ଅଙ୍କାରା: ତୁର୍କୀରେ ହୋଇଥିବା ଭୟାବହ ଭୂମିକମ୍ପରେ ୨୬ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ନିଖୋଜ ଥିବା ଭାରତୀୟ ବିଜୟ କୁମାର (୩୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ତୁର୍କୀର ମାଲାତ୍ୟା ସହରର ଏକ ହୋଟେଲ୍ରେ ରହିଥିଲେ ବିଜୟ କୁମାର। ଉତ୍ତରାଖଣ୍ଡ ବାସିନ୍ଦା ବିଜୟ ଭୂମିକମ୍ପ ପରଠାରୁ ନିଖୋଜ ଥିଲେ। ଶନିବାର ସକାଳୁ ଉଦ୍ଧାରକାରୀ ଦଳ ତାଙ୍କ ମୃତଦେହ ଭଗ୍ନାବଶେଷ ତଳୁ ଉଦ୍ଧାର କରିଥିଲେ। ଉତ୍ତରାଖଣ୍ଡରେ ରହୁଥିବା ତାଙ୍କ ପରିବାର ନିକଟକୁ ବିଜୟଙ୍କ ମୃତଦେହ ଫଟୋ ପଠାଯାଇଥିଲା। ଏକ ଟାଟୁରୁ ପରିବାର ଲୋକେ ତାହା ବିଜୟଙ୍କର ମୃତଦେହ ବୋଲି ଚିହ୍ନଟ କରିଥିଲେ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବିଜୟ ସ୍ଥାନୀୟ ଅଞ୍ଚଳରେ ଥିବା ଆଭସାର ହୋଟେଲ୍ରେ ରହୁଥିଲେ। ଗତ ଗତମାସ ୨୩ରେ ତୁର୍କୀରେ ପହଞ୍ଚିଥିଲେ। ଏକ ପ୍ରକଳ୍ପ କାମରେ ବିଜୟ ସେଠାକୁ ଯାଇଥିବାବେଳେ ଫେବୃଆରୀ ମଧ୍ୟଭାଗରେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ସେ ବେଙ୍ଗାଲୁରୁର ଏକ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ଭୂମିକମ୍ପ ପରେ ନିଖୋଜ ବିଜୟଙ୍କୁ ଖୋଜିବାକୁ ସେଠାରେ ଥିବା ଭାରତୀୟ ଅଧିକାରୀମାନେ ଅଭିଯାନ ଆରମ୍ଭ କରିଥିଲେ। ସେ ରହୁଥିବା ହୋଟେଲର ଭଗ୍ନାବଶେଷରୁ ବିଜୟଙ୍କ ପାସପୋର୍ଟ ଓ ଅନ୍ୟ ପରିଚୟ ପତ୍ର ମିଳିଥିଲା। ଭୂମିକମ୍ପରେ ବିଜୟଙ୍କର ପରଲୋକ ହୋଇଯାଇଥିବା ସେ କାମ କରୁଥିବା ବେଙ୍ଗାଲୁରୁର ସଂସ୍ଥା ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ମୃତ ବିଜୟଙ୍କ ପତ୍ନୀ ଓ ଦୁଇ ପିଲା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବେଙ୍ଗାଲୁରୁର କମ୍ପାନୀ ତୁର୍କୀରେ ଏକ ପ୍ରକଳ୍ପ କାମ ହାତକୁ ନେଇଥିଲା। ସେହି କାମ ପାଇଁ କମ୍ପାନୀ ତରଫରୁ ତୁର୍କୀର ଜଣେ ଇଞ୍ଜିନିୟରଙ୍କୁ ନିୟୋଜିତ କରିବାକୁ କମ୍ପାନୀ ଇଚ୍ଛୁକ ଥିଲା। ତେବେ ତୁର୍କୀ ଯାଇ ପ୍ରକଳ୍ପ କାମ କରିବାକୁ ବିଜୟ ବହୁବାର ଅନୁରେଧ କରିବାରୁ କମ୍ପାନୀ ତରଫରୁ ତାଙ୍କୁ ତୁର୍କୀ ପଠାଯାଇଥିଲା। ସେ ଦିଲ୍ଲୀରୁ ବିମାନ ଯୋଗେ ତୁର୍କୀ ଯାଇଥିଲେ। ସେ ତୁର୍କୀର ଆଭସାର ହୋଟେଲର ଦ୍ବିତୀୟ ମହଲାରେ ଥିବା ଏକ କୋଠରିରେ ରହୁଥିଲେ।



