ବ୍ରିଟେନରେ ପ୍ରବାସୀ ପ୍ରତିକୂଳ ପରିବେଶକୁ ଭାରତୀୟଙ୍କ ବିରୋଧ

0

ଲଣ୍ଡନ : ବ୍ରଟେନରେ ପ୍ରବାସୀ ପ୍ରତିକୂଳ ପରିବେଶକୁ ନେଇ ଦକ୍ଷିଣ ଏସିଆର ଶତାଧିକ ଉଚ୍ଚକୁଶଳୀ ପ୍ରବାସୀ ବ୍ରିଟେନ ପାର୍ଲାମେଣ୍ଟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ଆଗକୁ ୱିଣ୍ଡରସ୍‌ ଦୁର୍ନୀତିର ଶିକାର ହେବାକୁ ଯାଉଛନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ପ୍ରକାଶ ଯେ ୱିଣ୍ଡରସ୍‌ ଦୁର୍ନୀତିରେ ବ୍ରିଟେନକୁ ୧୯୭୩ ପୂର୍ବରୁ ଆସିଥିବା ପ୍ରବାସୀ ଆଫ୍ରିକୀୟ, କାରେବୀୟଙ୍କୁ ପ୍ରମାଣପତ୍ର ଆଳରେ ବେଆଇନ ଭାବେ ଦେଶାନ୍ତର କରିଦିଆଯାଇଥିଲା । ବେଆଇନ ଦେଶାଟନକାରୀଙ୍କ ସମ୍ପର୍କରେ ଭୁଲ୍‌ ତଥ୍ୟ ଦେବାକୁ ନେଇ ରବିବାର ଅମ୍ବର ରୁଡ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବ୍ରିଟେନର ପାକିସ୍ତାନ ଜନ୍ମିତ ସାଂସଦ ସାଜିଦ ଜାଭିଦଙ୍କୁ ଗୃହମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି । ବ୍ରିଟେନ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିଥିବା ୪୦୦ ଜଣ ଆଇଟି, ଡାକ୍ତର, ନର୍ସ ଭଳି ଉଚ୍ଚକୁଶଳୀ ପ୍ରବାସୀଙ୍କ ମଧ୍ୟରୁ ଅନେକ ଭାରତୀୟ ଓ ପାକିସ୍ତାନୀ ଥିଲେ । ବ୍ରଟେନରେ ରହିବା ପାଇଁ ସେମାନଙ୍କ ଆଇଏଲଆର ଆବେଦନକୁ ବ୍ରିଟେନ ପ୍ରବାସୀ ନିୟମ ଧାରା ୩୨୨(୫)ରେ ‘ଜାତୀୟ ସୁରକ୍ଷାପ୍ରତି ବିପଦ’ ଦର୍ଶାଇ ଫେରାଇ ଦିଆଯାଇଛି । ଟିକସ୍‌ ପ୍ରଦାନରେ ତ୍ରୁଟି ଥିବାରୁ ସେମାନଙ୍କୁ ‘ଜାତୀୟ ସୁରକ୍ଷାପ୍ରତି ବିପଦ’ ବୋଲି ଦର୍ଶାଯାଇଛି । ଏଥି ନିମନ୍ତେ ବିରୋଧ ପ୍ରଦର୍ଶନକାରୀଙ୍କ ପକ୍ଷରୁ ପ୍ରସ୍ତୁତ ଏକ ପିଟିସନ୍‌ରେ ୨୩ ହଜାର ଲୋକ ଦସ୍ତଖତ କରିଛନ୍ତି । ପ୍ରବାସୀ ପ୍ରତିକୂଳ ପରିବେଶକୁ ତୁରନ୍ତ ଶେଷ କରିବାକୁ ପ୍ରବାସୀ ବିରୋଧ ପ୍ରଦର୍ଶନକାରୀ ବ୍ରଟେନ୍‌ ଗୃହମନ୍ତ୍ରୀ ସାଜିଦ ଜାଭିଦ, ପ୍ରଧାନମନ୍ତ୍ରୀ ଥେରେସା ମେ’ ଏବଂ ବିରୋଧୀ ଦଳ ନେତା ଜର୍ମି କୋରବାଇନଙ୍କ ନିକଟରେ ଦାବି କରିଛନ୍ତି ।

Leave A Reply