଅଧିଷ୍ଠିତ କରାଯାଇଛି। ଜାକିର ହୁସେନଙ୍କ ଠାରୁ ଆରମ୍ଭ କରି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ, ଅବୁଦଲ କଲାମଙ୍କ ଭଳି ସଂଖ୍ୟାଲଘୁ ଭାରତ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ସେହିପରି ହମିଦ୍ ଅନସାରୀ, ଜାକିର ହୁସେନଙ୍କ ଭଳି ନେତା ଦେଶର ଉପରାଷ୍ଟ୍ରପତି ଅଳଙ୍କୃତ କରିଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ଭାବେ ମନମୋହନ ସିଂହ ୧୦ବର୍ଷ କାଳ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ବିଜେପିର ଅନ୍ୟତମ ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ମେହବୁବା ସଂଖ୍ୟାଲଘୁଙ୍କ ଅଧିକାର ବିଷୟରେ କହୁଛନ୍ତି। ରବିଶଙ୍କର ପ୍ରଶ୍ନ କରିଛନ୍ତି ଯେ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ପଦରେ ଜଣେ ସଂଖ୍ୟାଲଘୁଙ୍କୁ ଅଧିଷ୍ଠିତ କରିବା ଲାଗି ମେହବୁବା କେବେହେଲେ ଆଗ୍ରହ ଦେଖାଇଛନ୍ତି କି?
Comments are closed.