ମୋହନାରେ ଟ୍ରାଫିକ ସମସ୍ୟା ଉତ୍କଟ

ମୋହନା : ଗଜପତି ଜିଲା ମୋହନା ସହରରେ ଦିନକୁ ଦିନ ଯାନ ବାହାନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟ୍ରାଫିକ ସମସ୍ୟା ଚିନ୍ତାର କାରଣ ହୋଇପଡିଛି। ସହରରେ ମାଳ ମାଳ ଗାଇ, ଗୋରୁ, ଛେଳି ଓ ବୁଲା କୁକୁର ଯୋଗୁଁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଅଧିକାଂଶ ସମୟରେ ସହରରେ ଦୁର୍ଘଟଣା ଘଟି ଜନସାଧାରଣ ଗୁରୁତର ହେଉଥିବା ନଜିର ମଧ୍ୟ ରହିଛି। ଯାହା ଫଳରେ ସାଧାରଣ ଲୋକ, ସ୍କୁଲ, କଲେଜର ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ଦେଖା ଦେବାରେ ଲାଗିଛି। ରାସ୍ତା ମଝିରେ ଗାଇ, ଗୋରୁ, ଛେଳି, ବୁଲାକୁକୁରଙ୍କ ସହିତ ଚାରି ଚକିଆ ଓ ଦୁଇ ଚକିଆ ଗାଡି, ଅଟୋ, ସାଇକେଲ, ଉଠା ଦୋକାନୀ ଏବଂ ପରିବା ଦୋକାନୀମାନେ ରାସ୍ତା ଅବରୋଧ କରୁଥିବାରୁ ରାସ୍ତା ପାର ହେବା, ଗାଡି ଅତିକ୍ରମ କରିବା ସମ୍ଭବ ପର ହେଉନାହିଁ। ମୋହନା ପାଣ୍ଡାଛକ, ହାଇସ୍କୁଲ ଛକ, ଉପର ବସଷ୍ଟାଣ୍ଡ ଛକ, ଥାନା ସମ୍ମୁଖ ଭାଗ, ବ୍ଳକ ଛକ, ତହସିଲ ଛକ ଆଦି ନିକଟରେ ଗୃହ ପାଳିତ ପଶୁଙ୍କ ସମେତ ବୁଲା କୁକୁର ମାଳ ମାଳ ହୋଇ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲୁଛନ୍ତି। ଏହାକୁ ନେଇ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ଏଥିପ୍ରତି ଉଚ୍ଚ କର୍ତୁପକ୍ଷ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହୋଇଛି।

kalyan agarbati

Comments are closed.