ମୁସଲମାନ ରାଷ୍ଟ୍ରର ନାଗରିକଙ୍କ ଆଗମନ ଉପରେ ଟ୍ରମ୍ପଙ୍କ କଟକଣାକୁ କାଏମ ରଖିଲେ ସୁପ୍ରିମକୋର୍ଟ
ୱାଶିଂଟନ : ମୁସଲମାନ ବହୁଳ ରାଷ୍ଟ୍ର ଇରାନ, ଲିବିୟା, ସୋମାଲିଆ, ସିରିଆ ଓ ୟେମେନର ନାଗରିକଙ୍କ ଆମେରିକା ଆଗମନ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲାଗୁ କରିଥିବା କଟକଣାକୁ ଦେଶର ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ମଙ୍ଗଳବାର ଆମେରିକା ସୁପ୍ରିମକୋର୍ଟ ଦେଇଥିବା ଏହି ରାୟ ଟ୍ରମ୍ପଙ୍କ ପାଇଁ ବଡ ବିଜୟ ଆଣିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରମ୍ପଙ୍କ ଏହି ରାୟ ପଛରେ କୌଣସି ପ୍ରକାର ବିଭେଦତା ନାହିଁ। ମୁଖ୍ୟ ବିଚାରପତି ଜନ୍ ରବର୍ଟ କହିଛନ୍ତି ଯେ ଦେଶର ଜାତୀୟ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତିର ଯଥାର୍ଥତା ରହିଛି। ଆମେରିକାକୁ କାହାକୁ ଆସିବାକୁ ଅନୁମତି ଦିଆ ଯିବ କିମ୍ବା ନ ଯିବ ତାର ସର୍ବୋଚ୍ଚ ନିଷ୍ପତ୍ତି ନେବାର ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ରହିଛି। ଇସଲାମିକ ଆତଙ୍କବାଦୀଙ୍କ କବଳରୁ ଆମେରିକାକୁ ସୁରକ୍ଷା ଦେବା ପାଇଁ ଟ୍ରମ୍ପ ଏପରି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଏହି ନିଷ୍ପତ୍ତିକୁ ଅଣଇସଲାମିକ କହୁଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ଟ୍ରମ୍ପଙ୍କ ଦେଶାଟନ ନିଷ୍ପତ୍ତି କାଏମ ରହିଛି। ଗତବର୍ଷ ସେପ୍ଟେମ୍ବରରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ, ଲିବିୟା, ସୋମାଲିଆ, ସିରିଆ ଓ ୟେମେନ ରାଷ୍ଟ୍ରର ନାଗରିକଙ୍କ ଆମେରିକା ଆଗମନ ଉପରେ କଟକଣା ଲାଗୁ କରିଥିଲେ। ଏହା ସହିତ ଦୁଇଟି ଅଣଇସଲାମିକ ରାଷ୍ଟ୍ର ଉତ୍ତର କୋରିଆ ଓ ଭେନଜୁଏଲା ଉପରେ ମଧ୍ୟ ଏହି କଟକଣା ଲାଗୁ ହୋଇଥିଲା। ତେବେ ନିମ୍ନ ଅଦାଲତ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ କରିଥିଲେ। ଯାହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା।