ପର୍ଯ୍ୟଟନ ଋତୁ ଆସିଲେ ସଭିଏଁ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାଆନ୍ତି। ଓଡ଼ିଶାରେ ଭ୍ରମଣ ପାଇଁ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସୌନ୍ଦର୍ଯ୍ୟମୟ ସ୍ଥାନ ହେଉଛି ଭୀମକୁଣ୍ଡ। ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସୀମାରେ ପ୍ରବାହିତ ହେଉଥିବା ବୈତରଣୀ ଏଠାରେ ସଂକୀର୍ଣ୍ଣ ହୋଇ ବିଶାଳ ଭୂପୃଷ୍ଠର ଶିଳାସ୍ତରକୁ ବିଦୀର୍ଣ୍ଣ କରି ଛୋଟ ବଡ଼ ପଥର ଉପରୁ ଖସି ଜଳପ୍ରପାତ ସୃଷ୍ଟି କରିଛି। ପ୍ରାୟ ୩୦୦ ମିଟର ନଦୀରେ ପ୍ରବାହିତ ସଂକୀର୍ଣ୍ଣ ଜଳଧାରକୁ ଉଭୟ ପାଶ୍ୱର୍ରେ ବିଶାଳ ପଥର କାନ୍ଥ ରହିଛି। ଏଥିରେ ୩ଟି କୁଣ୍ଡ ରହିଛି। ଶେଷ ଭାଗ ବଡ଼କୁଣ୍ଡରେ ଥିବା ଜଳର ପ୍ରାୟ ୫୦ ଭାଗ ଭୂତଳରେ ୧୨ କି.ମି ଯାଇ ସୁନାଖମ୍ବଠାରେ ନିର୍ଗତ ହେଉଛି। ଭୀମକୁଣ୍ଡଠାରେ ପର୍ଯ୍ୟଟକମାନେ ସୁବିଧାରେ ଚାଲିଚାଲି ଯିବା ପାଇଁ ପଥର ବେଷ୍ଟିତ ଅଞ୍ଚଳରେ ସିମେଣ୍ଟ କଂକ୍ରିଟ ରାସ୍ତା ତିଆରି ହୋଇଛି।
କିମ୍ବଦନ୍ତୀ ଅନୁଯାୟୀ ହିନ୍ଦୁପୁରାଣ ମହାଭାରତରେ ଭୀମକୁଣ୍ଡ ସଂପର୍କରେ ଉଲ୍ଲେଖ ରହିଛି। ଏଠାରେ ପାଣ୍ଡବଙ୍କ ଦ୍ବିତୀୟ ଭାଇ ବୀର ପୁରୁଷ ଭୀମ ଏଠାରେ ସ୍ନାନ କରୁଥିଲେ। ତେଣୁ ସେହି ଦିନ ଠାରୁ ଏହାର ନାମ ଭୀମକୁଣ୍ଡ ରହିଛି। ଭୀମକୁଣ୍ଡକୁ ଏକ ପବିତ୍ର ସ୍ଥାନ କୁହାଯାଏ। ମକର ସଂକ୍ରାନ୍ତି ସମୟରେ ଏଠାରେ ଖୁବ ଜନ ସମାଗମ ଦେଖାଯାଏ। ଏହା ନିକଟରେ କୁଣ୍ଡେଶ୍ୱର ମହାଦେବଙ୍କ ମନ୍ଦିର ମଧ୍ୟ ଅଛି।
ଏହାର ଚତୁଃପାଶ୍ୱର୍ରେ ଶାଳଗଛ ଜଙ୍ଗଲ ପରିବେଶକୁ ଏକ ସୁନ୍ଦର ରୂପ ପ୍ରଦାନ କରେ। ଏହା ସହ ଏଠାରେ ପିକ୍ନିକ୍ କରିବାର ସୁବିଧା ମଧ୍ୟ ରହିଛି। ତେଣୁ ଶୀତଦିନ ଆରମ୍ଭ ହେବା ମାତ୍ରେ ଏଠାରେ ବେଶ ଭିଡ଼ ଜମିଥାଏ।
ପବିତ୍ର ସ୍ଥାନ ଭୀମକୁଣ୍ଡ
Popular Categories



